କୋଲକାତା: ଜନ୍ମଦାତାଙ୍କୁ ହତ୍ୟା କଲା ପୁଅ । ଯିଏ ଦୁନିଆ ଦେଖାଇଲେ ତାଙ୍କୁ ଦୁନିଆରୁ ଦୂର କରି ଆତ୍ମହତ୍ୟା ଉଦ୍ୟମ କରିଛି ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗର ହାୱାର ଜିଲ୍ଲାରେ ।
ସୂଚନାଅନୁସାରେ, ସୁଭୋଜିତ ବୋଷ(40) ନାମକ ଯୁବକ କମ୍ପୁଟର ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି । ହେଲେ ଚାକିର ନକରି ବେରୋଜଗାର ଥିଲେ । ଏଥି ପାଇଁ ସେ ବହୁତ ଦିନ ହେବ ଚିନ୍ତାରେ ରହୁଥିଲେ । କୋରୋନା ଭାଇରସ ସମୟରୁ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଖରାପ ରହିଥିଲା । କିଛି ଦିନ ହେବ ତାଙ୍କ ଘରେ ଅଶାନ୍ତି ମଧ୍ୟ ଲାଗି ରହିଥିଲା । ସେଥିପାଇଁ ସେ ତାଙ୍କ ବାପାମାଆଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି ।
ସୋମବାର ଶିବପୁରସ୍ଥିତ ତାଙ୍କ ଫ୍ଲାଟରୁ ଦୁର୍ଗନ୍ଧ ବାହାରିଥିଲା । ଏ ନେଇ ତାଙ୍କ ପଡୋଶୀ ଘର କବାଟ ବାଡେଇଥିଲେ ହେଲେ କିଛି ଉତ୍ତର ପାଇ ନଥିଲେ । ଏହା ପରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ପୋଲିସକୁ ଦେଖି ସୁଭୋଜିତ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପୋଲିସ ସୁଭୋଜିତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ମୃତ ଦମ୍ପତି ଜଣକ ହେଲେ ପ୍ରଦ୍ୟୁତ ବୋଷ ଓ ଗୋପା ବୋଷ । ତେବେ ନିଜ ଜନ୍ମଦାତାଙ୍କୁ ପୁଅର ହତ୍ୟା ଘଟଣା ସ୍ଥାନୀୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ