ରାଞ୍ଚି: ବିନ୍ଦି ପିନ୍ଧି ସ୍କୁଲ ଯାଇଥିବାରୁ ଶିକ୍ଷକଙ୍କ ନିର୍ଯାତନାରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ସମ୍ପର୍କିତ ମାମଲା ଚର୍ଚ୍ଚାରୁ ହଟିନଥିବା ବେଳେ ଆଉ ଏକ ସ୍କୁଲ ବିବାଦ ସାମ୍ନାକୁ ଆସିଛି । ଝାଡଖଣ୍ଡ ବୋକାରୋରେ ହାତରେ ଧାର୍ମିକ ସୂତା ବାନ୍ଧି ଆସିଥିବା ଜଣେ ଛାତ୍ରଙ୍କୁ ଉକ୍ତ ସ୍କୁଲର ଜଣେ ଶିକ୍ଷକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ବୋକାରୋ ଥର୍ମାଲ କର୍ମିଲ ସ୍କୁଲର 9ମ ଶ୍ରେଣୀର ଛାତ୍ରଙ୍କୁ ସ୍କୁଲରେ ପ୍ରବେଶ ବାରଣ କରାଯିବା ସହ ମାଡ ମରାଯାଇଥିଲା । ତାଙ୍କର ଅଭିଭାବକଙ୍କୁ ମଧ୍ୟ ସ୍କୁଲକୁ ଡକାଯାଇଥିଲା । ପରେ ଏହି ଛାତ୍ରଙ୍କୁ ସ୍କୁଲରେ ପ୍ରବେଶ କରିବାକୁ ଅନୁମତି ମିଳିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ହିନ୍ଦୁ ସଂଗଠନମାନେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍କୁଲ ଘେରାଉ କରିବା ସହ ସମ୍ପୃକ୍ତ ଶିକ୍ଷକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ନାରାବାଜୀ କରିଛନ୍ତି ।
ଛାତ୍ରଜଣକ ବିଦ୍ୟାଳୟ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ଯେ, ହାତରେ ସୂତା ବାନ୍ଧିଥିବାରୁ ତାଙ୍କୁ ଶ୍ରେଣୀକକ୍ଷକୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ତାଙ୍କୁ ଶିକ୍ଷକ ମାଡ ମଧ୍ୟ ମାରିଥିଲେ । ଛାତ୍ର ଜଣକ ଏହି ଘଟଣା ସମ୍ପର୍କରେ ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦେଇଥିଲେ । ପରେ ସେ ତାଙ୍କ ପିତାଙ୍କୁ ନେଇ ସ୍କୁଲରେ ପହଞ୍ଚିବା ପରେ ତାଙ୍କୁ ପ୍ରବେଶ ଅନୁମତି ମିଳିଥିଲା । ସୂଚନା ପାଇବା ପରେ ଧାନବାଦ ବିଶ୍ୱହିନ୍ଦୁ ପରିଷଦ ସଦସ୍ୟ ବିନୟ କୁଶୱା ଓ ବଜରଙ୍ଗ ଦଳ ଏବଂ ହିନ୍ଦୁ ସଂଗଠନର ଅନ୍ୟମାନେ ଛାତ୍ରଙ୍କ ପରିବାର ସଦସ୍ୟଙ୍କ ସହ ବିଦ୍ୟାଳୟରେ ପହଞ୍ଚିଥିଲେ । ବିନୟ କୁମାର ଏହି ମାମଲାକୁ ନିନ୍ଦା କରିଛନ୍ତି । ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:-ମଥାରେ ତିଲକ ଲଗାଇ ଆସିବାରୁ ପିଲାଙ୍କୁ ବାରଣ, ହଙ୍ଗମା କଲେ ହିନ୍ଦୁ ସଂଗଠନ
ସ୍କୁଲ୍ କର୍ତ୍ତୃପକ୍ଷ ଏହି ସଂଗଠନ ଓ ଛାତ୍ରଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ସେ ସମ୍ପୃକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ସେ ପ୍ରତିଶୃତି ଦେବା ପରେ ସ୍ଥିତିରେ ସୁଧାର ଆସିଥିଲା । ସ୍କୁଲ୍ କମିଟି କହିଛି, ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ କମିଟି ଏହି ଘଟଣାର ତଦନ୍ତ କରି ପ୍ରଧାନ ଶିକ୍ଷକଙ୍କୁ ରିପୋର୍ଟ ଦେବା ପରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ