ନୂଆଦିଲ୍ଲୀ: ହିଜାବ ପ୍ରସଙ୍ଗରେ ଦାୟର ହୋଇଥିବା ଆବେଦନର ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ଦାୟର ଆବେଦନର ଜରୁରୀ ଶୁଣାଣି ନିମନ୍ତେ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ବର୍ତ୍ତମାନ ଶିକ୍ଷାନୁଷ୍ଠାନ ଗୁଡିକରେ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ଏହାର ଜରୁରୀ ଶୁଣାଣି କରାଯାଉ ବୋଲି କୁହାଯାଇଥିଲା ।
ମୁଖ୍ୟ ବିଚାରପତି ଏନଭି ରମଣା ଓ ବିଚାରପତି କୃଷ୍ଣ ମୁରାରିଙ୍କ ଖଣ୍ଡପୀଠ ଏହାକୁ ଆଗ୍ରହ୍ୟ କରି ଦେଇଛନ୍ତି । ପୀଠ କହିଛନ୍ତି ପରୀକ୍ଷା ସହିତ ହିଜାବର କୌଣସି ସମ୍ପର୍କ ନାହିଁ । ମାର୍ଚ୍ଚ ୧୬ରେ ସୁପ୍ରିମକୋର୍ଟରେ ହିଜାବ ପ୍ରସଙ୍ଗରେ ଆବେଦନ କରାଯାଇଥିଲା । ହୋଲି ପରେ ଏହି ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଥିଲେ ।
ଏହା ବି ପଢନ୍ତୁ...କାଠରେ ଟ୍ରେଡମିଲ ତିଆରି କଲେ ଆନ୍ଧ୍ରର ଶ୍ରୀନିବାସ, ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା
ମାର୍ଚ୍ଚ ୧୫ରେ ହିଜାବ ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟର ତିନିଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ । ଶିକ୍ଷାନୁଷ୍ଠାନରେ ହିଜାବକୁ ଅନୁମତି ଦେଇନଥିଲେ ହାଇକୋର୍ଟ । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଥିଲେ କୋର୍ଟ । ହିଜାବ ପିନ୍ଧିବା ଜରୁରୀ ନୁହେଁ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେନି ଛାତ୍ରାଛାତ୍ରୀ । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଶୁଣାଣି କରି ଏହି ରାୟ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ । ରାୟ ପ୍ରକାଶ ପାଇବା ପରେ ଏହାକୁ ଚ୍ୟାଲେଞ୍ଜ କରି ଜଣେ ମୁସଲିମ ବାଳିକା ଶ୍ରେଣୀଗୃହରେ ହିଜାବ ପିନ୍ଧିବାକୁ ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।