ଜୟପୁର: ରାଜସ୍ଥାନରେ ଥମିବାର ନାଁ ନେଉନି ସାମ୍ପ୍ରଦାୟିକ ହିଂସା । କରୌଲୀ ଓ ଯୋଧପୁର ପରେ ଗତକାଲି ଭିଲଓ୍ବାଡାରେ ମଧ୍ୟ ଦେଖିବାକୁ ମିଳିଛି ହିଂସାକାଣ୍ଡ । ଦୁଇଜଣ ସ୍ଥାନୀୟ ଯୁବକଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିବା ସହ ବାଇକ ଜାଳିଦେବା ପରେ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିିଛି ବ୍ୟାପକ ଉତ୍ତେଜନା । ଘଟଣାକୁ ଗମ୍ଭୀରତାର ନେଇଛି ରାଜସ୍ଥାନ ପୋଲିସ । ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶୁକ୍ରବାର) ସକାଳ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଜିଲ୍ଲାପାଳ ଆଶିଷ ମୋଦି, ଜିଲ୍ଲା ପୋଲିସ ଅଧୀକ୍ଷକ ଆଦର୍ଶ ସିଦ୍ଧୁ ଗତକାଲି ମଧ୍ୟରାତ୍ରିରେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସାମାନ୍ୟ ଶାନ୍ତ ପଡିଛି । ଏସପି ଆଦର୍ଶ ସିଦ୍ଧୁ କହିଛନ୍ତି ପୋଲିସ ଟିମ ଘଟଣାର ତଦନ୍ତ ଆରମ୍ଭ କରିବା ସହ କିଛି ଲୋକଙ୍କୁ ଅଟକ ମଧ୍ୟ ରଖିଛି । ଘଟଣାରେ ଯେ କେହି ବି ସମ୍ପୃକ୍ତ ତୁରନ୍ତ ତାଙ୍କୁ ଗିରଫ କରାଯିବ ।
କ’ଣ ଥିଲା ଘଟଣା:
ଭିଲଓ୍ବାଡା ଜିଲ୍ଲାର ଉପକଣ୍ଠ ସାନଗାନେରେ ଦୁଇ ସ୍ଥାନୀୟ ଯୁବକଙ୍କୁ ଏକାଧିକ ମୁଖାପିନ୍ଧା ଅଜଣା ଦୁର୍ବୃତ୍ତ ଆକ୍ରମଣ କରିବା ସହ ସେମାନଙ୍କ ଗାଡି ମଧ୍ୟ ପୋଡି ଦେଇଥିଲେ । ଉଭୟ ଆହତ ଯୁବକଙ୍କୁ ସ୍ଥାନୀୟ ମହାତ୍ମା ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିବାବେଳେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ କୌଣସି ଅପ୍ରୀତିକର ସ୍ଥିତି ଏଡାଇବା ପାଇଁ ଇଣ୍ଡରନେଟ ସେବାକୁ ମଧ୍ୟ ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ