ପାଟନା: ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ବିହାର ବିଜେପିର ବିଧାୟକ ଲଲନ ପାଶଓ୍ବାନ (Pirpainti BJP MLA Lalan Paswan)। ଏକ କାର୍ଯ୍ୟକ୍ରମରେ ହିନ୍ଦୁ ଧର୍ମରେ ପ୍ରଚଳିତ ବିଶ୍ବାସ ଓ ପରମ୍ପରାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଏହି ବିଧାୟକଜଣଙ୍କ । ହିନ୍ଦୁ ସମାଜରେ ବର୍ଷ ବର୍ଷ ଧରି ପ୍ରଚଳିତ ଧାର୍ମିକ ବିଶ୍ବାସ ଓ ପରମ୍ପରାକୁ ଭୁଲ ଦର୍ଶାଇବା ସହ ଏହା କେବଳ ଏକ ମନସ୍ତାତ୍ବିକ ବିଶ୍ବାସ ବୋଲି ସେ ଯୁକ୍ତି କରିଥିବା ଦେଖିବାକୁ ମିଳିଥିଲା (BJP MLA controversial opinion)।
ବିଧାୟକ ଲଲନ କହିଥିଲେ, ମା ଲକ୍ଷ୍ମୀ ଧନର ଦେବୀ, କିନ୍ତୁ ମୁସଲମାନମାନେ ଏକଥା ଗ୍ରହଣ କରନ୍ତି ନାହିଁ । ତେଣୁ ସେମାନେ ଗରିବ କି ? ସେମାନଙ୍କ ମଧ୍ୟରେ କ’ଣ କୋଟିପତି କିମ୍ବା ଆରବପତି ଦେଖାଯାଆନ୍ତି ନାହିଁ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ । କେବଳ ଲକ୍ଷ୍ମୀ ନୁହନ୍ତି ଏକାଧିକ ହିନ୍ଦୁ ଦେବତାଙ୍କୁ ନେଇ ସେ ତର୍କ କରିଥିଲେ ।
ଏକ ଟେଲିଭିଜନ ବିତର୍କରେ ଅଂଶଗ୍ରହଣ କରି ବିଧାୟକ ଲଲନ, ଧାର୍ମିକ ଭାବନା ନେଇ ବର୍ଷ ବର୍ଷ ଧରି ହିନ୍ଦୁ ସମାଜରେ ଜାରି ରହିଥିବା ବିଶ୍ବାସ ପ୍ରଥାକୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ପାରମ୍ପାରିକ ବିଚାରକୁ ଛାଡିଲେ ହିଁ ତର୍କ ଆଧାରରେ ମଣିଷ ସୁଶିକ୍ଷା ପାଇପାରିବ ବୋଲି ସେ ଦାବି କରିଥିଲେ । ବିଧାୟକ ଲଲନ କହିିଥିଲେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି ଗ୍ରହଣ କରୁନଥିବା ଇସଲାମ ସମ୍ପ୍ରଦାୟର ଲୋକଙ୍କ ପାଖରେ କଣ ଧନ ନାହିଁ । ସେମାନେ କଣ ଆରବପତି ନୁହନ୍ତି ବୋଲି ସେ ଯୁକ୍ତି ବାଢିଥିଲେ (BJP MLA controversial opinion)।
ସେହିପରି ସରସ୍ବତୀଙ୍କୁ ବିଦ୍ୟାଦାତ୍ରୀ ବୋଲି ସ୍ବୀକାର କରୁନଥିବା ଇସଲାମ ଧର୍ମାବଲମ୍ବୀମାନେ କ’ଣ ଶିକ୍ଷିତ ନୁହନ୍ତି, ନା ସେମାନେ ଆଇଏଏସ ଓ ଆଇପିଏସ ହେଉନାହାନ୍ତି । ଶକ୍ତିର ଦେବତା ହନୁମାନଙ୍କୁ ଗ୍ରହଣ କରୁନଥିବା ଅନ୍ୟ ଧର୍ମର ଲୋକ କଣ ଶକ୍ତିଶାଳୀ ନୁହନ୍ତି ବୋଲି ଯୁକ୍ତି କରିଥିଲେ ବିଧାୟକ ଲଲନ ପାଶଓ୍ବାନ । ସେ ନିଜ ମାତୃ ବିୟୋଗରେ ଶ୍ରାଦ୍ଧକର୍ମକୁ ମଧ୍ୟ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଶ୍ରାଦ୍ଧ କର୍ମ ଶେଷରେ ପ୍ରଦାନ କରାଯାଉଥିବା ପଂକ୍ତି ଭୋଜନକୁ ମଧ୍ୟ ସେ ବର୍ଜନ କରିଥିଲେ । ତେବେ ବିଧାୟକଙ୍କ ଏପର ବିତଣ୍ଡା ଯୁକ୍ତି ପରେ ବିବାଦ ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ