ନୂଆଦିଲ୍ଲୀ: ଭାରତୀୟ ଲୋକ ସବୁବେଳେ ଖାଦ୍ୟ ପ୍ରିୟ । ଅନ୍ୟ କୌଣସି ଦେଶ ଅପେକ୍ଷା ଭାରତୀୟ ଖାଦ୍ୟରେ ଅନେକ ବିବିଧତା ରହିଛି । ରାଜ୍ୟରୁ ରାଜ୍ୟକୁ ଗଲେ ଖାଇବାର ଢାଞ୍ଚା ଓ ଖାଦ୍ୟର ପ୍ରକାର ବଦଳି ଯାଇଥାଏ । ତା ସହିତି ବଦଳି ଯାଏ ଖାଦ୍ୟର ସ୍ବାଦ । ଭାରତର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଅଞ୍ଚଳରେ ଖାଦ୍ୟରେ ଅନେକ ବିବିଧତା ରହିଛି । ଉଭୟ ମୋଗଲ ଓ ଇଂରେଜ ଭାରତ ଉପରେ ୧୦୦୦ ବର୍ଷରୁ ଅଧିକ ସମୟ ଧରି ଶାସନ କରି ଆସିଛନ୍ତି । ଦୀର୍ଘ ସମୟ ଧରି ଶାସନ ଯୋଗୁଁ ଭାରତୀୟ ମଧ୍ୟ ସେମାନଙ୍କ ଖାଦ୍ୟକୁ କିଛିଟା ମାତ୍ରାରେ ଆପଣା ନେଇଛନ୍ତି । ତେବେ ଏହି ସବୁ ଖାଦ୍ୟ ଭାରତୀୟଙ୍କ ଦ୍ବାରା ନୂଆ ସ୍ବାଦ ଓ ରୂପ ପାଇଛି ।
ଝିଲାପି
ଝିଲାପି ବା ହିନ୍ଦୀ ଭାଷାରେ ଏହା ଜଲେବୀ ନାମରେ ପରିଚିତ । ଝିଲାପି ନାମ ଶୁଣିଲେ ପାଟିକୁ ପାଣି ଆସିଯାଏ । ତେବେ ଏହି ମିଠା ସମ୍ପୂର୍ଣ୍ଣ ରୂପେ ଭାରତୀୟ ନୁହେଁ । ବରଂ ଏହାପୂର୍ବରୁ ଆରବ ଦେଶ ଓ ପର୍ସିଆନ୍ ଦେଶରେ ଏହି ମିଠା ଭିନ୍ନରେ ଲୋକଙ୍କ ପ୍ରିୟ ହୋଇ ସାରିଥିଲା । ଆରବୀ ଭାଷାରେ ସେହି ସମୟରେ ଏହାକୁ ଜାବିୟା ଓ ପର୍ସିଆନ୍ ଭାଷାରେ ଏହା ଜାଲିବିୟା ନାମରେ ପରିଚିତ ଥିଲା । ଖାଲି ଏହି ଦୁଇ ନାମ ନୁହେଁ ଝିଲାପିର ଆହୁରି ଅନେକ ନାମ ରହିଥିଲା ।
ପ୍ରଥମେ ଏହା ଦକ୍ଷିଣ ଏସିଆ ଓ ପଶ୍ଚିମ ଆଫ୍ରିକାର ଲୋକଙ୍କ ପ୍ରିୟ ଖାଦ୍ୟ ହୋଇ ପାରିଥିଲା । ତେବେ ଏହାପରେ ୧୮୮୯ ମସିହାରେ ମଧ୍ୟ ପ୍ରଦେଶର ଜବଲପୁରରେ ହରପ୍ରସାଦ ବଡକୁଲ୍ ଏହାକୁ ଏକ ନୂଆ ରୂପ ଦେଇଥିଲେ । ମଇଦା, ଚିନି ସିରାରେ ପ୍ରସ୍ତୁତ ଝିଲାପି ଆଜି ସାରା ଭାରତବାସୀଙ୍କ ପ୍ରିୟ ମିଠା ହୋଇ ପାରିଛି ।
କଫି
ଆଜି ଭାରତୀୟଙ୍କ ଗରମ ପାନୀୟ ମଧ୍ୟ ଅନ୍ୟତମ ହେଉଛି କଫି । ତେବେ ଏହି କଫି ଭାରତର ନୁହେଁ । ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତ ଉପରେ କବ୍ଜା କରିବା ପୂର୍ବରୁ କଫି ଭାରତକୁ ଆସିଥିଲା । ୟେମେନରୁ ବାବା ବୁଦାନ ନାମକ ଜଣେ ସନ୍ଥ ୧୬୭୦ ମସିହାରେ ପ୍ରଥମ ଥର ପାଇଁ କଫି ଭାରତକୁ ଆଣିଥିଲେ । ପ୍ରଥର ପାଇଁ କର୍ଣ୍ଣାଟକର ଚିକମାଗାଲୁର୍ କର୍ଣ୍ଣାଟକରେ ଫସଲ ହୋଇଥିଲା ।
୧୫ଶହ ଶତାବ୍ଦୀରେ ଇଥିଓପିଆରେ ପ୍ରଥମ ଥର ପାଇଁ କଫି ଗଛ ଉଠିଥିଲା । ଏହାପରେ ଧୀରେଧୀରେ ପର୍ସିଆକୁ ଏହା ଯାଇଥିଲା । ଭାରତରେ ଇଂରେଜ ଶାସନ ସମୟରେ ଏହା ଲୋକାଦୃତ ହୋଇ ପାରିଥିଲା ।
ବିରିୟାନୀ
ବିରିୟାନୀ ନାମ ଶୁଣିଲେ ପାଟିକୁ ପାଣି ଆସିଯାଏ । ଅନେକ ଲୋକଙ୍କ ବିଶ୍ବାସ ଯେ ବିରିୟାନୀ ଭାରତରେ ପ୍ରଥମେ ତିଆରି ହୋଇଥିଲା । କିନ୍ତୁ ଇତିହାସକାରଙ୍କ ମତରେ ବିରିୟାନୀ ପ୍ରଥମେ ପର୍ସିଆରେ ରୋଷେଇ ହୋଇଥିଲା । ମୋଗଲ ଶାସନ ବେଳେ ପ୍ରଥମ ଥର ପାଇଁ ଏହା ଭାରତକୁ ଆସିଥିଲା । ଏହାପରେ ଶାହି ମୋଗଲ ହାଣ୍ଡିଶାଳରେ ପ୍ରସ୍ତୁତ ହେବାକୁ ଲାଗିଲା । ବିରିୟାନୀକୁ ନେଇ ଅନେକ କାହାଣୀ ରହିଛି ।
କୁହାଯାଏ ଶାହାଜାନଙ୍କ ପତ୍ନୀ ମୁମତାଜ୍ ମହଲ ଦିନେ ସୈନିକ ବାରାକ୍କୁ ବୁଲିବାକୁ ଯାଇଥିଲେ । ଦୁର୍ବଳ ସୈନ୍ୟଙ୍କୁ ଦେଖିବା ପରେ ସେ ନିଜ ରୋଷେୟାଙ୍କୁ ଭାତର ସହ ମାଂଶ ରୋଷେଇ କରି ସୈନ୍ୟଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାର ସତ୍ୟତାକୁ ନେଇ କେବେ କୌଣସି ଇତିହାସକାର ସ୍ପଷ୍ଟୋକ୍ତି ଦେଇ ନାହାନ୍ତି । ଏହାପରେ ଇଂରେଜ ଶାସନ ସମୟରେ ଭାରତରେ ଏହି ଖାଦ୍ୟ ଲୋକପ୍ରିୟତା ବଢ଼ିବାକୁ ଲାଗିଲା । ଆଜି ଭାରତର ବିଭିନ୍ନ ପ୍ରାନ୍ତ ବିରିୟାନୀର ଇଣ୍ଡିଆନ୍ର ଭର୍ସନ ଦେଖିବାକୁ ମିଲେ ।
ଦୋଷା
ବିରି ଓ ଚାଉଳ ଭାଗମାପ ନେଇ ବାଟିବା ପରେ ତାୱା ଉପରେ ପକାଇ ତିଆରି ହୁଏ ଦୋଷା । ଦୋଷା ସମ୍ପୂର୍ଣ୍ଣ ଭାବେ ଭାରତୀୟ । ଅନେକ ଇତିହାସକାରଙ୍କ ମତରେ କର୍ଣ୍ଣାଟକର ଉଡ଼ୁପି ସହରରେ ପି. ଥାଙ୍କପ୍ପାନ ପ୍ରଥମେ ପ୍ରସ୍ତୁତ କରିଥିଲେ । ଆଉ କେତେକଙ୍କ ମତରେ ପ୍ରଥମ ଶତାବ୍ଦୀ ବେଳକୁ ପୂରାତନ ତାମିଲନାଡୁ ଦେଶରେ ଦୋଷା ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିଲା । ଅଷ୍ଟମ ଶତାବ୍ଦୀର ସାହିତ୍ୟରେ କନ୍ନଡ଼ ସାହିତ୍ୟରେ ଦୋଷା ବିଷୟରେ ଲେଖା ଅଛି । ଚାଲୁକ୍ୟ ଓ ସୋମେଶବର ରାଜାଙ୍କ ରାଜୁତି ସମୟରେ ଦୋଷା ଆସିଥିବା ଅନୁମାନ କରାଯାଏ ।
ତେବେ ସ୍ବାଧିନତା ପରେ ଦୋଷା ଧୀରେଧୀରେ ଉତ୍ତର ଭାରତର ମଧ୍ୟ ଲୋକପ୍ରିୟ ହୋଇଥିଲା । ଦୋଷାରୁ ଦେକୁ କାର୍ବୋହାଇଡ୍ରେଡ୍ ମିଳିଥାଏ । ତା ସହିତ ଦୋଷାରୁ ଦେହକୁ ୧୧୨ କ୍ୟାଲୋରୀ ମିଳିଥାଏ ।
ଛୋଲେ ଭଟୁରେ
ଛୋଲେ ଭଟୁରେ ଭାରତ ସ୍ବାଧୀନତା ପାଇବା ପୂର୍ବରୁ ଅର୍ଥାତ୍ ୧୯୪୦ ମସିହାରେ ଭାରତରେ ପ୍ରସ୍ତୁତ ହୋଇଥିଲା । ଏହା ମୁଖ୍ୟତଃ ଉତ୍ତର ଭାରତରେ ବେଶ ଲୋକପ୍ରିୟ । ସାଧାରଣତଃ ଏହା ପଞ୍ଜାବୀ ଖାଦ୍ୟ ବୋଲି ଅନେକ ମାନନ୍ତି । କିନ୍ତୁ ୧୯୩୦ରୁ ୧୯୪୦ ମଧ୍ୟରେ ଦିଲ୍ଲୀ ଏକ ମହାନଗର ଥିଲା । ଏହି ସମୟରେ ଦିଲ୍ଲୀରେ ଲୋକଙ୍କ ଗହଳି ଲାଗି ରହୁଥିଲା । ଏହାକୁ ଦୃଷ୍ଟିରେ ରଖି ଅଧିକ ସମୟ ରହି ପାରିବା ଭଳି ଏକ ଖାଦ୍ୟ ତିଆରି କରିବାକୁ ଦିଲ୍ଲୀର ହୋଟେଲଗୁଡ଼ିକ ଚିନ୍ତା କରିଥିଲେ । ଏହାପରେ ପାହାଡ଼ଗଞ୍ଜରେ ପ୍ରଥମ ଥର ପାଇଁ ଛୋଲେ ଭଟୁରେ ପ୍ରସ୍ତୁତ ହୋଇଥିଲା ।
ଛେନାପୋଡ଼
12ଶହ ଶତାବ୍ଦୀରେ ଛେନାପୋଡ଼ ପ୍ରଥମ ଥର ପାଇଁ ଓଡ଼ିଶାର ନୟାଗଡ଼ରେ ପ୍ରସ୍ତୁତ ହୋଇଥିଲା । ଦିନେ ନୟାଗଡ଼ର ସୁଦର୍ଶନ ସାହୁ ଛେନାକୁ ଚିନିରେ ମିଶାଇ ଅଙ୍ଗାର ଉପରେ ରଖି ଭୁଲି ଯାଇଥିଲେ । ସକାଳ ଉଠି ଦେଖିବାବେଳକୁ ଛେନା ପୋଡ଼ି ଯାଇଥିଲା । କିନ୍ତୁ ଏହାର ସ୍ବାଦରେ ପରିବର୍ତ୍ତନ ହେବା ସହ ଏକ କେକ୍ ସଦୃଶ ଦେଖାଯାଉଥିଲା । ଏହିଭଳି ଭାବରେ ଛେନାପୋଡ଼ର ପ୍ରସ୍ତୁତି ପ୍ରଥମେ ଓଡ଼ିଶାରେ ହୋଇଥିଲା ।
ରସଗୋଲା
ଏହି ମିଠା ସାରା ଭାରତରେ ଲୋକପ୍ରିୟତା ହାସଲ କରିଛି । ରସଗୋଲାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି, କିଏ କହେ ଏହା କୋଲକାତାରେ ପ୍ରଥମେ ପ୍ରସ୍ତୁତ ହୋଇଥିଲା, କିଏ ଏହା ଓଡ଼ିଶାରେ ପ୍ରଥମେ ପ୍ରସ୍ତୁତ ହୋଇଥିଲା । ୨୦୧୭ରେ ପ୍ରଥମେ ପଶ୍ଚିମବଙ୍ଗକୁ ରସଗୋଲାର GI ଟ୍ୟାଗ୍ ମିଳିଥିଲା । କିନ୍ତୁ ଏହାର ଦୁଇ ବର୍ଷ ପରେ ହିଁ ଓଡ଼ିଶାକୁ ଓଡ଼ିଶାର ରସଗୋଲା ପାଇଁ ମଧ୍ୟ GI ଟ୍ୟାଗ୍ ମିଳିଥିଲା । ରସଗୋଲା ଓଡ଼ିଶାର ପୁରୀରେ ପ୍ରଥମେ ତିଆରି ହୋଇଥିଲେ । ଏହାକୁ ଖୀରା ମୋହନା ମଧ୍ୟ କୁହାଯାଏ । ଯେବେଠୁ ରଥଯାତ୍ରା ଆରମ୍ଭ ହୋଇଛି ସେବେଠୁ ମାଆ ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ରସଗୋଲା ପୂଜା ହୋଇ ଆସିଛି ।
ସେପଟେ ପଶ୍ଚିମବଙ୍ଗ ରସଗୋଲାକୁ ନେଇ ମଧ୍ୟ କିମ୍ବଦନ୍ତୀ ରହିଛି । କୁହାଯାଏ ୧୮ଶହ ଶତାବ୍ଦୀରେ ନବୀନ ଦାସ ନାମକ ମିଠା କାରୀଗର ଏହାକୁ ତିଆରି କରିଥିଲେ । ବାରମ୍ବାର ମିଠା ଦୋକାନ କରି କ୍ଷତି ସହିବା ପରେ ସେ ରସଗୋଲା ତିଆରି କରିଥିଲେ । ତେବେ ଏହି ଯୁକ୍ତି ନେଇ ଓଡ଼ିଶାବାସୀ ସବୁବେଳେ କହି ଆସିଛନ୍ତି ରଥଯାତ୍ରା ଯେବେଠୁ ରସଗୋଲା ସେବେଠୁ ।