ନୂଆଦିଲ୍ଲୀ: ଆଜି (ବୁଧବାର) ରାଜ୍ୟସଭାରେ ପୁଣି ପୂର୍ବ ସ୍ଥିତି ଜାରି ରହିଥିଲା । ସରକାର ବିରୋଧୀଙ୍କ ଲଢେଇରେ ବଳି ପଡିଥିଲା ଗୃହକାର୍ଯ୍ୟ । ନା ପ୍ରଶ୍ନକାଳ ସ୍ବାଭାବିକ ହୋଇଥିଲା ନା ଶୂନ୍ୟକାଳ । ଗୃହକୁ ସ୍ବାଭାବିକ କରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କ ତମାମ ଉଦ୍ୟମ ସତ୍ବେ ଠପ ହୋଇପଡିଥିଲା ଗୃହକାର୍ଯ୍ୟ । ଦେଶର ପ୍ରମୁଖ ସମସ୍ୟା ଓ ସଂକଟ ଆଲୋଚନା ପରିବର୍ତ୍ତେ ରାଜନୈତିକ ସ୍ବାର୍ଥ ଉଦ୍ଦେଶ୍ୟରେ ଗୃହକୁ ଅଚଳ କଲେ ବରୋଧୀ । ଆଉ ସରକାର ମଧ୍ୟ ସମସ୍ୟାର ସମାଧାନ ବଦଳରେ ବିରୋଧୀଙ୍କୁ ପାଲଟା ଆକ୍ରମଣ କରି ନିଜ ଜିଦରେ ରହିଲେ ଅଟଳ ।
ବାରମ୍ବାର ରାଜ୍ୟସଭା ମୁଲତବୀ ସତ୍ବେ ଆଜି ଗୃହରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ‘କିଶୋର ନ୍ୟାୟ ସଂଶୋଧନ ବିଲ ୨୦୨୧’ (Juvenile justice amendment bill) ଗୃହରେ ଉପସ୍ଥାପନା କରିଥିଲେ । ବିଲ ଆଲୋଚନା ପାଇଁ ଉପସ୍ଥାପନ ହୋଇଥିଲେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ପାଇଁ କୌଣସି ଆଲୋଚନା ହୋଇପାରିନଥିଲା । ଫଳରେ ବିଲକୁ କାମଚଳା ଅଧ୍ୟକ୍ଷ ଧ୍ବନି ମତରେ ଗୃହୀତ କରାଇଥିଲେ ।
ସେପଟେ ଆଜି ରାଜ୍ୟସଭାରେ ଚରମ ବିଶୃଙ୍ଖଳା ସୃଷ୍ଟି କରିଥିବା ବିରୋଧୀ ଦଳର ୧୦ ଜଣ ସାଂସଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କାରଣ ବୁଧବାର ରାଜ୍ୟସଭାରେ ବିରୋଧୀ ବିରୋଧ ଆଳରେ କାଗଜ ଖଣ୍ଡ ଫୋପାଡିବାରେ ଲାଗିଥିଲେ । ଯାହାକୁ ନେଇ ସରକାର କ୍ଷୁବ୍ଧ ଅଛନ୍ତି । ଏଥିପାଇଁ ଆସନ୍ତାକାଲି(ଗୁରୁବାର) ସମ୍ପୃକ୍ତ ୧୦ ଜଣ ସାଂସଦଙ୍କ ବିରୋଧରେ ନିଲମ୍ବନ ପ୍ରସ୍ତାବ ଆଣିବେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୁରଲୀଧରନ ।
କିଶୋର ନ୍ୟାୟ ସଂଶୋଧନ ବିଲ ୨୦୨୧ ଆଜି ରାଜ୍ୟସଭାରେ ଗୃହୀତ ହେବାମାତ୍ରେ ରାଜ୍ୟସଭାକୁ ଆସନ୍ତାକାଲି(ଗୁରୁବାର) ପୂର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି କାମଚଳା ଅଧ୍ୟକ୍ଷ ଭୁବନେଶ୍ବର କାଳିତା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ