ମୁମ୍ବାଇ: ସ୍ବାଦ ପାଇଁ ଫଳ ମଧ୍ୟରେ ରାଜା ଆମ୍ବ । ଏହି ଋତୁଭିତ୍ତିକ ଫଳର ଚାହିଦା କଥା ଆମେ ସମସ୍ତେ ଶୁଣିଛନ୍ତି । କିନ୍ତୁ ମାତ୍ର ଗୋଟିଏ ଆମ୍ବ ଝୁଡି ନିଲାମ ହୋଇଛି 31,000 ଟଙ୍କାରେ । ଏମିତି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ଘଟଣାଟି ଦେଖିବାକୁ ମିଳିଛି ପୁଣେର ଏକ ସ୍ଥାନୀୟ ଆମ୍ବ ବଜାରରେ । ତେବେ 50 ବର୍ଷ ମଧ୍ୟରେ ଏହା ସବୁଠାରୁ ମହଙ୍ଗା ନିଲାମ ବୋଲି କହିଛନ୍ତି ସ୍ଥାନୀୟ ଆମ୍ବ ବ୍ଯବସାୟୀ ।
ସୂଚନା ଅନୁସାରେ, ମହାରାଷ୍ଟ୍ରର ଦେବଗଡ ରତ୍ନାଗିରିର GI ମାନ୍ୟତା ପାଇଥିବା ପ୍ରସିଦ୍ଧ ‘ହାପୁସ୍ ଆମ୍ବ’ (ଗତକାଲି) ଶୁକ୍ରବାର ପ୍ରଥମ କରି ପୁଣେର MSP ବଜାରରେ ପହଞ୍ଚିଥିଲା । ତେବେ ବଜାରର ପରମ୍ପରା ଅନୁସାରେ, ପ୍ରଥମ ଝୁ଼ଡି ଆମ୍ବ ନିଲାମ ହୋଇଥାଏ । ୫ ହଜାରରୁ ଆରମ୍ଭ କରି ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ଆମ୍ବ ଝୁଡି ନିଲାମ ହୋଇଥିବାର ରେକର୍ଡ ରହିଥିବା ବେଳେ ଚଳିତ ବର୍ଷର ନିଲାମ ଦର ସମସ୍ତ ପୂର୍ବ ରେକର୍ଡକୁ ଅତିକ୍ରମ କରିଛି । ବ୍ୟବସାୟର ପ୍ରଥମ ଦିନରେ ହେଉଥିବା ନିଲାମ ରାଶି ସମ୍ପୂର୍ଣ୍ଣ ବ୍ୟବସାୟ ସିଜିନରେ ପ୍ରଭାବ ପକାଏ ବୋଲି ବ୍ୟବସାୟୀଙ୍କ ବିଶ୍ବାସ ରହିଛି । ତେଣୁ ଚଳିତ ଥର ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି ଆମ୍ବ ବ୍ୟବସାୟୀ ।
ସ୍ଥାନୀୟ ଆମ୍ବ ବ୍ୟବସାୟୀ କହିଛନ୍ତି, ପୂର୍ବ ରେକର୍ଡ ଅନୁସାରେ, ପ୍ରଥମ ବିଡ୍ ୧୮,୦୦୦ ଟଙ୍କା, ଦ୍ୱିତୀୟ ୨୧,୦୦୦ ଟଙ୍କା, ତୃତୀୟ ଏବଂ ଚତୁର୍ଥରେ ଥର ନିଲାମି ୨୨,୫୦୦ ଟଙ୍କାରେ ହୋଇଥିଲା । ତେବେ ଚଳିତ ବର୍ଷର ନିଲାମି ମୂଲ୍ୟ ୩୧,୦୦୦ ଟଙ୍କାରେ ହୋଇଛି, ଯାହା ଗତ ୫୦ ବର୍ଷ ମଧ୍ୟରେ ସର୍ବାଧିକ ।
ମହାରାଷ୍ଟ୍ରର ଆଲଫୋନସୋ ପ୍ରଜାତିର ଆମ୍ବକୁ GI ଟ୍ୟାଗ୍ ମିଳିଛି । ଏହାକୁ ସ୍ଥାନୀୟ ବଜାରରେ ହାପସ୍ ଆମ୍ବ ବୋଲି ମଧ୍ୟ କୁହାଯାଏ । ମହାରାଷ୍ଟ୍ରର ରତ୍ନାଗିରି, ସିନ୍ଧୁଦର୍ଗ ଏବଂ ଏହାର ଆଖପାଖ ଅଞ୍ଚଳର ଜଳବାୟୁରେ ଫଳୁଥିବା ଏହି ବିଶେଷ ପ୍ରଜାତିର ଆମ୍ବ ନିଜର ସ୍ବାଦ ପାଇଁ GI ମାନ୍ୟତା ପାଇଥିବା ବେଳେ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ମଧ୍ୟ ପ୍ରଥମ ପସନ୍ଦ ରହିଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ