କୋଲକାତା: ଶପଥ ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭବାନୀପୁରର ବିଧାୟକ ଭାବରେ ଶପଥ ଗ୍ରହଣ କରିଛନ୍ତି ମମତା । ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କରିଥିଲେ ଦିଦି । ବିଜେପି ପ୍ରାର୍ଥୀ ପ୍ରିୟଙ୍କାକୁ ହରାଇ ଭବାନୀପୁର ଦଖଲ କରିଥିଲେ ମମତା ।
ଉପନିର୍ବାଚନରେ ହଟ୍ସିଟ୍ ପାଲଟିଥିବା ହାଇପ୍ରୋଫାଇଲ ଭବାନୀପୁର ବିଧାନସଭା ଆସନରେ ବିଜେପିକୁ ମାତ ଦେଇ ରେକର୍ଡ ବିଜୟ ହାସଲ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିଜ ନିକଟତର ପ୍ରତିଦ୍ବନ୍ଦୀ ବିଜେପିର ପ୍ରିୟଙ୍କା ଟିବରେୱାଲଙ୍କୁ 58 ହଜାର 832 ଭୋଟରେ ପରାସ୍ତ କରି ବାଜିରେ ଲାଗିଥିବା ପ୍ରତିଷ୍ଠାକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଦିଦି ।
ନନ୍ଦିଗ୍ରାମରେ ମାତ ଖାଇବା ପରେ ଭବାନୀପୁରରେ ବାଜି ଲାଗିଥିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଷ୍ଠା । କର ବା ମର ସ୍ଥିତିରେ ଥିଲେ ଦିଦି । ବିଧାନସଭା ନିର୍ବାଚନରେ କାମ କରିନଥିଲା ତୃଣମୂଳ କଂଗ୍ରେସର ରଣକୌଶଳ । ରଣଭୂମିରେ ପରାସ୍ତ ହୋଇଥିଲେ ରାଜ୍ୟ ମୁଖିଆ । ଗଡ ଦଖଲ ସତ୍ତ୍ବେ ନଇଁଯାଇଥିଲା ମୁଣ୍ଡ ।
ସମସ୍ତ ପ୍ରୟାସ ସତ୍ତ୍ବେ ନନ୍ଦିଗ୍ରାମକୁ ନିଜ ଅକ୍ତିଆରକୁ ନେଇପାରିନଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶେଷରେ ନିଜର ସବୁଠୁ ବେଶି ନିକଟତର ରହିଆସିଥିବା ତୃଣମୂଳ କଂଗ୍ରେସର ବିଦ୍ରୋହୀ ନେତା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ସ୍ବୀକାର କରିଥିଲେ ପରାଜୟ । ନନ୍ଦିଗ୍ରାମରୁ ହାରିବା ପରେ ମୁଖ୍ୟମନ୍ତ୍ରୀ ଆସନ ବଞ୍ଚାଇବାକୁ ପୁନର୍ବାର ଭବାନୀପୁର ଆସନରୁ ମୈଦାନକୁ ଓହ୍ଲାଇଥିଲେ ମମତା ।