ଚେନ୍ନାଇ: ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ କମଳା ହାରିସ ନିର୍ବାଚିତ ହେବା ପରେ ତାଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କମଳାଙ୍କ ବିଜୟ ପରେ ତାଙ୍କର ପୈତୃକ ସ୍ଥାନ ତାମିଲନାଡୁରେ ପୂଜାପାଠ ସହ ମୁରୁଜ ପକାଇ ସେଲିବ୍ରେସନ କରାଯାଇଛି । ସେପଟେ ତାଙ୍କୁ ନେଇ ବେଶ ଗର୍ବିତ ଅଛନ୍ତି କମଳାଙ୍କ ମାଉସୀ ଶାରଳା ଗୋପାଳନ । କମଳା ଯାହା କରିବାକୁ ଚାହୁଁଥିଲେ ତାହା ହାସଲ କରି ଦେଖାଇଛନ୍ତି ବୋଲି କହିଛନ୍ତି ତାଙ୍କ ମାଉସୀ ।
ଶାରଳା ଗୋପାଳନ ଖୁସିରେ ଆତ୍ମହରା ହୋଇ ଏପରି କହିଛନ୍ତି, ମୁଁ ଜଣେ ଡାକ୍ତର ଏବଂ ମୁଁ ଚଣ୍ଡିଗଡ଼ରେ କାମ କରୁଥିଲି । ଚଣ୍ଡିଗଡ଼ ଏବଂ ଅନ୍ୟାନ୍ୟ ସ୍ଥାନରେ କମଳା ଆମକୁ ଅନେକ ଥର ଭେଟିବାକୁ ଆସିଥାନ୍ତି । ଆମେ ତାଙ୍କୁ ସବୁବେଳେ ଏକ ଭଲ ପିଲା ଭାବରେ ଅଗ୍ରଗତି କରୁଥିବାର ଦେଖିଛୁ । ସେ ତାଙ୍କ ଜୀବନରେ ଯାହା ବି କରିଛନ୍ତି ବହୁତ ଭଲ କରିଛନ୍ତି । ଏବଂ ସେ ଯାହା କରିବାକୁ ଚାହୁଁଥିଲେ ତାହା କରି ଦେଖାଇଛନ୍ତି ।
ଏଠାରେ କହିରଖୁଛୁ ଯେ,ଡକ୍ଟର ଗୋପାଳନ୍ ହେଉଛନ୍ତି କମଳା ହାରିସଙ୍କ ମାଆ ଶ୍ୟାମଲା ଗୋପାଳନଙ୍କ ସାନ ଭଉଣୀ । ଶ୍ୟାମଳା ଗୋପାଳନ୍ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ । ଆମେରିକା ଗସ୍ତ ପୂର୍ବରୁ ସେ ସେଠାରେ ବସବାସ କରୁଥିଲେ । ତେବେ ଚଳିତ ବର୍ଷ କମଳା ହାରିସ ନାମାଙ୍କନ ଦାଖଲ କରିବା ପୂର୍ବରୁ ଭାଷଣରେ ଅନେକ ଥର ତାଙ୍କ ମାଉସୀଙ୍କ ବିଷୟରେ କହିଥିଲେ ।
କମଳା ଆମେରିକା ଇତହାସରେ ପ୍ରଥମ ମହିଳା ଓ ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ଭାବରେ ଏକ ନୂଆ କୀର୍ତ୍ତିମାନ ରଚିଛନ୍ତି । ଯାହାକୁ ନେଇ ପୁରା ପରିବାର ଗର୍ବିତ ବୋଲି କହିଛନ୍ତି କମଳାଙ୍କ ମାଉସୀ । ଚେନ୍ନାଇ ସହରଠାରୁ ପ୍ରାୟ 320 କିଲୋମିଟର ଦକ୍ଷିଣରେ ଅବସ୍ଥିତ ଥୁଲାସେଣ୍ଟିରାପୁରମରେ କମଲା ହାରିସଙ୍କ ମାତା ଜନ୍ମଗ୍ରହଣ କରିଥିଲେ । ଶ୍ୟାମାଲା ଜଣେ ଉଚ୍ଚ ପଦାଧିକାରୀ ସରକାରୀ କର୍ମଚାରୀ ପି.ଭି ଗୋପାଲାନଙ୍କ ଝିଅ ଥିଲେ । ଏବଂ 19 ବର୍ଷ ବୟସରେ ସେ ଆମେରିକା ଚାଲିଯାଇଥିଲେ । ସେପଟେ ଗତକାଲି( ରବିବାର) ଉପରାଷ୍ଟ୍ରତି ଭାବରେ ନିର୍ବାଚିତ ହେବା ପରେ କମଳା ହାରିସ ତାଙ୍କ ସଫଳତାର ସମସ୍ତ ଶ୍ରେୟ ତାଙ୍କ ମାଆଙ୍କୁ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ