ମୁମ୍ବାଇ: ସମ୍ଭାବ୍ୟ ଦଳବଦଳ ଚର୍ଚ୍ଚାରେ ଥିବା ବରିଷ୍ଠ ଏନସିପି ନେତା ଅଜିତ ପାୱାର ଆଜି ମହାବିକାଶ ଅଗାଡି ମେଣ୍ଟ ସମ୍ପର୍କରେ ମୁଁହ ଖୋଲିଛନ୍ତି । କହିଛନ୍ତି ମହା ବିକାଶ ଆଗାଡି (MVA) ମିଳିତ ମଞ୍ଚ ଅକ୍ଷୁର୍ଣ୍ଣ ରହିବ ଏବଂ ସେଥିପାଇଁ ଆବଶ୍ୟକ ଉଦ୍ୟମ ମଧ୍ୟ ଜାରି ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଶରଦ ପାୱାରଙ୍କ ଇସ୍ତଫା ଏବଂ ସେ ଏନସିପି ମୁଖ୍ୟ ଭାବେ ଦାୟିତ୍ବରେ ରହିବା ପ୍ରସଙ୍ଗ ଶେଷ ହୋଇଛି । ଏ ସମ୍ପର୍କରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ ।
ପୁଣେର ବାରାମତିରେ ସାମ୍ବାଦିକ ସମ୍ମିଳନୀରେ, ଶୁକ୍ରବାର ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଅନୁପସ୍ଥିତିକୁ ନେଇ ଜାରି ରହିଥିବା କଳ୍ପନା ଜଳ୍ପନାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ତାଙ୍କର ଅନୁପସ୍ଥିତ ରହିବା ପଛରେ ସେପରି କିଛି କାରଣ ନଥିବା କହିଥିଲେ ଅଜିତ । ଶରଦ ଦଳ ମୁଖ୍ୟ ଭାବେ ନିଜ ଇସ୍ତଫା ଫେରାଇ ନେବା ପରେ ସେ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି କି ପ୍ରଶ୍ନରେ ଅଜିତ କହିଛନ୍ତି, ମହାବିକାଶ ଅଗାଡି (MVA) ପୂର୍ବରୁ ଥିଲା । ଏହା ଆଗକୁ ମଧ୍ୟ ଅକ୍ଷୁର୍ଣ୍ଣ ରହିବ । ମିଳିତ ମଞ୍ଚକୁ ମଜବୁତ କରିବା ପାଇଁ ଏବେ ମଧ୍ୟ କାର୍ଯ୍ୟ ଜାରି ରହିଛି ।
ମହାବିକାଶ ଅଗାଡି ମେଣ୍ଟରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ, ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପି ଏବଂ କଂଗ୍ରେସ ରହିଛନ୍ତି । ସେହିପରି ଏନସିପି ମୁଖ୍ୟ ପଦରୁ ଇସ୍ତଫା ଦେବା ପୂର୍ବରୁ ସେ ଶରଦ ପାୱାରଙ୍କ ଇସ୍ତଫା ନିଷ୍ପତ୍ତିକୁ ସମର୍ଥନ କରିଥିବା ଚର୍ଚ୍ଚାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ତାଙ୍କ ଅନୁପସ୍ଥିତ ପ୍ରଶ୍ନରେ ସେ ପାଲଟା ପ୍ରଶ୍ନ କରିଥିଲେ । କହିଥିଲେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏନସିପିର ସମସ୍ତ ନେତା ଉପସ୍ଥିତ ଥିଲେ କି ? ଏଥିରେ ରାଜ୍ୟ ଏନସିପି ମୁଖ୍ୟ ଜୟନ୍ତ ପାଟିଲ, ପ୍ରଫୁଲ୍ଲ ପଟେଲ ପ୍ରମୁଖ କିଛି ନେତା ହିଁ ଉପସ୍ଥିତ ଥିଲେ ।
ଅଜିତ କହିଛନ୍ତି ଯେ ଯେହେତୁ ଶରଦ ପାୱାର ତାଙ୍କ ସ୍ଥିତି ସ୍ପଷ୍ଟ କରିସାରିଛନ୍ତି, ତେଣୁ ତାଙ୍କ ଇସ୍ତଫା ପ୍ରସଙ୍ଗରେ ଅଧିକ ଆଲୋଚନା କରିବା ବର୍ତ୍ତମାନ ସ୍ଥିତିରେ କୌଣସି ଆବଶ୍ୟକତା ନାହିଁ । ଶରଦ ପାୱାର ହିଁ ଏନସିପିର ସର୍ବୋଚ୍ଚ ନେତା । ସେ ଯାହା ନିଷ୍ପତ୍ତି ନିଅନ୍ତି, ସମସ୍ତେ ତାହା ପାଳନ କରନ୍ତି । ତାଙ୍କ ଇସ୍ତଫା ପ୍ରସଙ୍ଗରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ । ସେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । ସେ ପୁଣି ଦଳର ସର୍ବୋଚ୍ଚ ନେତା ଭାବେ ଦାୟିତ୍ବ ତୁଲାଇବେ । ସମସ୍ତେ ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ । ତାଙ୍କର ରାଜନୈତିକ ଗତି ନେଇ ଯେଉଁ ଚର୍ଚ୍ଚା ଲାଗି ରହିଛି, ତାହା ଭିତ୍ତିହୀନ । ସେ ଏବେ ଏନସିପିରେ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ