କୋଲକାତା: ଦେଶରେ ମେଟ୍ରୋ ସେବା କ୍ଷେତ୍ରରେ ପ୍ରଥମ ପରିଚୟ ପାଇଥିବା କୋଲକାତା ଏବେ ଆଉ ଏକ ନୂତନ ରେକର୍ଡର ଅଧିକାରୀ ହୋଇଛି । ଏହି ଅତ୍ୟାଧୁନିକ ଯୋଗାଯୋଗ ସେବା କ୍ଷେତ୍ରରେ କୋଲକାତାର ମେଟ୍ରୋ ରେଳ କର୍ପୋରେସନ ଆଉ ପାଦେ ଆଗେଇଛି । ଏବେ ସମ୍ପୂର୍ଣ୍ଣ ଗଙ୍ଗା ନଦୀ ତଳେ ଦୌଡିବ ମେଟ୍ରୋ ଟ୍ରେନ । ଏନେଇ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ସହ ସଫଳତାର ସହ ଏହି ନଦୀଭୂତଳ ଲାଇନରେ ଟ୍ରାଏଲ ରନିଂ ଏକ୍ପପେରିମେଣ୍ଟ ମଧ୍ୟ ଶେଷ ହୋଇଛି । ଗଙ୍ଗା ନଦୀ ତଳେ ସୁଡଙ୍ଗ ଲାଇନରେ କୋଲକାତାରୁ ହାଓ୍ବଡା ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନର ଟ୍ରାଏଲ ରନିଂ କରାଯାଇଛି ।
କୋଲକାତା ମେଟ୍ରୋ କର୍ତ୍ତୃପକ୍ଷ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କୋଲକାତାର ସିଆଲଦାରୁ ହାଓ୍ବଡାରେ ନବନିର୍ମିତ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ନଦୀଭୂତଳ ସୁଡଙ୍ଗ ଲାଇନରେ ଏହି ଏକ୍ସପେରିମେଣ୍ଟ ସଫଳ ହୋଇଛି । ଏହି ଟ୍ରାଏଲ ରନିଂରେ କୋଲକାତା ମେଟ୍ରୋ ରେଲ କର୍ପୋରେସନର ମହାପ୍ରବନ୍ଧକ ପି.ଉଦୟଶଙ୍କର ଓ ଅନ୍ୟ କିଛି ବରିଷ୍ଠ ଅଧିକାରୀ ମଧ୍ୟ ମେଟ୍ରୋର ଲୋକୋ କ୍ଯାବିନରେ ଯାତ୍ରା କରିଥିଲେ । ଏହି ପ୍ରକ୍ରିୟା ଶେଷ ହେବା ପରେ ଅନ୍ୟ କିଛି ବୈଷୟିକ ପ୍ରକ୍ରିୟା ବାକିରହିଛି । ତେବେ ଆଗାମୀ 6 ମାସ ପର୍ଯ୍ୟନ୍ତ ଏହି ଭୂତଳ ଲାଇନରେ ଟ୍ରାଏଲ ରିନିଂ ଜାରି ରହିବ । ପରେ ଉକ୍ତ ନଦୀଭୂତଳ ମାର୍ଗରେ ନିୟମିତ ମେଟ୍ରୋ ରେଳ ସେବା ଆରମ୍ଭ ହୋଇଯିବ । ଯାହା ବ୍ୟସ୍ତବହୁଳ କୋଲକାତାର ଯୋଗାଯୋଗକୁ ଆହୁରି ସହଜ କରିପାରିବ ।
ଦେଶର ସର୍ବପୁରାତନ ସହର ଭାବେ ଖ୍ୟାତି ଅର୍ଜନ କରିଥିବା କୋଲକାତାରେ ହିଁ 1984ରେ ପ୍ରଥମେ ମେଟ୍ରୋ ସେବା ଆରମ୍ଭ ହୋଇଥିଲା । ପରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ ପ୍ରମୁଖ ସହରରେ ଏହାକୁ ଆରମ୍ଭ କରାଯାଇଥିଲା । ଏବେ ପ୍ରାୟ ସମସ୍ତ ମହାନଗରରେ ମେଟ୍ରୋ ସେବା ଜାରି ରହିଥିବା ବେଳେ ଅନ୍ୟ କିଛି ସହରରେ ମେଟ୍ରୋ ପ୍ରକଳ୍ପ ନିର୍ମାଣାଧୀନ ରହିଛି । ସହରର ବଢୁଥିବା ଲୋକସଂଖ୍ୟା ଓ ଯାନବାହନ ଏବେ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି କାଲାଣି । ଯାହା ଯାତାୟତରେ ବ୍ୟାପକ ସମସ୍ୟା ସୃଷ୍ଟି କରୁଛି । ଦୁର୍ଘଟଣା ଓ ସମୟ ଅପଚୟ ରୋକିବା ଦିଗରେ ମେଟ୍ରୋ ରେଳ ସେବା ଏବେ ବହୁ ପ୍ରମୁଖ ସହରରେ ବିକଳ୍ପ ଭାବେ ଆଶ୍ବସ୍ତି ପ୍ରଦାନ କରୁଛି । ଏହି ସେବା କ୍ଷେତ୍ରରେ ପୂର୍ବରୁ ପରିଚୟ ସୃଷ୍ଟି କରିପାରିଥିବା କୋଲକାତା ଏବେ ଆଉ ଏକ ରେକର୍ଡର ଅଧିକାରୀ ହେବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ