ଅମରାବତି: ଆନ୍ଧ୍ର ପ୍ରଦେଶରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ପୂର୍ବ ଗୋଦାବରୀ ଜିଲ୍ଲାର ଅନନ୍ତପଲ୍ଲୀରେ ଏହି ଦୁର୍ଘଟଣା ଘଟିଛି । ଏକ ଏସୟୁଭି କାର ଟ୍ରକ ସହ ଧକ୍କା ହେବା ଫଳରେ କାରରେ ଥିବା ୭ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ 2 ଶିଶୁ ମଧ୍ୟ ରହିଛନ୍ତି । ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ରାଥମିକ ତଦନ୍ତ ପରେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତକମାନେ ଗୋଟିଏ ପରିବାରର । ସେମାନେ ଏକ ମହିନ୍ଦ୍ରା ଏସୟୁଭି କାରରେ ବିଜୟଓ୍ବାଡାରୁ ରାଜମହେନ୍ଦ୍ରୀ ଯାଉଥିଲେ । ଅନନ୍ତପଲ୍ଲୀ ନିକଚରେ ଏହି ଦୁର୍ଘଟଣା ଘଟିଥିଲା । କାରଟି ଦ୍ରୁତଗତିରେ ଥିବା ବେଳେ ଏକ ଲରି(ଟ୍ରକ)କୁ ପଛରୁ ଧକ୍କା ଦେଇଥିଲା । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଜଣେ ଶିଶୁ ଓ ଦୁଇଜଣ ପୁରୁଷ ରହିଛନ୍ତି । ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଜଣଙ୍କୁ ମୃତ ଘୋଷଣା କରାଯାଇଛି । ଜଣଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି । କାର୍ରେ ମୋଟ ୮ ଜଣ ଯାତ୍ରା କରୁଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାର ଓ ଟ୍ରକକୁ ଜବତ କରିଛି ।
ପୋଲିସର ତଦନ୍ତ ଜାରି ରହିଥିବା ବେଳେ ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ କାରଟି ଦ୍ରୁତଗତିରେ ଥିଲା । ଟ୍ରକକୁ ପଛରୁ ଧକ୍କା ଦେଇଥିଲା । କାରର ସମ୍ମୁଖ ଭାଗଟି ଚୂରମାର ହୋଇଯାଇଛି । ଯାତ୍ରୀମାନେ କାରର ସିଟ୍ ଭିତରେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଓ ପୋଲିସ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ହସ୍ପିଟାଲକୁ ପଠାଇଥିଲା । ସେଠାରେ ସମସ୍ତ 6 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ନିକଟରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଏକ ଟ୍ରାକ୍ଟର କେନାଲକୁ ଓଲଟି ପଡିବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକମାନେ ମହିଳା ଥିଲା । ସେମାନେ ମାତ୍ରାଧିକ ସଂଖ୍ୟାରେ ଟ୍ରାକ୍ଟର ଟ୍ରଲିରେ ଅସୁରକ୍ଷିତ ଭାବେ ଯାତ୍ରା କରୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ଶୁଖିଲା କେନାଲକୁ ଖସି ପଡିଥିଲା । ଟ୍ରାକ୍ଟର ଡାଲା ତଳେ ଚାପି ହୋଇଯିବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ୪ ଜଣ ଓ ହସ୍ପିଟାଲ ନେବା ବାଟରେ ଆଉ ୩ ଜଣଙ୍କୁ ମିଶାଇ ମୋଟ ୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ପ୍ରାୟ ୩୦ରୁ ଅଧିକ ଆହତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ