ଭୋପାଳ: କୋରୋନା ମହାମାରୀ କାଳରେ ସ୍ବାସ୍ଥ୍ୟକର୍ମୀଙ୍କ ଭଳି ସେବା ଯୋଗାଇ ଆସିଛନ୍ତି ଗଣମାଧ୍ୟମ ପ୍ରତିନିଧି । ଦିନରାତି 24 ଘଣ୍ଟା ଦେଶବିଦେଶର ଖବର ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି । ମହାମାରୀ ସମୟରେ ସାମ୍ବାଦିକଙ୍କ ଏହି ସେବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପରେ ମଧ୍ୟପ୍ରଦେଶ ସରକାର ତଥା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସାମ୍ବାଦିକମାନଙ୍କୁ ସୋମବାର କୋରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ।
ମଧ୍ୟପ୍ରଦେଶରେ କୋରୋନା ଟିକା ଉପଲବ୍ଧ ନଥିବାରୁ 18 ବର୍ଷରୁ 45 ବର୍ଷ ଯୁବବର୍ଗଙ୍କ ଟୀକାକରଣ ବନ୍ଦ ରଖିଛନ୍ତି ଚୌହାନ । ଏ ସମ୍ପର୍କରେ ସେ ଗତ ଗୁରୁବାର ସୂଚନା ଦେଇଥିଲେ । ସ୍ବଦେଶୀ କୋରୋନା ଟିକା ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ଟିକା ଯୋଗାଇବା ପାଇଁ ମଧ୍ୟପ୍ରଦେଶ ସରକାର କହିଛନ୍ତି । ତେବେ ସେମାନେ ବର୍ତ୍ତମାନ ଟିକା ଯୋଗାଇବାରେ ଅସମର୍ଥ ଥିବାରୁ ଏହି ଯୁବବର୍ଗଙ୍କ ଟୀକାକରଣ ରାଜ୍ୟରେ ବନ୍ଦ ରହିଛି ।
ଏହାରି ମଧ୍ୟରେ ଗତ 24 ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶରେ 12 ହଜାର 662 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 75 ହଜାର 706ରେ ପହଞ୍ଚିଛି । ସୂଚନା ଥାଉ କି ଆମ ରାଜ୍ୟ ସରକାରଙ୍କ ସମେତ ବିହାର ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ । କାର୍ଯ୍ୟରତ ସାମ୍ବାଦିକଙ୍କ କୋରୋନା ମହାମାରୀରେ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ 5 ଲକ୍ଷ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।
@ANI