କୋଲକାତା: ପାକିସ୍ତାନ ଗୁଇନ୍ଦା ବିଭାଗ ସହ ଲିଙ୍କ ସନ୍ଦେହରେ ବିହାରରୁ ଜଣେ ଗିରଫ । ପାକିସ୍ତାନରେ ରହୁଥିବା ଜଣେ ମହିଳାଙ୍କୁ ଭାରତର ବିଭିନ୍ନ ସହରର ଫଟୋ ଏବଂ ଭିଡିଓ ସେୟାର କରିଥିବା ଅଭିଯୋଗରେ କୋଲକାତା ଏସଟିଏଫ ଟିମ ଗିରଫ କରିଛି । ତେବେ ଗିରଫ ଅଭିଯୁକ୍ତ ଜଣକ ଭକ୍ତ ବଂଶୀ ଝା ବୋଲି ଜଣାପଡିଛି ।
ତେବେ ଏନେଇ ପୋଲିସ ଅଭିଯୁକ୍ତଙ୍କ ଘରେ ତଦନ୍ତ କରିଥିବା ବେଳେ ଏକାଧିକ ଭୋଟର ଓ ଆଧାର କାର୍ଡ ଜବତ କରିଛି । ଏଥିସହ ଉକ୍ତ ବ୍ୟକ୍ତି ଜଣକ ପାକିସ୍ତାନ ଯାଇଛନ୍ତି ନା ପାକିସ୍ତାନୀ ମହିଳା ଭାରତ ଆସିଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଲାଲବଜାର ସୂତ୍ର ଅନୁସାରେ, ଏହି ବ୍ୟକ୍ତି ଜଣକ ମୁମ୍ବାଇ, ଦିଲ୍ଲୀ ଏବଂ କୋଲକାତା ସମେତ ଭାରତର ଅନେକ ସହରକୁ ଯାତ୍ରା କରୁଥିଲେ । ତେଣୁ ସହରଗୁଡିକର ବିଭିନ୍ନ ଫଟୋ ଏବଂ ଭିଡିଓ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ସହିତ ସେୟାର କରିଥିବା ପୋଲିସ ସନ୍ଦେହ କରିଛି । ତେଣୁ ଅଧିକ ତଦନ୍ତ ପାଇଁ କୋଲକାତା ପୋଲିସ ଏସଟିଏଫର ଏକ ଟିମକୁ ବିହାରକୁ ପଠାଯାଇଛି ।
ଅନ୍ୟପଟେ ଏନେଇ କୋଲକାତା ପୋଲିସର ଏସଟିଏଫ ଦାୟିତ୍ୱରେ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ଏହା ଭାରତର ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ଆମେ ବର୍ତ୍ତମାନ ସମୟରେ ମହିଳାଙ୍କ ସ୍ଥିତି ଓ ପରିଚୟ ପ୍ରକାଶ କରୁନାହୁଁ । କିନ୍ତୁ ମହିଳା ଜଣକ ପାକିସ୍ତାନର ଗୁପ୍ତଚର ଏଜେନ୍ସି ସହିତ ସିଧାସଳଖ ଜଡିତ ।"
ଏହା ମଧ୍ୟ ପଢନ୍ତୁ-ପିଏମଓ ଅଧିକାରୀ କହି ଲୋକଙ୍କୁ ଲୁଟୁଥିଲେ, ବାନ୍ଧିଲା ୟୁପି STF
ପ୍ରକାଶ ଥାଉକି, ଅଭିଯୁକ୍ତ ଜଣକ ଏକ କୋରିୟର କମ୍ପାନୀରେ କାମ କରୁଥିଲା । ତେଣୁ କାର୍ଯ୍ୟ ସମ୍ବନ୍ଧୀୟ ପୁରା ଭାରତ ଭ୍ରମଣ କରି ସାରିଛି । ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତ ସ୍ୱତନ୍ତ୍ର ସଫ୍ଟୱେୟାର ବ୍ୟବହାର କରି ପାକିସ୍ତାନକୁ ଚିତ୍ର ଏବଂ ଭିଡିଓ ପଠାଉଥିଲା । ବିହାରରେ ରହୁଥିଲେ ମଧ୍ୟ ଭକ୍ତ ବଂଶୀ ଝା ଅନେକ ଥର କୋଲକାତା ଗସ୍ତ କରିଛନ୍ତି ଏବଂ ଗତ ତିନିମାସ ମଧ୍ୟରେ ଝା କୋଲକାତାର ଅନେକ ସ୍ଥାନରେ ରହିଛନ୍ତି । ଏପଟେ ପୋଲିସ୍ କହୁଛି କି, ଏହି ବ୍ୟକ୍ତି ଜଣକ ବିଭିନ୍ନ ସ୍ଥାନର ଫଟୋ ଉଠାଇ ସଫ୍ଟୱେର୍ ମାଧ୍ୟମରେ ପାକିସ୍ତାନରେ ରହୁଥିବା ମହିଳାଙ୍କୁ ପଠାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ