ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଏନଭି ରମଣା । ରାଷ୍ଟ୍ରପତି ଭବନନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ।
ଆଜି 11ଟା ସମୟରେ ରାଷ୍ଟ୍ରପତି ଭବନରେ ସୁପ୍ରିମକୋର୍ଟର 48 ତମ ବିଚାରପତି ଭାବରେ ଜଷ୍ଟିସ ଏନଭି ରମଣା ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଯୋଗ ଦେଇଥିଲେ ।
ସୂଚନାଥାଉକି, ଗତକାଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଚନ୍ଦ୍ର ବୋବଡେ ବିଦାୟ ନେଇଥିଲେ । ଏହା ପରେ ଏନ.ଭି ରମଣାଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟଧୀଶ ଭାବେ ଦାୟିତ୍ବ ଅର୍ପଣ କରାଯାଇଛି । ଜଷ୍ଟିସ ରମଣାଙ୍କ କାର୍ଯ୍ୟକାଳ ଏକ ବର୍ଷ 4 ମାସ ରହିବ । ଆସନ୍ତା ବର୍ଷ ଅଗଷ୍ଟ 26, 2022 ପର୍ଯ୍ୟନ୍ତ କାର୍ଯ୍ୟକାଳ ରହିଛି । ଜଷ୍ଟିସ ରମଣା 27 ଅଗଷ୍ଟ 1957 ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ଆନ୍ଧ୍ର ପ୍ରଦେଶର ଏକ ପ୍ରମୁଖ ଖବର କାଗଜରେ ସାମ୍ବାଦିକତା ମଧ୍ୟ କରୁଥିଲେ । ଏହାପରେ ସେ 1983 ମସିହାରେ ଆଇନରେ ଶିକ୍ଷା ଗ୍ରହଣ କରି ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ ।