ଶ୍ରୀନଗର: ଦୀର୍ଘ 6 ଦିନ ବନ୍ଦ ପରେ ଶୁକ୍ରବାର ଖୋଲିଲା 270 କିଲୋମିଟରର ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ । ପ୍ରବଳ ତୁଷାରପାତ ଯୋଗୁଁ ଏହି ରାସ୍ତାକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଥିଲା । ତେବେ ଶୁକ୍ରବାର ମଧ୍ୟ କେବଳ ଜରୁରୀକାଳୀନ ପରିସ୍ଥିତିରେ ଯାନବାହନଗୁଡ଼ିକୁ ଗୋଟିଏ ପାର୍ଶ୍ବରୁ ଶ୍ରୀନଗର ଯିବା ପାଇଁ ଅନୁମତି ଦିଆଯାଉଛି ।
ଗତ କିଛି ଦିନ ଧରି ଜମ୍ମୁ-କାଶ୍ମୀର ଉପତ୍ୟକାରେ ପ୍ରବଳ ମାତ୍ରାରେ ତୁଷାରପାତ ଜାରି ରହିଛି । ତୁଷାରପାତ ଯୋଗୁଁ ରାସ୍ତାରେ ଜମି ରହିଥିବା ବରଫରେ ଯାନବାହନର ଟାୟାର ଖସିବାର ଆଶଙ୍କା ଥିବାରୁ ଗମନାଗମନକୁ ବନ୍ଦ କରାଯାଇଥିଲା । ସେପଟେ ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାରୁ ଯାନବାହନକୁ ରକ୍ଷା କରିବା ପାଇଁ ରାଜପଥକୁ ବନ୍ଦ କରି ରାସ୍ତାରୁ ବରଫ ହଟାଇବା କାର୍ଯ୍ୟ ଜାରି ରଖିଥିଲା । ତେବେ ରାସ୍ତା ବନ୍ଦ ଥିବା ଯୋଗୁଁ ମାଲବାହୀ ଟ୍ରକ୍ଗୁଡିକ କାଶ୍ମୀର ଉପତ୍ୟକାରେ ଅଟକ ରହିଥିଲା ।
ଶୁକ୍ରବାର ପୁଣି ଜାମ୍ମୁ-କାଶ୍ମୀର ଜାତୀୟ ରାଜପଥରେ ଗମନାଗମନ ସ୍ବାଭାବିକ ହେବା ପରେ ପ୍ରଥମେ ଏହି ମାଲବାହୀ ଟ୍ରକ୍ଗୁଡିକୁ ଛଡ଼ାଯାଇଛି । ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ଯାନକୁ ଏହି ରାସ୍ତାରେ ଗମନାଗମନ କରିବା ପାଇଁ ଅନୁମତି ଦିଆଯାଇନାହିଁ । କିନ୍ତୁ ଛୋଟ ଯାତ୍ରୀବାହୀ ଯାନକୁ ରମ୍ବନଠାରୁ ଜମ୍ମୁ ପର୍ଯ୍ୟନ୍ତ ଛଡ଼ାଯାଉଛି ।
ତେବେ ଯଦି ପାଣିପାଗରେ କିଛି ପରିବର୍ତ୍ତନ ଆସେ, ପୁଣି ଗମନାଗମନ ବାଧାପ୍ରାପ୍ତ ହେବ ବୋଲି ଟ୍ରାଫିକ ପୋଲିସ ସୂଚନା ଦେଇଛନ୍ତି । ଏହି ରାସ୍ତାରେ କେବଳ ଗୋଟିଏ ପାର୍ଶ୍ବରୁ ଗମନାଗମନକୁ ଅନୁମତି ଦେଇଛନ୍ତି ସ୍ଥାନୀୟ ପ୍ରଶାସନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ