ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ସଂକଟ (Maharashtra political crisis) । ଶିବସେନାର ବିଦ୍ରୋହୀ ବିଧାୟକ ଆସାମ ରାଜଧାନୀ ଗୌହ୍ବାଟିରେ ଡେରା ପକାଇଛନ୍ତି । ସେହି ଠାରୁ ମହାଅଘାଡି ସରକାରର ପତନ ପାଇଁ ରଚୁଛନ୍ତି ରଚନା । ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ( Cm Uddhav Thackeray) ଙ୍କ ପ୍ରସ୍ତାବକୁ ମଧ୍ୟ ଏକନାଥ ସିନ୍ଧେ (Eknath Shinde) ପ୍ରତ୍ୟାଖାନ କରିଦେଇଛନ୍ତି । ସରକାରର ସ୍ଥିତି କଣ ହେବେ ତାହା ଆକଳନ କରିବା ଅସମ୍ଭବ। ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନର ଅସ୍ଥିତ୍ବ କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଦଳୀୟ ବିଧାୟକ ଏବେ ଉଦ୍ଧବଙ୍କୁ ସମର୍ଥନ ବଦଳରେ ସିନ୍ଧେଙ୍କ ସାଥ ଦେଉଛନ୍ତି । ଏପରି ସ୍ଥଳେ ଶିବସେନା(Shiv Sena) ର ବିଭାଜନ ଆଶଙ୍କା ସୃଷ୍ଟି ହୋଇଛି । ଯଦି ଏହା ହୁଏ ଦଳବଦଳ ଆଇନ ମଧ୍ୟ ଲାଗୁ ହେବ ନାହିଁ । ଏପରି ସ୍ଥଳେ ଏକନାଥ ସିନ୍ଧେ ସରକାର ସମେତ ଶିବସେନାକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।
ଯେଉଁ ସଂକଟରେ ଏବେ ସରକାର ରହିଛି ଶିବସେନାର ନେତୃତ୍ବ ପ୍ରତି ମଧ୍ୟ ବିପଦ ଦେଖାଦେଇଛି । ବର୍ତ୍ତମାନ ଶିବସେନାର 40ରୁ ଅଧିକ ବିଧାୟକ ଏକନାଥ ସିନ୍ଧେଙ୍କ ସହ ରହିଛନ୍ତି । ଏହି ବିଧାୟକ ମାନେ ଶିବସେନା ମୁଖ୍ୟ ଉଦ୍ଧବଙ୍କ ପ୍ରତି ଅସନ୍ତୁଷ୍ଟ ରହିଛନ୍ତି । ଏଭଳି ସ୍ଥିତିରେ ଶିବସେନାର ବିଦ୍ରୋହୀ ବିଧାୟକ ମହା ବିକାଶ ଅଘାଡି ସରକାର ପତନ ଘଟାଇବା ପାଇଁ ବିଜେପିକୁ ସମର୍ଥନ କରିପାରନ୍ତି । ବିଜେପି ମଧ୍ୟ ମୌକା ଦେଖି ଉଦ୍ଧବଙ୍କ ଇସ୍ତଫା ଦାବି କରିଛି । ଶିବସେନା କିନ୍ତୁ ବର୍ତ୍ତମାନ ୱେଟ ଆଣ୍ଡ ୱାଚ ନୀତି ଆପଣାଇଛି ।
ସିନ୍ଧେ ଗୋଷ୍ଠୀ ସୁବିଧା ଜନକ ସ୍ଥିତିରେ...
2019 ନିର୍ବାଚନରେ ଶିବସେନାର 56 ବିଧାୟକ ନିର୍ବାଚିତ ହୋଇ ଆସିଥିଲେ । ଜଣେ ବିଧାୟକଙ୍କ ଦେହାନ୍ତ ହୋଇଥିବା ବେଳେ ବର୍ତ୍ତମାନ 55 ବିଧାୟକ ରହିଛନ୍ତି । ଆଉ ସେଥିରୁ 40 ବିଧାୟକ ଏବେ ବିଦ୍ରୋହୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀରେ ରହିଛନ୍ତି । ଆଉ କିଛି ବିଧାୟକ ମଧ୍ୟ ସମର୍ଥନ କରୁଥିବା ଏକନାଥ ଦାବି କରିଛନ୍ତି। ଏପରି ସ୍ଥଳେ ଦଳ ବଦଳ ନିୟମ ଅନୁସାରେ ଯଦି କୌଣସି ଦଳର ଏକ ତୃତୀୟାଶଂରୁ କମ ବିଧାୟକ ବିଦ୍ରୋହ କରନ୍ତି ତେବେ ତାଙ୍କ ଉପରେ ଦଳ ବଦଳ ନିୟମ ଲାଗୁ ହେବ । କିନ୍ତୁ ଶିବସେନାର ମୋଟ 55 ବିଧାୟକରୁ ଏବେ ଏକନାଥ ସିନ୍ଧେଙ୍କ ସହ 40 ରୁ ଅଧିକ ବିଧାୟକ ରହିଛନ୍ତି । ଯାହା ବିଦ୍ରୋହୀ ଗୋଷ୍ଠୀକୁ ଅତିକମରେ 37 ବିଧାୟକଙ୍କ ଆବଶ୍ୟକତା ଥିଲା । ଅର୍ଥାତ ସିନ୍ଧେ ଗୋଷ୍ଠୀ ବିଧାୟକଙ୍କ ଉପରେ ଦଳ ବଦଳ ନିୟମ ଲାଗୁ ହେବନାହିଁ ।
ଦଳ ବଦଳ ଆଇନ କଣ?
ବର୍ଷ 1967 ସାଧାରଣ ନିର୍ବାଚନ ପରେ ଅନେକ ରାଜ୍ୟରେ ବିଧାୟକଙ୍କ ଅଦ ବଦଳ ହେବା ପରେ ଅନେକ ସରକାର ବିଭିନ୍ନ ରାଜ୍ୟରେ ପତନ ହୋଇଥିଲା । ଏହାକୁ ଦେଖି 1985 ରେ ରାଜୀବ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ଦଳ ବଦଳ ଆଇନ ସଂସଦରେ ଆଣିଥିଲେ । 1985 ସମ୍ବିଧାନର ଦଶମ ଅନୁଛେଦରେ ଏହି ଆଇନକୁ ସ୍ଥାନିତ କରାଯାଇଛି । ଏହି ଆଇନ ବଳରେ ବିଧାୟକ ଓ ସାଂସଦଙ୍କ ଦଳ ବଦଳ ନୀତି ଉପରେ ରୋକ ଲଗାଇଥିଲେ କେନ୍ଦ୍ର ସରକାର । ଯେଉଁଥିରେ ଦଳ ବଦଳ କରୁଥିବା ବିଧାୟକ ସାଂସଦଙ୍କ ସଭ୍ୟ ପଦ ରଦ୍ଦ ପାଇଁ ପ୍ରାବଧାନ ରହିଛି ।
ଏହି ଆଇନ ଅନୁସାରେ ଯଦି କୌଣସି ରାଜନୈତିକ ଦଳର ସାଂସଦ ବିଧାୟକ ଏକ ତୃତୀୟାଶଂରୁ ଅଧିକ ସଦସ୍ୟ ଦଳକୁ କିମ୍ବା ନିଜେ ଅନ୍ୟ କୌଣସି ଦଲରେ ସାମିଲ ହେବେ କି ଦଳକୁ ବିଲୟ କରିବେ ସେହି କ୍ଷେତ୍ରରେ ଏହି ଆଇନ ଲାଗୁ ହେବ ନାହିଁ । କି କୌଣସି ସଭ୍ୟଙ୍କ ସଭ୍ୟ ପଦ ରଦ୍ଦ ହେବ ନାହିଁ ।
ଅର୍ଥାତ ମହାରାଷ୍ଟ୍ରରେ ଏବେ ଯେଉଁ ରାଜନୈତିକ ସଂକଟ ସୃଷ୍ଟି ହୋଇଛି ଓ ଏକନାଥ ସିନ୍ଧେଙ୍କ ସହ ଯେଉଁ ସମର୍ଥନ ରହିଛି ଖାଲି ସରକାର ନୁହେଁ ଶିବସେନା ଦଳକୁ ମଧ୍ୟ ବିଭାଜନ କରିଦେବାର ଆଶଙ୍କା ସୃଷ୍ଟି ହୋଇଛି । ଯଦି ଏକନାଥ ସେଭଳି କୌଣସି ପଦକ୍ଷେପ ନିଅନ୍ତି ତେବେ ଉଦ୍ଧବ ଠାକରେଙ୍କ ହାତରୁ ସରକାର ସହ ଶିବସେନା ମଧ୍ୟ ଖସି ଯାଇପାରେ ।