ହାଇଦ୍ରାବାଦ: ଯୋଗ କୌଣସି ଏକ ସାଧନାଠୁ କମ ନୁହେଁ । ଶରୀରକୁ ସୁସ୍ଥ ଓ ମନକୁ ଶାନ୍ତ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯୋଗ । ସୁସ୍ଥ ରହିବାର ମହୌଷଧି ହେଉଛି ଯୋଗ । ଯୋଗର ଗୁରୁତ୍ବକୁ ବୁଝି ପ୍ରତିବର୍ଷ ଜୁନ21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଏ ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବପ୍ରଥମେ ଜାତିସଂଘର ସାଧାରଣ ସଭାରେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ 177ଟି ଦେଶର ସମର୍ଥନ ମିଳିଥିଲା । ଏହାପରେ 2015ରୁ ପ୍ରତିବର୍ଷ ଜୁନ21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଉଛି । ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି 'ସୁସ୍ଥତା ପାଇଁ ଯୋଗ' । ଯୋଗଭ୍ୟାସର ବିଭିନ୍ନ ଉପାଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ।
କାହିଁ କେଉଁ କାଳରୁ ଯୋଗର ଉତ୍ପତି ହୋଇଛି । ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତି ବୃଦ୍ଧି କରିବାରେ ଏହା ଏକ ମହୌଷଧି ଭଳି କାର୍ଯ୍ୟ କରିଥାଏ । ଯୋଗ ଦ୍ବାରା ଶରୀର ଫିଟ ରହିବା ସହିତ ରୋଗ ମଧ୍ୟ ଦୂରେଇ ରୁହେ । ଅନେକ ରୋଗୀ ଯୋଗ ଓ ପ୍ରାଣାୟମ ଦ୍ବାରା ବଡ ବଡ ଜଟିଳ ରୋଗରୁ ମୁକ୍ତି ପାଇଛନ୍ତି । ଖାଲି ସେତିକି ନୁହେଁ ମୃତ୍ୟୁର ତାଣ୍ଡବ ରଚିଥିବା କୋରୋନା ମହାମାରୀକୁ ମଧ୍ୟ ଏହି ଯୋଗ ଅସ୍ତ୍ର ସାହାଯ୍ୟରେ ପରାସ୍ତ କରାଯାଇଛି । ଯୋଗ ଏପରି ଏକ ମାଧ୍ୟମ ଯାହା ସମସ୍ତଙ୍କୁ ନିରୋଗୀ ରଖିବା ସହିତ ସନ୍ତୁଳିତ ଜୀବନ ଜିଇଁବାରେ ସହାୟକ ହୋଇଥାଏ ।
ଯୋଗକୁ ବିଜ୍ଞାନ ମଧ୍ୟ ସ୍ବୀକୃତି ଦେଇଛି । ଯୋଗାଭ୍ୟାସ ଦ୍ବାରା ମନରେ ଶାନ୍ତି ମିଳିବା ସହିତ ଆଧ୍ୟାତ୍ମିକତା ବୃଦ୍ଧି ପାଇଥାଏ । କୋଭିଡ ସମୟରେ ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ଅବକ୍ଷୟ ହୋଇଥିବାବେଳେ ଯୋଗ ଦ୍ବାରା ଏହି ଦୁଇ ସମସ୍ୟାର ସମାଧାନ ହୋଇପାରିଛି । ଯୋଗକୁ ପାଶ୍ଚାତ୍ୟ ଦେଶରେ ପ୍ରୋତ୍ସାହିତ କରିବାରେ ସ୍ବାମୀ ବିବେକାନନ୍ଦ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଶରୀର ଓ ଆତ୍ମା ମଧ୍ୟରେ ସମନ୍ବୟ ରକ୍ଷା କରିଥାଏ ଯୋଗ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ