ପାଟନା: ଛଟ ଘାଟରେ ପ୍ରେମିକା ଭେଟିବାକୁ ଆସିଥିବା ପ୍ରେମିକକୁ ପିଟିପିଟି ମାରିଦେଲେ ଲୋକେ । ବିହାର ମୁଜାଫରପୁର ଜିଲ୍ଲାରେ ଏଭଳି ଏକ ଦୁଃଖଦ ଓ ଜଘନ୍ୟ ଘଟଣା ଘଟିଛି । ଖାଲି ସେତିକି ନୁହେଁ ଏହି ଆକ୍ରମଣରେ ଯୁବକଙ୍କ ସାଥିରେ ଥିବା ଜଣେ ଯୁବକ ଗୁରୁତର ଭାବରେ ଆହତ ହୋଇଛନ୍ତି(Mob Lynching in Muzaffarpur) । କେତେକ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଖସି ନିଜ ଜୀବନ ବଞ୍ଚାଇଛନ୍ତି ।
ମୃତକ ମୁଜାଫରପୁର ସହର ବ୍ରହ୍ମପୁରା ଇଲାକାର ମହମ୍ମଦ ଅୟାନ ବୋଲି ଜଣା ପଡ଼ିଛି । ଗତ ରବିବାର ମୃତକ ପ୍ରେମିକାକୁ ଭେଟିବାକୁ କିଛି ବନ୍ଧୁଙ୍କ ସହ ଛଟ ଘାଟରେ ପହଞ୍ଚିଥିଲା । ଯୁବକଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ କିଛି ସ୍ଥାନୀୟ ଲୋକ ଧରି ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ଅୟାନଙ୍କୁ ବଞ୍ଚାଇବାକୁ ଯାଇଥିବା ତାଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିଲେ ଉପସ୍ଥିତ ଲୋକେ । ଅୟାନଙ୍କ ଅନ୍ୟ ବନ୍ଧୁ ସେଠାରୁ ଫେରାର ହେବାକୁ ସକ୍ଷମ ହୋଇଥିଲେ ।
ଏହି ମାରିପିଟରେ ଘଟଣାସ୍ଥଳରେ ହିଁ ମହମ୍ମଦ ଅୟାନଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହାକୁ ନେଇ ପୋଲିସ ମୃତକଙ୍କ ପରିବାରବର୍ଗଙ୍କ ବୟାନ ରେକର୍ଡ କରିଛି । ଘଟଣାସ୍ଥଳରେ କାଣ୍ଟି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ଥାନୀୟ ହସ୍ପିଟାଲ୍ରେ ଅୟାନଙ୍କ ବନ୍ଧୁଙ୍କ ଚିକିତ୍ସା ଜାରି ରହିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା କୁହାଯାଉଛି । ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ବର୍ଗ ବ୍ରହ୍ମପୁରା ଥାନା ଅଞ୍ଚଳର ଛକରେ ଧାରଣା ଦେଇ ରାସ୍ତା ଅବରୋଧ କରିଥିଲେ । ଘଟଣାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାରବର୍ଗ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କ ଆଲୋଚନା ପରେ ଧାରଣା ହଟିଥିଲା । ରାସ୍ତା ଅବରୋଧ ଯୋଗୁଁ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।