ଭୋପାଳ: ଇତିହାସ ରଚିଲେ ମଧ୍ୟ ପ୍ରଦେଶ ଦେମୋହ ଜିଲ୍ଲା ନରସିଂହଗଡ଼ର ଯୁବକ ରକ୍ଷିତ ଶ୍ରୀବାସ୍ତବ । ଲଦ୍ଦାଖରୁ ଯାତ୍ରା ଆରମ୍ଭ କରି ୫୨୦୦ କିମି ଅତିକ୍ରମ କରି କନ୍ୟାକୁମାରୀରେ ଯାତ୍ରା ଶେଷ କରିଛନ୍ତି । ଏଥିପାଇଁ ୨୧୮ ଦିନ ସମୟ ଲାଗିଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରକ୍ଷିତଙ୍କ ଗୋଟିଏ ଗୋଡ଼ରେ ଷ୍ଟିଲ୍ ରଡ୍ ଲାଗିଛି । ଏହାସତ୍ତ୍ବେ ସେ ଏଭଳି ପଦଯାତ୍ରା ପୂର୍ଣ୍ଣ କରିବାରେ ସଫଳ ହୋଇଛନ୍ତି ।
ଦୁଇ ବର୍ଷ ପୂର୍ବରୁ ଏକ ଦୁର୍ଘଟଣାର ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ବେଳେ ତାଙ୍କ ଗୋଡ଼ରେ ଷ୍ଟିଲ୍ ରଡ୍ ଲଗାଇବାକୁ ପଡ଼ିଥିଲା । ସେ ସେଫ୍ ଟୁରିଜିମ୍ର ନାରା ନେଇ ଉତ୍ତର ଭାରତରୁ ନିଜ ଯାତ୍ରା ଆରମ୍ଭ କରିଥିଲେ । ଏଥିପାଇଁ ଲଦ୍ଦାଖ୍କୁ ଯାତ୍ରା ଆରମ୍ଭ କରିବାକୁ ସେ ନିଷ୍ପତ୍ତି ନେଇଥିଲେ । ସେପ୍ଟେମ୍ବର ୨୨ ତାରିଖ ୨୦୨୧ରୁ ସେ ଯାତ୍ରା ଆରମ୍ଭ କରିଥିଲେ । ରକ୍ଷିତଙ୍କ ଏଭଳି ଏକ ଚ୍ୟାଲେଞ୍ଜକୁ କେହି ବିରୋଧ କରିନଥିଲେ । ୨୦୨୨ ଏପ୍ରିଲ ୨୮ ତାରିଖରେ ରକ୍ଷିତଙ୍କ ଏହି ଯାତ୍ରା ଶେଷ ହୋଇଥିଲା ।
ଏଭଳି ଏକ ଯାତ୍ରା ଶେଷ କରିବା ପରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପାଇଁ ଆବେଦନ କରିଛନ୍ତି ରକ୍ଷିତ । ଏହାଛଡ଼ା ୱାର୍ଲଡ୍ ବୁକ୍ ଅଫ୍ ରେକର୍ଡରେ ତାଙ୍କୁ ସାମିଲ କରାଯାଇ ସାରିଛି । ଏହାକୁ ନେଇ ପ୍ରମାଣ ପତ୍ର ୧୨ ସପ୍ତାହ ମଧ୍ୟରେ ମିଳିବ ବୋଲି କହିଛନ୍ତି ରକ୍ଷିତ । ଭାରତରେ ପର୍ଯ୍ୟଟନ କ୍ଷେତ୍ର ଭରି ରହିଛି । ଏହି ପର୍ଯ୍ୟଟନ କ୍ଷେତ୍ର ବୁଲିବାରେ ସମସ୍ତେ ସୁରକ୍ଷିତ ମନେ କରିବା ଦରକାର ବୋଲି ବିଶ୍ବାସ ଦେବାକୁ ରକ୍ଷିତ ଏହି ଯାତ୍ରା କରିଛନ୍ତି ।