ହାଇଦ୍ରାବାଦ: ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ବାହାରେ ବ୍ରିଟିଶ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ ସୁଦ୍ଧା ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତରେ ରୋକ୍ ଲଗାଇ ପାରିନାହିଁ । ଆଜି କ୍ରମାଗତ 3 ଦିନରେ ଖଲିସ୍ତାନୀ ସମର୍ଥକମାନେ ଭାରତୀୟ ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସ ବାରିକେଡ ପାଇଁ ଦୂତାବାସ ପାଖକୁ ଯିବାରେ ସକ୍ଷମ ହୋଇପାରୁନଥିବା ଖଲିସ୍ତାନୀ ସମର୍ଥକମାନେ ଆଜି ଦୂତାବାସ କାର୍ଯ୍ୟାଳୟକୁ ଅଣ୍ଡା ଓ ପାଣି ବୋତଲ ମାଡ କରିଛନ୍ତି । ଦୂତାବାସର ବିଭିନ୍ନ ସ୍ଥାନ ଅଣ୍ଡା ମାଡରେ କ୍ଷତିଗ୍ରସ୍ତ ହୋଇଛି । ଘଟଣା ପରେ ଲଣ୍ଡନ ମେଟ୍ରୋପଲିଟିଆନ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଇ ଦିଆଯାଇଛି ।
ଲଣ୍ଡନ ଘଟଣା ପରେ ଦିଲ୍ଲୀରେ ଥିବା ବ୍ରିଟିଶ ହାଇକମିଶନରୁ ପୋଲିସ ବାରିକେଡ ହଟାଇ ନିଆଯିବା ପରେ ଲଣ୍ଡନ ପୋଲିସ ଭାରତୀୟ ଦୂତାବାସର ସୁରକ୍ଷା ପାଇଁ ସମ୍ବେଦନଶୀଳତା ଦେଖାଇଥିଲା । ଦୂତାବାସ ବାହାରେ ବାରିକେଡ କରାଯିବା ସହ ସଶସ୍ତ୍ର ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ । ପୋଲିସ ଲଗାଇଥିବା ବାରିକେଡ ମଧ୍ୟରେ ରହି ଗତକାଲି ଖଲିସ୍ତାନୀ ସମର୍ଥବାଦୀମାନେ ଭାରତ ବିରୋଧୀ ନାରା ଓ ଖଲିସ୍ତାନୀ ସପକ୍ଷବାଦୀ ନାରା ଦେଇଥିଲେ । ହେଲେ ଆଜି ସେମାନେ ପୁଣି ଦୂତାବାସ ସମ୍ମୁଖରେ ଏକାଠି ହେବା ସହ ଅଣ୍ଡା ଓ ପାଣି ବୋତଲ ମାଡ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ :-ଲଣ୍ଡନ ପରେ ଆମେରିକା, ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ
ପଞ୍ଜାବର ଖଲିସ୍ତାନୀ ସପକ୍ଷବାଦୀ ଗୋଷ୍ଠୀ ‘ପଞ୍ଜାବ ଓ୍ବାରିସ ଦେ’ ମୁଖ୍ୟ ଅମ୍ରିତପାଲ ସିଂ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ପରେ କେବଳ ଲଣ୍ଡନ ନୁହେଁ ବରଂ ଆମେରିକାର ସାନ୍ ଫ୍ରାନ୍ସିସକୋରେ ଥିବା ଭାରତୀୟ ଦୂତାବାସ ଉପରେ ମଧ୍ୟ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଛନ୍ତି । ଅନୁରୂପ ଲଣ୍ଡନ ପରି ସେଠାରେ ମଧ୍ୟ ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯିବା ସହ ତ୍ରିରଙ୍ଗାକୁ ଅସମ୍ମାନ କରିଥିଲେ । କାର୍ଯ୍ୟାଳୟ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପ୍ରଘଟ ହେବା ପରେ ସେଠାରେ ଥିବା ପ୍ରବାସୀ ଭାରତୀୟ ସମୁଦାୟ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା । ବାଇଡେନ ପ୍ରଶାସନ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଥିଲେ । ହେଲେ ଆମେରିକାରେ ଏହି ଆକ୍ରମଣର ପୁନରାବୃତ୍ତି ଘଟିନଥିବା ବେଳେ ଲଣ୍ଡନରେ କିନ୍ତୁ କ୍ରମାଗତ ଖଲିସ୍ତାନୀଙ୍କ ବିକ୍ଷୋଭ ପ୍ରଦର୍ଶନ ଓ ହିଂସା ଜାରି ରହିଛି । ଆଜି ଦୂତାବାସ କାର୍ଯ୍ୟାଳୟକୁ ଅଣ୍ଡାମାଡ ସହ ପାଣି ବୋତଲ ମାଡ କରିଛନ୍ତି ଏହି ଖଲିସ୍ତାନୀ ସମର୍ଥକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ