ନୂଆଦିଲ୍ଲୀ: ଆଜି ସାରା ବିଶ୍ବରେ ପାଳିତ ହେଉଛି ଯାଉଛି ଅନ୍ତର୍ଜାତୀୟ ସାକ୍ଷରତା ଦିବସ (International Literacy Day) । ଆଧୁନିକ ବିଶ୍ବରେ ଶିକ୍ଷାର ମହତ୍ତ୍ବ ଓ ନିରକ୍ଷରତାକୁ ସମାପ୍ତ କରିବା ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 8 ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ (International Literacy Day) ଭାବେ ପାଳିତ କରିଆସୁଛି ସାରା ବିଶ୍ବ । ଆଜିର ବିଶ୍ବରେ ଶିକ୍ଷାର ଗୁରୁତ୍ବ ଓ ପ୍ରାଥମିକତାକୁ ବିଶ୍ବବ୍ୟାପୀ ପ୍ରତ୍ସାହିତ କରିବା ପାଇଁ ଏକାଧିକ କାର୍ଯ୍ୟକ୍ରମ ଗ୍ରହଣ କରିଥାଏ ଜାତିସଂଘର ସାଂସ୍କୃତିକ ଶାଖା ୟୁନେସ୍କୋ (UNESCO) । ତେବେ କ’ଣ ରହିଛି ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ଇତିହାସ । କ’ଣ ରହିଛି ଚଳିତବର୍ଷ (2022 )ର ସାକ୍ଷରତା ଦିବସର ଅନୁଚିନ୍ତା ଜାଣନ୍ତୁ ।
ପ୍ରଥମ ବିଶ୍ବ ସାକ୍ଷରତା ଦିବସ (World Literacy Day ) :-
ଐତିହାସିକଙ୍କ ମତରେ ବିଶ୍ବରେ ନିରକ୍ଷରତା ହଟାଇବା ପାଇଁ ଏହି ଦିବସ ପାଳିତ ହୋଇ ଆସୁଥିବା ବେଳେ ଏହାର ସୁତ୍ରପାତ ଇରାନରୁ ହୋଇଥିଲା । 1965 ମସିହାର ସେପ୍ଟେମ୍ବର 8 ରୁ 19 ତାରିଖ ପର୍ଯ୍ୟନ୍ତ ଏହି ଦିବସ ପ୍ରଥମେ ଇରାନ ରାଜଧାନୀ ତେହେରାନରେ ପାଳିତ ହୋଇଥିଲା । ସେତେବେଳେ ଏହା ଅନ୍ତର୍ଜାତୀୟ ମାନ୍ୟତା ପାଇନଥିଲା । ଇରାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ରାଷ୍ଟ୍ରର ଶିକ୍ଷାମନ୍ତ୍ରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।
ପରବର୍ତ୍ତୀ ସମୟରେ ଆଧୁନିକ ତଥା ସମୃଦ୍ଧ ବିଶ୍ବରେ ଶିକ୍ଷାର ଗୁରୁତ୍ବକୁ ପ୍ରଚାର ପ୍ରସାର ଓ ନିରକ୍ଷରତାବିହୀନ ବିଶ୍ବ ପାଇଁ ଏକ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏହି ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ (International Literacy Day) ଭାବେ ଘୋଷଣା କରିଥିଲା ୟିନେସ୍କୋ (UNESCO)। ଏହା ପରେ ଏହି ଦିନକୁ ପ୍ରଥମ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପର ବର୍ଷ ଅର୍ଥାତ 1966 ମସିହା ଠାରୁ ବିଶ୍ବବ୍ୟାପୀ ପାଳନ କରାଯାଉଛି ।
ପ୍ରତିବର୍ଷ ଏହି ଦିବସ ଅବସରରେ ଏକ ଥିମ ବା ଅନୁଚିନ୍ତା ପ୍ରସ୍ତୁତ କରାଯାଏ । ଏହି ଥମ ବା ଅନୁଚିନ୍ତା ବର୍ତ୍ତମାନ ସମାଜରେ ଶିକ୍ଷା ବ୍ୟବସ୍ଥା ଓ ତାର କ୍ରମବିକାଶ ଉପରେ ଆଧାରିତ ଥାଏ । ତେବେ ନଜର ପକାନ୍ତୁ ଗତ କିଛି ବର୍ଷ ମଧ୍ୟରେ ରଖାଯାଇଥିବା ଥିମ ଉପରେ ।
- 2015 - ‘ସାକ୍ଷରତା ଏବଂ ସଶକ୍ତ ସମାଜ’
- 2016 - ‘ଇତିହାସ ପଢ ଏବଂ ଭବିଷ୍ୟତ ଗଢ’
- 2017 - ‘ଡିଜିଟାଲ୍ ୱାର୍ଲ୍ଡରେ ଶିକ୍ଷା’
- 2018 - ‘ସାକ୍ଷରତା ଏବଂ ଦକ୍ଷତା ବିକାଶ’
- 2019 - ‘ସାକ୍ଷରତା ଏବଂ ବହୁଭାଷାବାଦ’
- 2020 - ‘ସାକ୍ଷରତା ଶିକ୍ଷଣ ଏବଂ କୋଭିଡ ସଙ୍କଟ ’
ବିଶ୍ବ ସାକ୍ଷରତା ନେଇ ରହିଛି ଏପରି ପରିସଂଖ୍ୟାନ:
ମିଳିତ ଜାତିସଂଘ (UN) ଦ୍ୱାରା ଦିଆ ଯାଇଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ବିଶ୍ୱରେ କେବଳ 4 ବିଲିୟନ ଲୋକେ ହିଁ ସାକ୍ଷର । ପରିସଂଖ୍ୟାନ ଅନୁଯାୟୀ, ସମଗ୍ର ବିଶ୍ୱରେ ପ୍ରତି 5 ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ଏବେ ବି ଜଣେ ବ୍ୟକ୍ତି ନିରକ୍ଷର ରହିଛନ୍ତି । ଏହି ସାକ୍ଷରତା କ୍ଷେତ୍ରରେ ମଧ୍ୟ ବିଶ୍ବର ବିଭିନ୍ନ ଅଂଶରେ ଭିନ୍ନତା ପରିଲିକ୍ଷିତ ହୋଇଥାଏ । ସେହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅବସ୍ଥା ମଧ୍ୟ ଶିକ୍ଷା ବ୍ୟବସ୍ଥା ଓ ଏହାର ହାରକୁ ପ୍ରଭାବିତ କରୁଥିବାରୁ ଏହି ତାରତମ୍ୟ ଦେଖାଯାଏ ବୋଲି ଅନୁଧ୍ୟାନରୁ ଜଣାପଡିଛି ।
ଆମ ଦେଶର ସାକ୍ଷରତା ସୂଚକାଙ୍କ:-
2018 ରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (MHRD) ଦ୍ବାରା ପ୍ରକାଶିତ ଶିକ୍ଷାଗତ ବା ସାକ୍ଷରତା ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ, ଆମ ଦେଶ ଭାରତରେ ସାମଗ୍ରିକ ସାକ୍ଷରତା ହାର 69.1 ପ୍ରତିଶତ ରହିଛି । ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସାକ୍ଷରତା ଅନୁଧ୍ୟାନକୁ ନେଇ ଏହି ତଥ୍ୟ ପ୍ରକାଶ ପାଇଛି । ଭାରତର ଗ୍ରାମାଞ୍ଚଳରେ ସାକ୍ଷରତା ହାର 64.7 ପ୍ରତିଶତ ରହିଥିବା ବେଳେ, ସେଥିରେ ମହିଳାଙ୍କ ହାର 56.8 ପ୍ରତିଶତ ଏବଂ ପୁରୁଷଙ୍କ ହାର 72.3 ପ୍ରତିଶତ ରହିଛି । ସେହିପରି ସହରାଞ୍ଚଳରେ ସାକ୍ଷରତା ହାର 79.5 ପ୍ରତିଶତ ରେକର୍ଡ କରାଯାଇଛି । ଯେଉଁଥିରେ 74.8 ପ୍ରତିଶତ ମହିଳା ଓ 83.7 ପ୍ରତିଶତ ପୁରୁଷ ଶିକ୍ଷିତ ଭାବେ ସ୍ଥାନ ପାଇଛନ୍ତି । ଦେଶର ସବୁଠାରୁ ସାକ୍ଷର ରାଜ୍ୟ ଭାବେ ଦକ୍ଷିଣ ରାଜ୍ୟ କେରଳ ଶୀର୍ଷ ସ୍ଥାନରେ ରହିଥିବା ବେଳେ ସର୍ବନିମ୍ନ ସାକ୍ଷରତା ହାରରେ ବିହାର ସ୍ଥାନ ପାଇଛି । ଅନ୍ୟ ଏକ ରୋଚକ ତଥ୍ୟ ହେଉଛି ଭାରତର ସର୍ବାଧିକ ଲୋକସଂଖ୍ୟା ବିଶିଷ୍ଟ ରାଜ୍ୟ ଉତ୍ତର ପ୍ରଦେଶ ମଧ୍ୟ ସର୍ବନିମ୍ନ 5 ସାକ୍ଷାର ରାଜ୍ୟ ମଧ୍ୟରେ ରହିଛି ।
ସାକ୍ଷରତା ହାର ପ୍ରଭାବିତ ହେବାର କାରଣ:-
ବିଶ୍ବରେ ସାକ୍ଷରତା ହାରରେ ତାରତମ୍ୟ ଦେଖାଯିବା ଓ ପ୍ରଭାବିତ ହେବାର ନେଇ କିଛି ଦିଗ ଅନୁଧ୍ୟାନରୁ ସାମ୍ନାକୁ ଆସିଛି । ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କାରଣ ପାଇଁ ସମ୍ପୃକ୍ତ ଅଞ୍ଚଳରେ ସାକ୍ଷରତା ହାର ପ୍ରଭାବିତ ହେବାର ଦେଖାଯାଏ । ସେହି କାରଣଗୁଡିକ ମଧ୍ୟରେ ଦାରିଦ୍ର୍ୟ, ବିଦ୍ୟାଳୟ ଓ ଶୈକ୍ଷିକ ଭିତ୍ତିଭୂମିର ଅଭାବ, ଛାତ୍ର ଶିକ୍ଷକ ଅନୁପାତରେ ପାର୍ଥକ୍ୟ, ଜାତିଭେଦ, ଲିଙ୍ଗଗତ ଭେଦଭାବ, ଶିକ୍ଷା କ୍ଷେତ୍ରରେ ଦୁର୍ନୀତି, ନାରୀ ଶିକ୍ଷାକୁ ଉଚିତ ଗୁରୁତ୍ବ ନମିଳିବା ଆଦି କାରଣ ବର୍ତ୍ତମାନ ବିଶ୍ବରେ ସାକ୍ଷରତା ହାରକୁ ହ୍ରାସ କିମ୍ବା ପ୍ରଭାବିତ କରିବାର ପ୍ରମୁଖ କାରଣ ଭାବେ ଛିଡା ହୋଇଥିବା ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ।
ତେବେ ଅଧୁନିକ ବିଶ୍ବର ସାମଗ୍ରିକ ବିକାଶ ଓ ସମୃଦ୍ଧି ସହ ସାକ୍ଷରତା ନିରନ୍ତର ଭାବେ ଯୋଡି ହୋଇ ରହିଥିବାରୁ ଏହାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ପ୍ରାୟସ ଜାରି ରହିଛି । ଶିକ୍ଷା ଭିତ୍ତିଭୂମିର ବିକାଶ ଓ ଏହାର ସାମାଜିକ ପ୍ରଭାବକୁ ଆହୁରି ବ୍ୟାପକ କରିବା ପାଇଁ ୟୁନିସ୍କୋ ଅନେକ ପଦକ୍ଷେପ ଗ୍ରହଣ କରିଛି । ସଚେତନତା ସୃଷ୍ଟି ପାଇଁ ପରୁସ୍କାର ମଧ୍ୟ ପ୍ରଦାନ କରାଯାଇଥାଏ । ତେବେ ଏହି ସବୁ ପଦକ୍ଷେପ ଯୋଗୁ ଗତ କିଛି ବର୍ଷରେ ମଧ୍ୟ ବିଶ୍ବର ସାକ୍ଷରତା ହାର ମଧ୍ୟ କ୍ରମଶଃ ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ