ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ସମ୍ଭବ୍ୟ ପ୍ରାର୍ଥୀ ଓ କାହା ପାଖରେ କେତେ ଭୋଟ ଅଛି ତାକୁ ନେଇ ଅଙ୍କକାଷା ଆରମ୍ଭ ହୋଇସାରିଛି । କେଉଁ ମେଣ୍ଟର ପ୍ରାର୍ଥୀ ଦେଶର ପରବର୍ତ୍ତୀ ରାଷ୍ଟ୍ରପତିି ଭାବେ ନିର୍ବାଚିତ ହେବେ ତାକୁ ନେଇ ଆକଳନ ମଧ୍ୟ ଆରମ୍ଭ ହୋଇଛି । କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ NDA ପ୍ରାଥୀ ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ ଥିବା ବେଳେ ମେଣ୍ଟ (NDA) କିନ୍ତୁ ବହୁମତ ଠାରୁ ସାମାନ୍ୟ ପଛରେ ରହିଛି ।
ନିର୍ବାଚନରେ ବିଜୟୀ ହେବା ପାଇଁ ସମୂଦାୟ ଭୋଟର 50 ପ୍ରତିଶତ ଆବଶ୍ୟକ ପଡୁଥିବା ବେଳେ NDA ପାଖରେ 44.9 ପ୍ରତିଶତ ଭୋଟ ସେୟାର ରହିଛି । ଯାହା ବହୁମତ ଠାରୁ ସାମାନ୍ୟ କମ । ସେହିପରି ଜାତୀୟ କଂଗ୍ରେସ ନେତୃତ୍ବାଧୀନ UPA ନିକଟରେ ମାତ୍ର 25.9 ଭୋଟ ସେୟାର ରହିଛି । ଶିବସେନା ଓ ଅକାଳୀ ଦଳ NDA ମେଣ୍ଟରୁ ଓହରିବା ପରେ ମେଣ୍ଟ (NDA) ସ୍ପଷ୍ଟ ବହୁମତ ଠାରୁ ସାମାନ୍ୟ ଦୂରରେ ରହିଛି । ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ TRS ଓ ଆନ୍ଧ୍ରରେ ଜଗନ ରେଡ୍ଜୀଙ୍କ ନେତୃତ୍ବାଧୀନ YSR କଂଗ୍ରେସ ମଧ୍ୟ ବିଜେପିକୁ ଆବଶ୍ୟକ ବେଳେ ବାହାର ସମର୍ଥନ ଦେଇ ଆସୁଥିବା ବେଳେ ଚଳିତ ଥର ଚିତ୍ର କିନ୍ତୁ ସେପରି ଦୃଷ୍ଟିଗୋଚର ହେଉନାହିଁ ।
ତେବେ ଏମିତି ରହିଛି ଗଣିତ-
ମୋଟ ଭୋଟ ମୂଲ୍ୟ 10 ଲକ୍ଷ 98 ହଜାର 882
ଏନଡିଏ ପାଖରେ 48.9 ପ୍ରତିଶତ
ସବୁ ବିରୋଧୀଙ୍କ ଭୋଟ୍ 51.1 ପ୍ରତିଶତ
2.2 ପ୍ରତିଶତ ଭୋଟ ପଛରେ ଏନଡିଏ
1.1 ପାଇଲେ ବିଜୟୀ ହେବେ ଏନଡିଏ ପ୍ରାର୍ଥୀ
ତେଣୁ ଏହି ପରିବର୍ତ୍ତିତ ସମୀକରଣରେ ଭୋଟ ସେୟାରକୁ ହିସାବକୁ ନେଲେ NDA ଗତଥର ରାଷ୍ଟ୍ରପତି ନିର୍ବାଚନ ଠାରୁ ପ୍ରାୟ 9 ହାଜର ଭୋଟ ପଛରେ ରହିଛି । ତେବେ ମେଣ୍ଟରୁ ବାହାରେ ଥିବା ଆଞ୍ଚଳିକ ଦଳଙ୍କ ଭୋଟ ହାତେଇବା ପାଇଁ NDA ଭିତିରି ଆଲୋଚନ ଆରମ୍ଭ କରିସାରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । କିଛି ଆଞ୍ଚଳିକ ଦଳର ସୁପ୍ରିମୋ ମଧ୍ୟ ଗତ କିଛି ଦିନ ମଧ୍ୟରେ ଏକାଧିକ ଥର ଦିଲ୍ଲୀ ଗସ୍ତ କରିବା ଏହି କଥାବାର୍ତ୍ତା ଚର୍ଚ୍ଚାକୁ ବଳ ଯୋଗାଇଛି । ଓଡିଶାରେ କ୍ଷମତାସୀନ ବିଜୁ ଜନତା ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିକଟ ଅତୀତରେ ଏକାଧିକ ବାର ଦିଲ୍ଲୀ ଗସ୍ତ କରିସାରିଛନ୍ତି । ସେହିପରି YSR କଂଗ୍ରେସ ମୁଖ୍ୟ ଜଗନ ରେଡ୍ଡୀ ମଧ୍ୟ ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଏପରି ସ୍ଥିତିରେ ଆଞ୍ଚଳିକ ଦଳଙ୍କ ସହଯୋଗରେ NDA ରାଷ୍ଟ୍ରପତି ନିର୍ବାଚନରେ ସଫଳ ହେବାର ସର୍ବାଧିକ ସମ୍ଭାବନା ଦୃଷ୍ଟିଗୋଚର ହେଉଛି ।
ଅନ୍ୟପଟେ ସବୁଠି NDA ପ୍ରାର୍ଥୀଙ୍କୁ ନେଇ ଅପେକ୍ଷା ଥିବା ବେଳେ ବିଜେପି କିମ୍ବା NDA ମେଣ୍ଟ ଏପର୍ଯ୍ୟନ୍ତ ପ୍ରାର୍ଥୀ ନେଇ କୌଣସି ସଙ୍କେତ ଦେଇନାହିଁ । କିନ୍ତୁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଓ ରାଜନୀତି ବିଷାରଦଙ୍କ ପୂର୍ବାକଳନ ଅନୁସାରେ କିଛି ସମ୍ଭାବ୍ୟ ପ୍ରାର୍ଥୀତ୍ବ ଚର୍ଚ୍ଚାର ପରିସରରେ ରହିଛନ୍ତି । ଦଳିତ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ସଂଖ୍ୟାଲଘୁ ଚେହେରା ଭାବେ ବର୍ତ୍ତମାନର ମୋଦି କ୍ୟାବିନେଟରେ ମନ୍ତ୍ରୀ ଥିବା ଆବାସ ନଖଭିଙ୍କ ନାମ ଚର୍ଚ୍ଚାରେ ରହିଛି । ଅନ୍ୟପଟେ ଦକ୍ଷିଣ ଭାରତରୁ ପ୍ରତିନିଧିତ୍ବ କରୁଥିବା ତଥା ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ନାମ ମଧ୍ୟ ବାଦ ଦିଆଯାଇ ନପାରେ ବୋଲି ରାଜନୀତି ବିଷାରଦମାନେ ମତ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ