ଚଣ୍ଡିଗଡ଼: ପଞ୍ଜାବରେ ନିର୍ବାଚନ ଫଳାଫଳ ପରେ ଆପ୍ ଏକକ ବୃହତ୍ ଦଳ ଭାବରେ ଉଭା ହୋଇଛି । ଆଗାମୀ ଦିନରେ ଆପ୍ ଜାତୀୟ ଦଳ ମାନ୍ୟତା ପାଇଁ ରୋଡମ୍ୟାପ୍ ତିଆରି କରିଥିବା ଏବେ ଚର୍ଚ୍ଚା ହେଉଛି । ପଞ୍ଜାବରେ କଂଗ୍ରେସର ହେଭିୱେଟଙ୍କୁ ମାତ ଦେଇଛି ଆପ୍ । ଏହି ଫଳାଫଳ ପରେ କେଉଁଠି ତ୍ରୁଟି ବିଚ୍ୟୁତି ରହିଲା ଖୋଜିବାରେ ଲାଗି ପଡ଼ିଛି କଂଗ୍ରେସ ।
ପଞ୍ଜାବରେ ଆପ୍ ସ୍ମାର୍ଟ ଗେମ୍ ଖେଳିଥିବା ରାଜନୀତି ସମୀକ୍ଷକ ମତ ଦେଉଛନ୍ତି । ଭଗୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି ପଞ୍ଜାବ ନିର୍ବାଚନୀ ବୈତରଣୀକୁ ଓହ୍ଲାଇଥିଲା । ବର୍ତ୍ତମାନ ପଞ୍ଜାବରେ ବହୁମତ ହାସଲ କରି ସରକାର ଗଢ଼ିବାକୁ ଯାଉଛି ଆପ୍ । ଆପ୍ ସୁନାମୀରେ ପଞ୍ଜାବ ହେଭିୱେଟ ବୁଡ଼ିଗଲେ କହିଲେ ଭୁଲ୍ ହେବନି । ଲାମ୍ବିରେ ପ୍ରକାଶ ସିଂହ ବାଦଲ ହାରିଥିବା ବେଳେ ଚରଣଜିତ ସିଂହ ଚନ୍ନି ନିଜର ଦୁଇଟି ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି । କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ମଧ୍ୟ ନିଜର ଆସନ ବଞ୍ଚାଇ ପାରିଲେ ନାହିଁ । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ପଟିଆଲା ଆସନରୁ ପରାଜିତ ହୋଇଛନ୍ତି ।
ତେବେ କେଉଁ କାରଣରୁ ପଞ୍ଜାବରେ ଆପ୍ର ସୂର୍ଯ୍ୟ ଉଇଁଲା ? ଆସନ୍ତୁ ଜାଣିବା...
- ଆମ ଆଦମୀ ପାର୍ଟି ଦିଲ୍ଲୀ ମଡେଲକୁ ପଞ୍ଜାବରେ ଆପଣାଇଲା । ପ୍ରଚାର ସମୟରେ ମଧ୍ୟ ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, ଗରିବଙ୍କ ପାଇଁ ସେବା ସହ ମୌଳିକ ଭିତ୍ତିଭୂମିରେ ସୁଧାର କରିବା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ ଆପ୍ ।
- କଂଗ୍ରେସ ମଧ୍ୟରେ ଥିବା ଅନ୍ତଃକନ୍ଦଳର ଫାଇଦା ଉଠାଇଲା ଆପ୍ । କଂଗ୍ରେସ ନେତା ଓ କର୍ମୀଙ୍କ ଭିତରେ ଥିବା ମତାନ୍ତର ଯୋଗୁଁ ଦଳ ନିର୍ବାଚନ ଉପରେ ଫୋକସ କରି ପାରିଲା ନାହିଁ ।
- କ୍ୟାପଟେନ ଅମରିନ୍ଦର ସିଂହ କଂଗ୍ରେସର ଏକ ଟାଣୁଆ ନେତା ଥିଲା । ସେ ଦଳ ଛାଡ଼ିବା ପରେ କଂଗ୍ରେସ ଦୁର୍ବଳ ହୋଇଥିଲା । ପୂର୍ବରୁ ବାଦଲ ପରିବାର ପରିବାର ବିରୋଧରେ ଡ୍ରଗ୍ସ ମାମଲା ରହିଥିଲା । ଏହି ସବୁ ତଥ୍ୟ ନେଇ ଲୋକଙ୍କ ପାଖରେ ପହଞ୍ଚାଇଲା ଆପ୍ । ତା ସହ ନିର୍ବାଚନକୁ ଆଉ ୪ ମାସ ଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଥିଲେ । ଏହାଦ୍ବାର ଲୋକଙ୍କ ବିଶ୍ବାସ ହାନୀ ହୋଇଥିଲା ।
- ଅମରିନ୍ଦର ସରକାରଙ୍କ ବିରୋଧରେ ଖୋଦ ତାଙ୍କରି ନେତା ନବଜୋତ ସିଂହ ସିଦ୍ଧୁ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଏହାପରେ ଆଉ ଏକ ଦଳ ବିଷୟରେ ଚିନ୍ତା କରିବାକୁ ବାଧ୍ୟ ହୋଇଥିଲେ ଭୋଟର ।
- ଆପ୍ର ଦିଲ୍ଲୀ ମଡେଲକୁ ଖୁବ ପସନ୍ଦ କରିଛନ୍ତି ଯୁବଗୋଷ୍ଠୀ । ଯୁବଗୋଷ୍ଠୀଙ୍କଠାରୁ ଆପ୍କୁ ପ୍ରବଳ ସମର୍ଥନ ମିଳିଥିଲା । ମହିଳାଙ୍କ ଭୋଟରଙ୍କ ପାଇଁ ବେଶ କିଛି ପ୍ରତିଶ୍ରୁତି ଦେଇଥିଲେ ଅରବିନ୍ଦ କେଜ୍ରିୱାଲ । ୧୮ ବର୍ଷରୁ ଊର୍ଦ୍ଧ୍ବ ଯୁବତୀ ବା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାସିକ ୧ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଅରବିନ୍ଦ କେଜ୍ରିୱାଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ