ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆହୁରି ୭ ଦିନ ଥିବାବେଳେ ସାରା ରାଜ୍ୟରୁ ଜବତ ହେଲାଣି କୋଟି କୋଟି ଟଙ୍କା । ଭାରତୀୟ ନିର୍ବାଚନ କମିଶନ ଅନୁସାରେ, ନିର୍ବାଚନ ତାରିଖ ଘୋଷଣା ପର ଠାରୁ ଅଦ୍ୟାବିଧି କର୍ଣ୍ଣାଟକରୁ ୩୦୯ କୋଟି ଜବତ କରାଯାଇଛି । ଯାହାମଧ୍ୟରେ ନଗଦ ରାଶି, ମଦ, ନିଶାଦ୍ରବ୍ୟ ଏବଂ ବହୁମୂଲ୍ୟ ଧାତୁ ରହିଛି । ଯାହାକି ୨୦୧୮ ବିଧାନସଭା ନିର୍ବାଚନ ଠାରୁ ପ୍ରାୟ ୪ ଗୁଣ ଅଧିକ । ୨୦୧୮ରେ ନିର୍ବାଚନ ପୂର୍ବରୁ ୮୩ କୋଟି ମୂଲ୍ୟର ନିଶାଦ୍ରବ୍ୟ ଓ ନଗଦ ଜବତ ହୋଇଥିଲା ।
ସୂଚନା ମୁତବାକ, ବିଧାନସଭା ନିର୍ବାଚନ ବିଗୁଲ ବାଜିବା ପରଠୁ କର୍ଣ୍ଣାଟକରେ ୧୧୧.୧୧ କୋଟି ନଗଦ ଏବଂ ୨୨ କୋଟିର ଉପହାର ଜବତ କରାଯାଇଛି । ଏହା ବ୍ୟତୀତ ମୋଟ ୨୦ ଲକ୍ଷ ଲିଟର ମଦ ଏବଂ ୧୭୦୦ କେଜି ଡ୍ରଗ୍ସ ଧରାପଡିଛି । ଯାହାର ମୂଲ୍ୟ ରହିଛି ୯୫ କୋଟି ଟଙ୍କା । ଏଥିସହ ୮୦.୫୩ କୋଟି ଟଙ୍କା ମୂଲ୍ୟର ବହୁମୂଲ୍ୟ ଧାତୁ ଜବତ ହୋଇଛି ।
ଗତ ସୋମବାର ବେଙ୍ଗାଲୁରୁ ପୁଲକେଶି ନଗର ନିର୍ବାଚନ ମଣ୍ଡଳୀରୁ କେବଳ ୧.୦୨ କୋଟି ଟଙ୍କାର ୨.୦୫ କେଜି ନିଶାଦ୍ରବ୍ୟ ଜବତ କରାଯାଇଛି । ବିଟିଏମ୍ ଲେଆଉଟ ନିର୍ବାଚନ ମଣ୍ଡଳୀ ଅଞ୍ଚଳରୁ ୨.୬୭ କେଜି ଡ୍ରଗ୍ସ ମିଳିଥିବା ବେଳେ ଏହାର ଦାମ୍ ଦେଢ କୋଟି ଟଙ୍କା ହୋଇଥିବା ଜଣାପଡିଛି । ଏହି କ୍ରମରେ ବେଙ୍ଗାଲୁରୁ ଦକ୍ଷିଣ ନିର୍ବାଚନ ମଣ୍ଡଳୀରୁ ୬୧ ଲକ୍ଷରୁ ଅଧିକ ନଗଦ ଓ ୭୬ କୋଟି ଟଙ୍କାର ୧୫୦ କେଜି ସୁନା ଓ ୫ କୋଟିର ରୁପା ଜବତ ହୋଇଛି । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।
ECI ଅନୁସାରେ, ମଦ, ଡ୍ରଗ୍ସ ଏବଂ ସୁନାରୂପା ଜବତ ମାମଲାରେ ବିଭିନ୍ନ ଥାନାରେ ୨,୩୯୦ଟି ଏତଲା ଦାୟର ହୋଇଛି । ସର୍ବମୋଟ ୬୯,୮୨୮ଟି ଅସ୍ତ୍ରଶସ୍ତ୍ର ଜମା ହୋଇଛି । ୧୮ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ବେଳେ ୨୦ଟିର ଲାଇସେନ୍ସ ରବ୍ଦ କରାଯାଇଛି । ଏହାସହିତ ସିଆରପିସି ଆକ୍ଟରେ ୫,୫୨୨ଟି ମାମଲା ରୁଜୁ ହୋଇଥିବା ବେଳେ ନିର୍ବାଚନ ତାରିଖ ଘୋଷଣା ପରଠୁ ୧୫,୪୫୬ ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରାଯାଇଛି । ପ୍ରକାଶଥାଉ କି, ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୧୦ରେ ମତଦାନ ଥିବାବେଳେ ୧୩ ତାରିଖରେ ଭୋଟ ଗଣତି ରହିଛି । ସାଧାରଣତଃ ନିର୍ବାଚନ ସମୟରେ ବ୍ୟାପକ ମାତ୍ରାରେ ଟଙ୍କା ଓ ନିଶା କାରବାର ହେଉଥିବାରୁ ସାରା ରାଜ୍ୟରେ ଧରପଗଡ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ