ଥିରୁଅନନ୍ତପୁରମ: ହିନ୍ଦୁ ଧର୍ମ ଗ୍ରହଣ କଲେ କେରଳ ଚଳଚ୍ଚିତ୍ର ନିର୍ମାତା ଅଲି ଆକବର(Kerla Film Maker Alli Akbar Convert Hinduism) । ଗତ 8 ତାରିଖ ବୁଧବାର ବାୟୁସେନା ବିମାନ ଦୁର୍ଘଟଣାରେ CDS ଜେନେରାଲ ବିପିନ ରାୱତଙ୍କ ଦେହାନ୍ତ ଭଳି ଦୁଃଖଦ ଘଟଣାରେ କିଛି ମୁସଲିମ ସମ୍ପ୍ରଦାୟ ଲୋକଙ୍କ ଅପମାନଜନକ ମନ୍ତବ୍ୟକୁ ନିନ୍ଦା କରି ସେ ମୁସଲିମ୍ ଧର୍ମ ଛାଡିଥିବା କହିଛନ୍ତି ।
ତେବେ ଅଲି ଆକବରଙ୍କ ସହ ତାଙ୍କ ପତ୍ନୀ ଲୁସିଆମ୍ମା ମଧ୍ୟ ହିନ୍ଦୁ ଧର୍ମ ଗ୍ରହଣ କରିଥିବା ଜଣାପଡିଛି । CDS ରାୱତଙ୍କ ମୃତ୍ୟୁ ପରେ ଖୁସି ହୋଇ ସୋସିଆଲ ମିଡିଆରେ ହସ ଇମୋଜି ପୋଷ୍ଟକୁ ଅବମାନନା ବୋଲି ସେ ଏକ ଭିଡିଓ ଜାରି କରି କହିଥିଲେ ।
ତେବେ ଅଲି ହିନ୍ଦୁ ଧର୍ମ ଗ୍ରହଣ କରିବା ପରେ ତାଙ୍କ ନାମ ରାମସିମହନ ରଖିଛନ୍ତି । ସେ କହିଛନ୍ତି ଯେ, ରାମସିମହନ ଏପରି ଜଣେ ବ୍ୟକ୍ତି ଥିଲେ, ଯିଏ ନିଜ ସଂସ୍କୃତିର ଅତି ନିକଟତର ହେବା କାରଣରୁ ତାଙ୍କୁ ହତ୍ୟା କରାଯାଇଥିଲା । ତେଣୁ ଏହି ନାମ ତାଙ୍କ ପାଇଁ ଉପଯୁକ୍ତ । ଅନ୍ୟପଟେ ସେ ତାଙ୍କ ନିଜ ଝିଅକୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିବେନି ବୋଲି ସ୍ପଷ୍ଟ କରିଛନ୍ତି ।
ପ୍ରକାଶ ଥାଉ ଯେ, ପୂର୍ବରୁ ଅଲି ଆକବର ବିଜେପି ରାଜ୍ୟ କମିଟି ସଦସ୍ୟ ଥିଲେ । ଦଳରେ ନେତୃତ୍ବ ନେଇ ମତଭେଦ ଥିବା ଅଭିଯୋଗ କରି ପଦ ଛାଡିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ