ଭୋପାଲ: ଆସନ୍ତାକାଲି(ଶୁକ୍ରବାର) ଗୋଟିଏ ପର୍ଯ୍ୟାୟରେ ଭୋଟ ଦେବାକୁ ଯାଉଥିବା ମଧ୍ୟ ପ୍ରଦେଶରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ଆଜି ମଧ୍ୟରେ ଜବତ ଟଙ୍କା ଓ ଅନ୍ୟ ସାମଗ୍ରୀର ପରିମାଣ ରେକର୍ଡ ଭାଙ୍ଗିଛି । ରାଜ୍ୟରେ ମୋଟ 3 ଶହ କୋଟି ମୂଲ୍ୟର ନଗଦ ଟଙ୍କା ଓ ମଦ ଜବତ ହୋଇଛି । ଏହି ମାମଲା ଗୁଡିକରେ ଏକାଧିକ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଛନ୍ତି । ନିର୍ବାଚନ କମିଶନ ଓ ରାଜ୍ୟ ପୋଲିସ ମିଳିତ କାର୍ଯ୍ୟାନୁଷ୍ଠାନରେ ଏହି ସଫଳତା ମିଳିଛି ।
ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁପନ ରାଜନଙ୍କ ତଥ୍ୟ ଅନୁସାରେ, ଅକ୍ଟୋବର 21 ତାରିଖରେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଏହା ପରେ ନିର୍ବାଚନ ଆୟୋଗ ଓ ପୋଲିସ ଗଠନ କରିଥିବା ମନିଟରିଂ ଟିମ୍ ବିଭିନ୍ନ ସ୍ଥାନରେ ନିୟମିତ ଚଢାଉ କରିଥିଲେ । ଏକାଧିକ ସ୍ଥାନରେ ରୁଟିନ୍ ଚେକିଂ ମଧ୍ୟ ହୋଇଥିଲା । ଏଥିରେ ମୋଟ 331 କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିବାନୁସାରେ, ଗତ ନିର୍ବାଚନ ତୁଳନାରେ ଏହି ଜବତ ରାଶି ସଂଖ୍ୟା ପ୍ରାୟ ଚାରି ଗୁଣ ।
ଜବତ ରାଶି ମଧ୍ୟରେ 38.49 କୋଟି ନଗଦ ରାଶି ରହିଛି । ବେଆଇନ ମଦ 62.9 କୋଟି, ଅନ୍ୟାନ୍ୟ ନିଶା ଦ୍ରବ୍ୟ 17.2 କୋଟି, ଅଳଙ୍କାର 92.74 କୋଟି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ 121.61 କୋଟି ଟଙ୍କା ମୂଲ୍ୟର ରହିଛି । ଯାହାର ମୋଟ ମୂଲ୍ୟ 331.97 କୋଟି ଟଙ୍କା ଆକଳନ କରାଯାଇଛି । ଗତ ବିଧାନସଭା ନିର୍ବାଚନ (2018)ରେ ନିର୍ବାଚନ ଆଚରଣ ସଂହିତା ଲାଗୁ ସମୟରେ 72 କୋଟି 93 ଲକ୍ଷ ଟଙ୍କା ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ଜବତ କରାଯାଇଥିଲା ।
ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ସମସ୍ତ 230 ଆସନରେ ଭୋଟଗ୍ରହଣ ଶେଷ ହେବ । ସକାଳ 7ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସଂଧ୍ୟା 5.30ରେ ଶେଷ ହେବା ନେଇ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ହୋଇଛି । ମୋଟ 5 କୋଟି 60 ଲକ୍ଷ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଯାଉଥିବା ବେଳେ ମୈଦାନରେ ମୋଟ 2,533 ପ୍ରାର୍ଥୀ ରହିଛନ୍ତି । 17 ହଜାର ବୁଥକୁ ସମ୍ବେଦନଶୀଳ ଶ୍ରେଣୀଭୁକ୍ତ ରଖାଯାଇଛି । ସମସ୍ତ ବୁଥରେ ସଶସ୍ତ୍ର ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ । ମୋଟ ବୁଥର ପ୍ରାୟ 50 ପ୍ରତିଶତ (ପ୍ରାୟ 35 ହଜାର) ବୁଥରେ ଭୋଟିଂ ପ୍ରକ୍ରିୟାର ଓ୍ବେବକାଷ୍ଟିଂ ମଧ୍ୟ ହେବାର ବ୍ୟବସ୍ଥା ହୋଇଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ