ବେଙ୍ଗାଲୁରୁ: ହିଜାବ ରାୟ ଦେଇଥିବା ୩ ବିଚାରପତିଙ୍କୁ ୱାଇ କ୍ୟାଟେଗୋରୀ ସୁରକ୍ଷା । ୱାଇ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କଲେ କର୍ଣ୍ଣାଟକ ସରକାର । ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ହୋଇଛି । ହତ୍ୟା ଧମକ ଦେବା ଅଭିଯୋଗରେ ୨ ଜଣଙ୍କୁ ତାମିଲନାଡୁ ପୋଲିସ ଗିରଫ କରିଛି ।
ବିଚାରପତିଙ୍କୁ ମିଳିଥିବା ହତ୍ୟା ଧମକ ଘଟଣାରେ ଅଡ୍ଭୋକେଟ ଉମାପତି ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପାଖରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ହ୍ୱାଟ୍ସଆପ୍ରେ ଭିଡିଓ ମେସେଜ୍ କରାଯାଇ ବିଚାରପତିଙ୍କୁ ହତ୍ୟା କରାଯିବା ନେଇ ଧମକ ଦିଆଯାଇଛି । ଭିଡିଓ ମେସେଜ୍ରେ ଜଣେ ବ୍ୟକ୍ତି ଖୋଲାଖୋଲି ଭାବେ ବିଚାରପତି ଋତୁରାଜ ଅବସ୍ତିଙ୍କୁ ହତ୍ୟା କରିବା ପାଇଁ ଧମକ ଦେଉଛି । ଧମକ ଦେଉଥିବା ସମୟରେ ସେ ଝାଡ଼ଖଣ୍ଡର ବିଚାରପତିଙ୍କ ହତ୍ୟା ଘଟଣାର ଉଦାହରଣ ବି ଦେଇଛି। ଏହା ସହିତ ‘ବିଚାରପତି ବୁଲିବାକୁ ତ ଯାଉଥିବେ’ ବୋଲି ସେ କହିଛି । ଭିଡିଓରେ ଦୁର୍ବୃତ୍ତ ହିଜାବ ରାୟକୁ ନେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।
ଘଟଣା ନେଇ କର୍ଣ୍ଣାଟକ ସିଏମ ବସବରାଜ ବୋମାଇ କହିଛନ୍ତି ହିଜାବ ମାମଲାରେ ଶୁଣାଣି କରି ରାୟ ପ୍ରକାଶ କରିଥିବା ୩ ବିଚାରପତିଙ୍କୁ ୱାଇ ବର୍ଗ ସୁରକ୍ଷା ପ୍ରଦାନ କରାଯାଇଥିବା କଥା କହିଛନ୍ତି । ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ସମସ୍ତ ଡିଜି ଓ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ସିଏମ ।
ପ୍ରକାଶ ଥାଉ କି, ଗତ ମାର୍ଚ୍ଚ ୧୫ ତାରିଖରେ ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ । ମାମଲାକୁ ନେଇ ସମସ୍ତ ଆବେଦନକୁ ଖାରଜ କରିଥିଲେ କର୍ଣ୍ଣାଟକ ହାଇକୋର୍ଟ । ଶିକ୍ଷାନୁଷ୍ଠାନରେ ହିଜାବକୁ ଅନୁମତି ଦେଇନଥିଲେ ହାଇକୋର୍ଟ । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଥିଲେ କୋର୍ଟ । ହିଜାବ ପିନ୍ଧିବା ଜରୁରୀ ନୁହେଁ ବୋଲି କହିଥିଲେ ।
ଏହି ରାୟ ଆସିବା ପରେ କିଛି ଲୋକ ଏହାକୁ ସ୍ବାଗତ କରିଥିବା ବେଳେ ଏହାକୁ କେହି କେହି ନାପସନ୍ଦ ମଧ୍ୟ କରିଥିଲେ । ରାୟକୁ ବିରୋଧ କରି ମାର୍ଚ୍ଚ ୧୭ରେ ମୁସଲିମ ସମ୍ପଦ୍ରାୟ ପକ୍ଷରୁ କର୍ଣ୍ଣାଟକ ବନ୍ଦ ଡାକରା ଦିଆଯାଇଥିଲା ।
@ANI