ନୂଆଦିଲ୍ଲୀ: ଇମେଲ, ସୋସିଆଲ ମିଡିଆ, କମ୍ପାନୀ ପ୍ରୋଫାଇଲ ଠାରୁ ଆରମ୍ଭ କରି ବ୍ୟାଙ୍କ୍ ଆକାଉଣ୍ଟ ପର୍ଯ୍ୟନ୍ତ ସବୁକିଛି ଖୋଲିବାକୁ ହେଲେ ପାସୱାର୍ଡର ନିହାତି ଆବଶ୍ୟକତା ରହିଛି। ଏହି ପାସୱାର୍ଡ ହିଁ ଆପଣଙ୍କର ସମସ୍ତ ଡାଟା ଓ ଅନ୍ୟାନ୍ୟ ସୂଚନାକୁ ସୁରକ୍ଷିତରେ ରଖେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ସାରା ବିଶ୍ୱର ଅଧିକାଂଶ ଉପଭୋକ୍ତା ଏଥିପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ। ଏକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ସବୁଠାରୁ ସାଧାରଣ ଏବଂ ଖରାପ ପାସୱାର୍ଡର ତାଲିକା ଦର୍ଶାଯାଇଛି ।
ନୋର୍ଡପାସ (NordPass)ର ସୂଚନା ମୁତାବକ ‘123456’ ପାସୱାର୍ଡ 2020ରେ ସବୁଠାରୁ ଅଧିର ବ୍ୟବହାର କରାଯାଇଛି। ଯାହା 23 ମିଲିୟନରୁ ଅଧିକ ଅର୍ଥାତ 2.3 କୋଟି ଥର ହ୍ୟାକ୍ ହୋଇଛି । ବାର୍ଷିକ ରିପୋର୍ଟରେ ଏହାର ସୂଚନା ଦେଇଛନ୍ତି ପାସୱାର୍ଡ ମ୍ୟାନେଜର ନୋର୍ଡପାସ (NordPass) ।
ସବୁଠାରୁ 2ଶହ ଖରାପ ପାସୱାର୍ଡର ତାଲିକା ଜାରି
ବିଶେଷଜ୍ଞଙ୍କ ମତରେ ‘123456’ ଏହି ପାସୱାର୍ଡକୁ ଲକ୍ଷଲକ୍ଷ ଲୋକ ବ୍ୟବହାର କରୁଛନ୍ତି। ଆଉ ହ୍ୟାକରଙ୍କୁ ଏହି ପାସୱାର୍ଡକୁ ହ୍ୟାକିଂ କରିବା ପାଇଁ 1 ସେକେଣ୍ଡରୁ କମ ସମୟ ଲାଗିଥାଏ। ଯାହା ଫଳରେ ସେ ଆପଣଙ୍କର ଆକାଉଣ୍ଟକୁ ନିଜ ନିୟନ୍ତ୍ରଣକୁ ନେବା ସହ ଅପବ୍ୟବହାର କରିଥାନ୍ତି। ହ୍ୟାକରମାନେ ଏହି ଭଳି ଆପଣଙ୍କ ଆକାଉଣ୍ଟ ମଧ୍ୟ ଖାଲି କରି ଦେଇପାରନ୍ତି । ଏହିଭଳି ଭାବରେ 2ଶହ ପାସୱାର୍ଡ ତାଲିକା ଜାରି କରାଯାଇଛି। ସେହିପରି ‘123456789’ ଦ୍ୱିତୀୟ ଓ ‘picture1’ ତୃତୀୟ ସ୍ଥାନରେ ରହିଛି।
ନୋର୍ଡପାସ (NordPass)ର କହିବା ଅନୁଯାୟୀ, ୟୁଜର୍ସମାନେ ଏମିତି ସହଜିଆ ପାସୱାର୍ଡ ଦିଅନ୍ତି ଯାହାକୁ ସେମାନେ ସହଜରେ ମନେ ରଖିପାରନ୍ତି। କିନ୍ତୁ ୟୁଜର୍ସ ମନେ ରଖିବା ଜରୁରୀ, ସେ ବ୍ୟବହାର କରୁଥିବା ସହଜିଆ ପାସୱାର୍ଡ ହିଁ ତାଙ୍କ ପାଇଁ କାଳ ହୋଇପାରେ ।
କେହିକେହି ପାସୱାର୍ଡକୁ ‘password’ ଏବଂ ‘delete’ ରଖନ୍ତି। ‘123456', ‘123456789', ‘picture1', ‘password', ‘12345678', ‘111111', ‘123123', ‘12345', ‘1234567890', ‘senha', ‘1234567', ‘qwerty', ‘abc123', ‘Million2', ‘000000', ‘1234', ‘iloveyou', ‘aaron431', ‘password1' ଏବଂ ‘qqww1122' ଏହି 20ଟି ପାସୱାର୍ଡକୁ ହ୍ୟାକର ମାନେ ଖୁବ ସହଜରେ ଓ କମ୍ ସମୟ ମଧ୍ୟରେ ହ୍ୟାକିଂ କରନ୍ତି।
ଏହା ବ୍ୟତୀତ ନିଜ ନାମ ସହିତ ଜନ୍ମତାରିଖ ଦେଇ କେହିକେହି ପାସୱାର୍ଡ ରଖନ୍ତି। ଉଦାହରଣ ‘Aaron1988’ ଏଭଳି ପାସୱାର୍ଡକୁ 90 ହଜାରୁ ଉର୍ଦ୍ଧ ୟୁଜର୍ସ ବ୍ୟବହାର କରୁଛନ୍ତି । ସେହିପରି 'chocolate' କୁ 21,409, 'pokemon' କୁ 37 ହଜାର ଏବଂ 'iloveyou' ପାସୱାର୍ଡ 17ତମ ସ୍ଥାନରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ