ରାଞ୍ଚି: ଯୁକ୍ତ ଦୁଇ ପାସ୍ କରି ନାହାନ୍ତି ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀ ଜଗନ୍ନାଥ ମହତୋ । ତେବେ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହେବାକୁ ନାମ ଲେଖାଇଥିଲେ ମନ୍ତ୍ରୀ ମହୋଦୟ । ତେବେ ବିଭିନ୍ନ କାରଣରୁ ସେ ପରୀକ୍ଷା ଦେଇ ପାରି ନାହାନ୍ତି । ଚଳିତ ବର୍ଷ ମଧ୍ୟ ସ୍ବାସ୍ଥ୍ୟଗତ କାରଣରୁ ସେ ପରୀକ୍ଷା ଦେବେ ନାହିଁ ।
ବର୍ଷ ୨୦୨୦ ଅଗଷ୍ଟ ମାସରେ ଜଗନ୍ନାଥ ମହତୋ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଏକ କଲେଜରେ କଳା ବିଭାଗରେ ନାମ ଲେଖାଇଥିଲେ । ଗମ୍ଭୀର ଭାବରେ କୋରୋନାରେ ଆକ୍ରାନ୍ତ ହେବାରୁ ସେ ଗତ ବର୍ଷ ପରୀକ୍ଷା ଦେଇ ପାରିନଥିଲେ । ତେବେ ଚଳିତ ବର୍ଷ ମଧ୍ୟ ସେ ପରୀକ୍ଷା ଦେଇ ପାରିବେ ନାହିଁ । ତେବେ ପରୀକ୍ଷା ଦେବାକୁ ଥିବା ମାଟ୍ରିକ ଓ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଚଳିତ ବର୍ଷ ମଧ୍ୟ ପରୀକ୍ଷା ନଦେବାକୁ ନେଇ ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, "ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଯେଉଁ ଛାତ୍ରଛାତ୍ରୀ ଭଲ ନମ୍ବର ରଖି ଟପ୍ରେ ରହିବେ ସେମାନଙ୍କୁ ଗତବର୍ଷ ଭଳି ପୁରସ୍କୃତ କରାଯିବ । ଏଥିପାଇଁ ଛାତ୍ରଛାତ୍ରୀ ମନ ଲଗାଇ ପାଠ ପଢ଼ନ୍ତୁ ଓ ପରୀକ୍ଷା ଦିଅନ୍ତୁ । ମୋର ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ମୁଁ ପରୀକ୍ଷା ଦେଇ ପାରିବି ନାହିଁ । କେବଳ ପରୀକ୍ଷା ହଲ୍ରେ ଯାଇ ବସିଲେ ହେବ ନାହିଁ । ଏଥିପାଇଁ ପୂର୍ବ ପ୍ରସ୍ତୁତି ଆବଶ୍ୟକ । ତାହା ମୁଁ କରିବାକୁ ସକ୍ଷମ ହୋଇ ନାହିଁ ।"
ଡୁମୁରୀରେ ଥିବା ସ୍ମାରକ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀ । ସେ ୧୯୯୫ ମସିହାରେ ମାଟ୍ରିକ୍ରେ ଦ୍ବିତୀୟ ଡିଭିଜନରେ ପାସ୍ କରିଛନ୍ତି । ଏହାପରେ ସେ ପାଠପଢ଼ା ଛାଡ଼ି ଦେଇଥିଲେ । ବିରୋଧୀ ତାଙ୍କୁ ଦଶମ ପାସ୍ ଶିକ୍ଷାମନ୍ତ୍ରୀ କହି କଟାକ୍ଷ କରୁଥିବାରୁ ସେ ନାମ ଲେଖାଇ ଚ୍ୟାଲେଞ୍ଜ ନେଇଥିଲେ । ନିଜେ ପଢ଼ି ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଦେବେ ବୋଲି କହିଥିଲେ ଜଗନ୍ନାଥ ମହତୋ ।
୨୦୨୧ରେ ମନ୍ତ୍ରୀ ପରୀକ୍ଷା ଦେବା ପୂର୍ବରୁ ସେପ୍ଟେମ୍ବର ମାସେର କୋଭିଡରେ ସଂକ୍ରମିତ ହୋଇଥିଲେ । ପ୍ରଥମେ ତାଙ୍କୁ ସାଧାରଣ କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତେବେ ନିଃଶ୍ବାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ଥିତି ନସୁଧିରିବାରୁ ତାଙ୍କୁ ଚେନ୍ନାଇକୁ ଏୟାର ଲିଫ୍ଟ କରାଯାଇଥିଲା । ସେଠାରେ ତାଙ୍କ ଫୁସ୍ଫୁସ୍ ନଷ୍ଟ ହୋଇଯାଇଥିବା ଜଣା ପରେ ତାଙ୍କର ନୂଆ ଫୁସ୍ଫୁସ୍ ପ୍ରତିରୋପଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ