ମୁମ୍ବାଇ: ମହାରାଷ୍ଟ୍ରର ଦ୍ବିତୀୟ କ୍ୟାପିଟାଲ କୁହାଯାଉଥିବା ନାଗପୁରରେ ଘଟିଛି ଏକ ବିରଳ ଘଟଣା । ଯେଉଁଠି ୧୨ ବର୍ଷ ବୟସରେ ଗର୍ଭବତୀ ହୋଇଥିଲେ ନାବାଳିକା । ଏହି ଖବରକୁ ଲୁଚାଇବା ପାଇଁ ପୁରୁଷ ବନ୍ଧୁ(ବଏଫ୍ରେଣ୍ଡ) ସହ ବିବାହ କଲେ ପରିବାର । ହେଲେ ଶେଷରେ ଏହି ବିବାହ ସାଜିଲା କାଳ । ନାବାଳିକାର ବିବାହ ଖବର ପାଇ ଘରେ ଆସି ପହଞ୍ଚିଲା ପୋଲିସ ଆଉ ବାନ୍ଧିଲା ବରକୁ । ଫଳରେ ପରିବାର ଲୁଚାଇବାକୁ ଚାହୁଁଥିବା ଘଟଣାଟି ଏବେ ସର୍ବସମ୍ମୁଖରେ । ପୋଲିସ ଉକ୍ତ ଯୁବକକୁ ଦୁଷ୍କର୍ମ ଘଟଣାରେ ଗିରଫ କରିଛି ।
କ'ଣ ଥିଲା ପୁରା ଘଟଣା ?
ନାଗପୁର MIDC ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ୧୨ ବର୍ଷର ନାବାଳିକା ପ୍ରେମ ବ୍ୟାପାରକୁ ନେଇ ଗର୍ଭବତୀ ହୋଇଥିଲେ । ନାବାଳିକାକୁ ୧୨ ବର୍ଷ ବୟସ ହୋଇଥିବା ବେଳେ ଯୁବକଙ୍କୁ ୨୨ ବର୍ଷ ବୋଲି ଜଣାପଡ଼ିଛି । ତେବେ ଏମାନେ ପରସ୍ପରର ପଡୋଶୀ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଶାରୀରିକ ସମ୍ପର୍କ ସେମାନଙ୍କ ପାଇଁ ସୃଷ୍ଟି କରିଛି ସମସ୍ୟା । ଆଶ୍ଚର୍ଯ୍ୟକର କଥା ହେଉଛି ନାବାଳାକଙ୍କ ପରିବାର ଏ ସମ୍ପର୍କରେ ଜାଣିବା ପରେ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରିବର୍ତ୍ତେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।
ତେବେ ଦ୍ବିପାକ୍ଷିକ ଆଲୋଚନା ପରେ ପୁରୁଷ ବନ୍ଧୁଙ୍କ ସହିତ ବିବାହର ଆୟୋଜନ କରାଗଲା । ସେମାନେ ନବଦମ୍ପତିଙ୍କ ପାଇଁ ନୂଆ ଘରର ବ୍ୟବସ୍ଥା ମଧ୍ୟ କରିଥିଲେ । ଏହି ଘଟଣାରେ ନାବାଳିକାଙ୍କ ମାଆ ନଥିବା ବେଳେ ପିତା ସମସ୍ତ ଦାୟିତ୍ବ ବହନ କରନ୍ତି । ସେ ଅଧିକାଂଶ ସମୟ ବାହାରେ ରହୁଥିବା ବେଳେ ନିଜ ଝିଅ ଯତ୍ନ ନେଇପାରୁନଥିଲେ । ସେ ଝିଅ ଗର୍ଭବତୀ ସମ୍ପର୍କରେ ଜାଣିବା ପରେ ବିବାହର ଆୟୋଜନ କରିଥିଲେ ।
ଯୋଜନା ଥିଲା ବିବାହ ପରେ ଗର୍ଭବତୀ ଖବର ସମ୍ପର୍କରେ ଜଣାପଡ଼ିବ । ହେଲେ ପୋଲିସ ବରକୁ ବାନ୍ଧିବା ପରେ ସବୁ ହେଲା ଓଲଟ ପାଲଟ । ଏହି ଘଟଣା ସମ୍ପର୍କରେ ପ୍ରଥମେ ଆଶା କର୍ମୀ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ନାବାଳିକାଙ୍କ ବିବାହ ସମ୍ପର୍କରେ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଘରେ ପହଞ୍ଚିଥିଲା ପୋଲିସ । ଆଉ ଦୁଷ୍କର୍ମ ଘଟଣାରେ ଯୁବକଙ୍କୁ ଗିରଫ କରିଛି । 2006 ବାଲ୍ୟ ବିବାହ ନିଷିଧାଦେଶ ଅଧିନିୟମ ଅନୁଯାୟୀ ଯୁବତୀଙ୍କ ବିବାହ ବୟସ 18 ବର୍ଷ ରହିଥିଲା ।
ମହିଳାଙ୍କ ବିବାହର ଆଇନଗତ ବୟସକୁ 18 ବର୍ଷରୁ 21 କୁ ବୃଦ୍ଧି କରିବାକୁ ଏନଡିଏ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ୟୁ ରିସର୍ଚ୍ଚ ସେଣ୍ଟର(Pew Research Center)ର ଏକ ରିପୋର୍ଟ ଅନୁଯାୟୀ ବହୁ ସଂଖ୍ୟକ ଦେଶ ଉଭୟ ବାଳକ ଏବଂ ନାବାଳିକାଙ୍କ ପାଇଁ 18 ବର୍ଷ ବୟସରେ ବୈବାହିକ ବୟସକୁ ବନ୍ଦ କରି ଦେଇଛନ୍ତି । ଏହି ତାଲିକାରେ ଅଷ୍ଟ୍ରେଲିଆ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଗ୍ରୀସ୍, ହଙ୍ଗେରୀ, ଜର୍ମାନୀ, ଇସ୍ରାଏଲ୍, ଆଇସଲ୍ୟାଣ୍ଡ, ସ୍ବିଜରଲ୍ୟାଣ୍ଡ ଏବଂ ଋଷ ଅନ୍ତର୍ଭୁକ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ