ଅମରାବତୀ: ସମାଜରେ ଋଣ ବୋଝ ନେଇ ଆତ୍ମହତ୍ୟାର ଅନେକ ଦାରୁଣ ଦୃଷ୍ଟାନ୍ତ ରହିଛି । ମାତ୍ର ଋଣ ପରିଶୋଧ ପାଇଁ ଅସମର୍ଥ ଜଣେ ନାବାଳିକା ବ୍ୟାଙ୍କ ଏଜେଣ୍ଟଙ୍କ ଦୁର୍ବ୍ୟବହାର ସହି ନ ପାରି ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲା ଅନ୍ତର୍ଗତ ନନ୍ଦିଗାମ ସହରରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୭ ବର୍ଷୀୟା ଝିଅ ଋଣ ଆଦାୟକାରୀ ଏଜେଣ୍ଟଙ୍କ ଦୁର୍ବ୍ୟବହାର ସହ୍ୟ ନ କରିପାରି ଆତ୍ମହତ୍ୟା କରିଛନ୍ତି । ନନ୍ଦିଗାମ ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ମୃତ ନାବାଳିକା EAPCET ପରୀକ୍ଷାରେ ଭଲ ରାଙ୍କ ରଖିଥିଲେ । ତେଣୁ ଝିଅର ଅଧିକ ପାଠପଢା ପାଇଁ ପରିବାର ଲୋକେ ଦୁଇ ବର୍ଷ ତଳେ ବ୍ୟାଙ୍କରୁ ୩.୫ ଲକ୍ଷ ଟଙ୍କା ଋଣ ନେଇଥିଲେ । କିନ୍ତୁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ଧାର୍ଯ୍ୟ ସମୟରେ ଋଣ ପରିଶୋଧ କରିବାକୁ ଅସମର୍ଥ ହୋଇଥିଲେ । ଗତ ଗୁରୁବାର ଅପରାହ୍ନରେ ଏହି ଋଣ ଟଙ୍କା ଆଦାୟ କରିବାକୁ ବ୍ୟାଙ୍କ ଏଜେଣ୍ଟମାନେ ତାଙ୍କ ଘରେ ପହଞ୍ଚିଥିଲେ ।
ସେଠାରେ ପଡୋଶୀଙ୍କ ସାମ୍ନାରେ ନାବାଳିକାଙ୍କ ବାପାଙ୍କୁ ଗାଳିଗୁଲଜ କରିଥିଲେ ବ୍ୟାଙ୍କ ଏଜେଣ୍ଟ । ଘର ଲୋକଙ୍କ ଏପରି ଅପମାନ ସହି ନ ପାରି ଶେଷରେ ୧୭ ବର୍ଷୀୟା ଝିଅ ଏକ ସୁଇସାଇଡ ନୋଟ ଲେଖି ନିଜ ଜୀବନ ହାରି ଦେଇଛନ୍ତି ।