ବେଙ୍ଗାଲୁରୁ: କଥା ଦେଇ କଥା ରଖିଲା କଂଗ୍ରେସ। ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ପୂରଣ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଆଜି ରାଜ୍ୟରେ ଶକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ଏହି ଯୋଜନା ଅଧିନରେ ମହିଳାଙ୍କ ପାଇଁ ଆରମ୍ଭ ହୋଇଛି ମାଗଣା ବସ ସେବା। ବିଏମଟିସି ଓ କେଏସଆରଟିସି ବସରେ ମାଗାଣାରେ ଯାତାୟତ କରିବେ ମହିଳା।
କର୍ଣ୍ଣାଟକ ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ଶକ୍ତି ଯୋଜନା ବିଷୟରେ ମହିଳା ଯାତ୍ରୀଙ୍କୁ ସବିଶେଷ ସୂଚନା ଦେଇଛନ୍ତି। ମାଗଣା ବସ ଯାତ୍ରା ପାଇଁ ମହିଳାଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯିବ। ଏଥି ପାଇଁ ଆସନ୍ତା ତିନି ମାସ ମଧ୍ୟରେ ମହିଳା ମାନେ ସ୍ମାର୍ଟ କାର୍ଡ ପାଇଁ ଆବେଦନ କରିବେ। ଗ୍ରାମାଞ୍ଚଳରେ ଯଦି ଅନଲାଇନରେ ସାର୍ଟକାର୍ଡ ଆବେଦନର ସୁବହିଧା ନଥିବେ ତେବେ ସହାୟତା କେନ୍ଦ୍ରରେ ଆବେଦନ କରିପାରିବେ। ଆଜି ରାଜ୍ୟ ସରକାର ଶକ୍ତି ଯୋଜନା ଅଧିନରେ ମହିଳାଙ୍କ ପାଇଁ ମାଗଣା ବସ ସେବାର ଶୁଭାରମ୍ଭ କରିଛନ୍ତି । ମହିଳା ଯାତ୍ରୀଙ୍କ ଯାତାୟତକୁ ସହଜ , ସୁଗମ ଓ ନିରାପଦ କରିବା ଏହି ଶକ୍ତି ଯୋଜନାର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ରାଜ୍ୟ ରରିବହନ ମନ୍ତ୍ରୀ।
କର୍ଣ୍ଣାଟକରେ ମହିଳାଙ୍କ ପାଇଁ ମାଗଣା ବସ ସେବା ଆରମ୍ଭ ହେବା ପରେ କଂଗ୍ରେସ ନାତ ରଣଦୀପ ସୁରଜେବାଲା ଟ୍ବିଟ କରି ଦିଆଯାଇଥିବା ପ୍ରତିଶୃତି ପୂରଣ ହେଲା ବୋଲି କହିଛନ୍ତି। ସେ ଟ୍ବିଟ କରି କହିଛନ୍ତି ଯେ, ଶକ୍ତି ଯୋଜନା ଅଧିନରେ କର୍ଣ୍ଣାଟକରେ ମହିଳାଙ୍କ ପାଇଁ ମାଗଣା ବସ ସେବାର ଶୁଭାରମ୍ଭ ହୋଇଛି। କଂଗ୍ରେସ ସତ୍ୟ, କଂଗ୍ରେସ ପ୍ରତିବଦ୍ଧତା । କଂଗ୍ରେସ ଲୋକଙ୍କ ସହ ଛିଡା ହୋଇଛି । କର୍ଣ୍ଣାଟକ ଶିକ୍ଷମନ୍ତ୍ରୀ ମଧୁ ବାଙ୍ଗରପ୍ପା ମଧ୍ୟ ରାଜ୍ୟରେ ଶକ୍ତି ଯୋଜନା ଶୁଭାରମ୍ଭ ହୋଇଥିବାରୁ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ଦେଇଥିବା ସମସ୍ତ ପ୍ରତିଶୃତି ଅଗଷ୍ଟ 15 ସୁଦ୍ଧା ପୂରଣହେବ ।
ସୂଚନା ଥାଉ କି, କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନୀ ଇସ୍ତାହାରରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ୫ଟି ବଡ ଘୋଷଣା କରିଥିଲା । ରାଜ୍ୟରେ କଂଗ୍ରେସ ସରକାର ଗଢିଲେ ପ୍ରତି ଘର ପିଛା 200 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ପ୍ରତି ପରିବାରର ମହିଳା ମୁଖିଆଙ୍କୁ ୨୦୦୦ ଟଙ୍କା ମାସିକ ସହାୟତା, ବିପିଏଲ ପରିବାରର ପ୍ରତ୍ୟେକ ସଦସ୍ୟ ପିଛା 10 କେଜି ଚାଉଳ, ବେରୋଜଗାର ସ୍ନାତକ ଯୁବକଙ୍କ ଲାଗି ପ୍ରତି ମାସରେ ୩ ହଜାର ଟଙ୍କା ଓ ବେରୋଜଗାର ଡିପ୍ଲୋମାଧାରୀଙ୍କୁ 2 ବର୍ଷ ପର୍ଯ୍ୟନ୍ତ 1500 ଟଙ୍କା ଏବଂ ମହିଳାଙ୍କୁ ବିନା ଦେୟରେ ବସ୍ ସେବା ଯୋଗାଇ ଦେବାକୁ ଘୋଷଣା କରିଥିଲା କଂଗ୍ରେସ ।
ଯେତେବେଳେ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, ସେତେବେଳେ ସମସ୍ତ ପ୍ରତିଶୃତିକୁ ପୂରଣ କରାଯିବ ବୋଲି କହିଥିଲେ । କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଧୀରେଧୀରେ ନିଜ ପ୍ରତିଶୃତି ପୂରଣ କରୁଛି କଂଗ୍ରେସ । ଆଜି ରାଜ୍ୟରେ ମହିଳାଙ୍କୁ ଦେଇଥିବା ପ୍ରତିଶୃତିକୁ କଂଗ୍ରେ ପୂରଣ କରିଛି। ଶକ୍ତି ଯୋଜନା ଅଧିନରେ ରାଜ୍ୟରେ ମାଗଣା ବସ ସେବାର ଶୁଭାରମ୍ଭ ହୋଇଛି। ଆସନ୍ତା ଜୁଲାଇ 1 ତାରିଖଠାରୁ 200 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଜନାକୁ ମଧ୍ୟ ଲାଗୁ କରାଯିବ ।