ଲକ୍ଷ୍ନୌ: ପୁଣି ଚର୍ଚ୍ଚାରେ ଉତ୍ତରପ୍ରଦେଶ ଲଖୀମପୁର ଖେରି । ଏଠାରେ ଜଣେ ଲାଇନମ୍ୟାନ ନିଜ ଶରୀରରେ ନିଆଁ ଲଗାଇ କରିଛି ଆତ୍ମହତ୍ୟା । ମୃତ୍ୟୁ ପୂର୍ବରୁ ସେ ଜେଇ(ଜୁନିଅର ଇଞ୍ଜିନିୟର)ଙ୍କ ବିରୋଧରେ ଅଭିଯାଗ ଆଣିଛନ୍ତି । ବଦଳି ପାଇଁ କହିବା ପରେ ଉକ୍ତ ଜେଇ ଜଣକ ତାଙ୍କୁ ଲାଞ୍ଚ ମାଗିବା ସହିତ ଲାଇନମ୍ୟାନର ପତ୍ନୀଙ୍କ ସହିତ ରାତି ବିତାଇବା ପାଇଁ କହିବା ପରେ ଏପରି ଆତ୍ମହତ୍ୟା ଉଦ୍ୟମ କରିଥିବା ମୃତ୍ୟୁ ପୂର୍ବରୁ ମୃତକ ଅଭିଯୋଗ କରିଥିବା କହିଛି ପୋଲିସ ।
ମୃତକ ଲାଇନମ୍ୟାନର ପତ୍ନୀ ମଧ୍ୟ ଠିକ ସମାନ ଅଭିଯୋଗ ଆଣିଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପାଇଁ ସେ ସମ୍ପୃକ୍ତ ଜେଇଙ୍କୁ ଦାୟୀ କରିଛନ୍ତି । ଲଖୀମପୁର ଖେରି ଜିଲ୍ଲାର ପଲିୟା ଅଞ୍ଚଳରେ ଏହି ଘଟଣା ପାଇଁ ସମ୍ପୃକ୍ତ ଜେଇ ନାଗେନ୍ଦ୍ର ଶର୍ମାଙ୍କୁ ନିଲମ୍ବିତ କରାଯାଇଛି । ଏହାବ୍ୟତୀତ ଅନ୍ୟ ଜଣେ ଲାଇନମ୍ୟାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପାୱାର କର୍ପୋରେସନର ଲାଇନମ୍ୟାନ ସଂଘ ଏହା ବିରୁଦ୍ଧରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁସାରେ ଖେରି ଜିଲ୍ଲାର ଭାରତ ନେପାଳ ସୀମାବର୍ତ୍ତୀ ଅଞ୍ଚଳ ମହଙ୍ଗାପୁରରେ ଲାଇନମ୍ୟାନ ଗୋକୁଳ ଯାଦବଙ୍କ ବଦଳି ପ୍ରଥମେ ଆଲିଗଞ୍ଜ କରାଯାଇଥିଲା । ଗୋକୁଳ ନିଜ ପତ୍ନୀ ଓ ୪ ସନ୍ତାନଙ୍କ ସହିତ ପଲିୟାରେ ରହୁଥିଲେ । ତେବେ ସେ ପଲିୟା ଟ୍ରାନ୍ସଫର ପାଇଁ ଜେଇଙ୍କୁ ଅନୁରୋଧ କରୁଥିଲେ । ମାତ୍ର ଜେଇ ଜଣକ ଏହା ପ୍ରତି କର୍ଣ୍ଣପାତ କରୁନଥିଲେ । ଏହି ଘଟଣାରେ ଶନିବାର ଲାଇନମ୍ୟାନ ଗୋକୁଳ ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି ।
ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ରବିବାର ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ପୂର୍ବରୁ ଗୋକୁଳ ବୟାନ ଦେଇଥିଲେ ଯେ ଜେଇ ନାଗେନ୍ଦ୍ର ଟ୍ରାନ୍ସଫର ପାଇଁ ତାଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ସହ ଗୋକୁଳଙ୍କ ପତ୍ନୀ ସହ ରାତି ବିତାଇବା ପାଇଁ ମଧ୍ୟ କହୁଥିଲେ । ଏଥିଲାଗି ସେ ଆତ୍ମାହୂତି ଦେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ