ନୂଆଦିଲ୍ଲୀ: ଆଜି କିଛି ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ଟିକା ଗ୍ରହଣ କରିଛନ୍ତି । । ନୂଆଦିଲ୍ଲୀର ଏମ୍ସରେ ପ୍ରଧାନମନ୍ତ୍ରୀ ଟିକା ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋରୋନା ଟିକା କୋଭ୍ୟାକ୍ସିନ ନେଇଛନ୍ତି ପ୍ରଧାନମନ୍ତ୍ରୀ। ଏହା ପରେ ଏହି ଘଟଣାକୁ ନେଇ ସାମ୍ନାକୁ ଆସିଛି ବିଜେପି । ଦଳର ଜାତୀୟ ପ୍ରବକ୍ତା ସୁଦେଶ ବର୍ମା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କର ଏହି ଟିକା ଗ୍ରହଣ ପରେ ଦେଶବାସୀଙ୍କ ଟିକା ପ୍ରତି ରହିଥିବା ସନ୍ଦେହ ଦୂର ହେବା ସହ ଟିକାକରଣ ପ୍ରତି ସେମାନଙ୍କର ଆଗ୍ରହ ମଧ୍ୟ ବଢିବ ।
ନିଜେ ପ୍ରଧାନମନ୍ତ୍ରୀ ଟିକା ନେଇ ଟିକାର ସୁରକ୍ଷା ଓ ବିଶ୍ବସନୀୟତାକୁ ଦେଶବାସୀଙ୍କୁ ସବୁଠୁ ବଡ ବାର୍ତ୍ତା ଦେଇଛନ୍ତି ବୋଲି କହିଛନ୍ତି ସୁଦେଶ ବର୍ମା । ଟିକା ନେବା ପରେ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା ମଧ୍ୟ କରୁଥିବା ଦେଖିବାକୁ ମଳିଛି। ତେବେ ତାଙ୍କର ଏହି କାର୍ଯ୍ୟକ୍ରମ ଦେଶବାସୀଙ୍କ ବିଶ୍ବାସ ବଢାଇବା ଦିଗରେ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।
ସେହିପରି ଦେଶରେ 2ୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବାବେଳେ ବରିଷ୍ଠ ନାଗରିକ ଓ ଅନ୍ୟ ରୋଗରେ ପିଡିତଥିବା ବ୍ୟକ୍ତିମାନେ ଏହି ପର୍ଯ୍ୟାୟରେ ଟିକା ଗ୍ରହଣ କରିବା ବ୍ୟବସ୍ଥା କରିଛନ୍ତି ସରକାର । ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଟିକା ନେଇଥିବା ଖବର ସାମ୍ନାକୁ ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ