ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର 25 ତମ ପ୍ରତିଷ୍ଠା ଦିବସରେ ପାଳନ ହେଉଛି ରୌପ୍ୟ ଜୟନ୍ତୀ । ଏହି ଅବସରରେ 3 ବର୍ଷ ପରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ । ସ୍ବାସ୍ଥ୍ୟ ଖରାପ ଯୋଗୁଁ ଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ପାଟନାରେ ଆୟୋଜିତ ରୌପ୍ୟ ଜୟନ୍ତୀ ସମାରୋହକୁ ସମ୍ବୋଧନ କରିଛନ୍ତି ଲାଲୁ ।
ସମ୍ବୋଧନରେ ଲାଲୁ ନିଜ ସଂଘର୍ଷକୁ ସ୍ମରଣ କରିଛନ୍ତି । ଏହାସହ ନିର୍ବାଚନ ସମୟରେ ପ୍ରଚାର କରିପାରିନଥିବାରୁ ଛଟପଟ ହୋଇ ରହିଥିବା କହିଛନ୍ତି ଲାଲୁ ।
ଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରି ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି, ସେ ନିଜ ରାଜନୀତି କ୍ୟାରିଅର ଆରମ୍ଭ କରିବା ଦିନରୁ ସମସ୍ତ ନିର୍ବାଚନରେ ସାମିଲ ହୋଇଥିଲେ । ଦଳ ପାଇଁ ପ୍ରଚାର କରିଥିଲେ । ହେଲେ ଗତ ଥର ଯେବେ ବିହାର ନିର୍ବାଚନ ସମୟରେ ଉପସ୍ଥିତ ନଥିଲେ, ସେବେ ଛଟପଟ ହୋଇ ରହିଥିଲେ ଲାଲୁ । ପ୍ରଚାର କରିପାରିନଥିବାରୁ ଯାଦବ ନିଜ ଦୁଃଖ ବ୍ୟକ୍ତ କରିଛନ୍ତି ।
ଲାଲୁ ଆରଜେଡି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ମଣ୍ଡଳ ଆନ୍ଦୋଳନ ବିଷୟରେ କହିଛନ୍ତି । ସମାଜରେ ବଞ୍ଚିତଙ୍କୁ ପ୍ରଥମଥର ସରକାରରେ ବୁଥ ପର୍ଯ୍ୟନ୍ତ ଯିବାର ସୁଯୋଗ ମିଳିଥିବା କହିଛନ୍ତି ଲାଲୁ ।
ଆରଜେଡିର ଭବିଷ୍ୟତ ଉଜ୍ବଳ ଥିବା ଦାବି କରିଛନ୍ତି ଲାଲୁ । ସେ କହିଛନ୍ତି, ପାଞ୍ଚ-ପାଞ୍ଚ ପ୍ରଧାନମନ୍ତ୍ରୀକୁ ଦେଖିଛି । ଆଉ ସେମାନଙ୍କୁ ତିଆରି କରିବାରେ ସହଯୋଗ କରିଛି । ମୋତେ କେନ୍ଦ୍ରମନ୍ତ୍ରୀ କରାଯାଇନଥିଲା । ସେବେ ମୁଁ କିଛି କହିନଥିଲି । ହେଲେ ନୀତିଶ କୁମାର ବ୍ୟାକୁଳ ଥିଲେ, ସେଥିପାଇଁ ତାଙ୍କୁ କୃଷିମନ୍ତ୍ରୀ କରିଦିଆଗଲା ବୋଲି କହିଛନ୍ତି ଲାଲୁ ।