ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଂଙ୍କଟ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଉପବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସକୁ ଚ୍ୟାଲେଞ୍ଜ କରି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ଦାଏର କରିଥିବା ମାମଲାର ଆଜି ଶୁଣାଣି ହେବ । ଯାହାର ରାୟ ଉପରେ ସାରା ଦେଶର ନଜର ରହିଛି । ଏକନାଥ ସିନ୍ଧେଙ୍କ ସମେତ ମୋଟ 16 ବିଦ୍ରୋହୀ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ ନୋଟିସ ଜାରି କରିଥିଲେ ମହାରାଷ୍ଟ୍ର ଉପବାଚସ୍ପତି । ତେବେ ଏହାକୁ ନେଇ ସିନ୍ଧେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ରାଜ୍ୟରେ ଅନୁପସ୍ଥିତ ଥିବା ବିଧାୟକଙ୍କୁ କାହିଁକି ପଦରୁ ଅଯୋଗ୍ୟ ଘୋଷିତ କରାଯିବା ନାହିଁ ସେ ସମ୍ପର୍କରେ ଉପବାଚସ୍ପତି କାରଣ ଦର୍ଶାଓ ନୋଟିସ ଜାରି କରିଥିଲେ । ଏହାକୁ ଉପବାଚସ୍ପତିଙ୍କ କ୍ଷମତା ବାହାର ବୋଲି କହିଛି ସିନ୍ଧେ ଗୋଷ୍ଠୀ । ବଧାନସଭା ଗୃହ ମଧ୍ୟରେ କୌଣସି କାର୍ଯ୍ୟାବଳୀ କିମ୍ବା ବ୍ୟତିକ୍ରମ ପାଇଁ ବାଚସ୍ପତି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି କରିପାରିବେ । କିନ୍ତୁ ଦଳୀୟ ଅନୁପସ୍ଥିତିରେ ବାଚସ୍ପତି କିପରି ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନୋଟିସ ଜାରି କଲେ ତାକୁ ନେଇ ସିନ୍ଧେଙ୍କ ଗୋଷ୍ଠୀ ପ୍ରଶ୍ନ ଉଠାଇଛି ।
ଏହାରି ମଧ୍ୟରେ ଅନ୍ୟ ଏକ ଘଟଣାକ୍ରମରେ ମଧ୍ୟ ଶିବସେନା ବିଧାୟକ ଦଳ ନେତା ପଦରୁ ଏକନାଥଙ୍କୁ ଅପସରାଣ କରି ତାଙ୍କ ତାଙ୍କର ବିଜୟ ଚୌଧୁରୀଙ୍କୁ ଦାୟିତ୍ବ ଦେବାକୁ ଅସାମ୍ବିଧାନିକ ବୋଲି କହିଛି ସିନ୍ଧେ ଗୋଷ୍ଠୀ । ଏହାକୁ ରଦ୍ଦ କରିବା ସହ ତାଙ୍କୁ ଶିବସେନାର ବିଧାୟକ ଦଳ ନେତା ଭାବେ ସ୍ବୀକାର କରିବା ପାଇଁ ପିଟିସନରେ ଉଲ୍ଲେଖ କରିଛନ୍ତି । ମହାରାଷ୍ଟ୍ର ସରକାର ତାଙ୍କ ସମର୍ଥିତ ବିଧାୟକଙ୍କୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇବା ସହ ତାଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରନ୍ତୁ ବୋଲି ସିନ୍ଧେଙ୍କ ପିଟିସନରେ ଦାବି ରହିଛି ।
କୌଣସି ଅନ୍ତିମ ମୋଡରେ ପହଞ୍ଚି ପାରୁନଥିବା ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଏବେ କୋର୍ଟଙ୍କ ଦ୍ବାରସ୍ଥ ହେବା ଆଜି ଶୁଣାଣି ପାଇଁ ତାରିଖ ସ୍ଥିର କରାଯାଇଛି । ଏହାରି ମଧ୍ୟରେ ଆଜି ସର୍ବୋଚ୍ଚ କୋର୍ଟଙ୍କ ରାୟ ମଧ୍ୟ ଘଟଣାର ମୋଡକୁ ସମ୍ପୂର୍ଣ୍ଣ ବଦାଳାଇ ଦେଇପାରେ । ଉପବାଚସ୍ପତିଙ୍କ କ୍ଷମତା ତଥା ଅନ୍ୟ ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟ କ’ଣ ରାୟ ଶୁଣାଉଛନ୍ତି ତାକୁ ସମଗ୍ର ଦେଶର ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ