ହାଇଦ୍ରାବାଦ: ବିଶ୍ବର କ୍ଲାନ୍ତିହାରି ଆମୋଦଦାୟକ ପାନୀୟ ମଧ୍ୟରେ କଫି ବେଶ୍ ଆଦୃତ । ପୃଥିବୀର କୋଣ ଅନୁକୋଣରେ ରହିଛନ୍ତି କଫି ପ୍ରେମୀ । ଆଜି ସେହି କଫି ପ୍ରେମୀଙ୍କ ପାଇଁ ଦିନଟିଏ ଅର୍ଥାତ୍ ଆଜି ହେଉଛି ଅନ୍ତର୍ଜାତୀୟ କଫି ଦିବସ । ପ୍ରତିବର୍ଷ ଅକ୍ଟୋବର ୧ ତାରିଖରେ ସାରା ବିଶ୍ବରେ ପାଳିତ ହୁଏ ଏହି ଦିବସ । ଏକ ସ୍ବାସ୍ଥ୍ୟକର ପାନୀୟ ଭାବେ କଫିର ବହୁଳ ପ୍ରଚାର ତଥା ପ୍ରସାର ଏହି ଦିବସର ଉଦ୍ଦେଶ୍ୟ । କଫିର ସୁଲଭ ବ୍ୟବସାୟ ତଥା କଫି ଚାଷୀଙ୍କ ସମସ୍ୟା ସମ୍ପର୍କରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ ।
କଫି ଇତିହାସ:
ଭାରତ ଓ ସିଂହଳରେ କଫିଚାଷ ସପ୍ତଦଶ ଶତାଦ୍ଦାରୁ କରାଯାଉଛି । ବର୍ତ୍ତମାନ ଭାରତର କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଓଡିଶାରେ ବହୁଳ କଫି ଚାଷ ହେଉଛି । ଓଡିଶାର ୮୦୦ ମିଟର ଉଚ୍ଚତା ବିଶିଷ୍ଟ ସ୍ଥାନଗୁଡିକରେ ଏହି ଚାଷ କରାଯାଉଛି । ସାଧାରଣତଃ ତିନୋଟି ଜାତିର କଫି ପୃଥିବୀରେ ଚାଷ କରାଯାଏ । ସେଗୁଡିକ ହେଲା-
୧. କଫିଆ ଆରାବିକା
୨. କଫିଆ ରୋବାଷ୍ଟା
୩. କଫିଆ ଲିବେରିକା
ପ୍ରଥମ ଦୁଇଟି କଫି ଭାରତରେ ଚାଷ ହେଉଛି । ଏହି ଚାଷ ପାଇଁ ଉଚ୍ଚ ସମଶୀତୋଷ୍ଣ ଅଞ୍ଚଳ ଉତ୍ତମ ଅଟେ । ରୋବାଷ୍ଟ ଗଛଗୁଡିକ ସମତଳ ଅଞ୍ଚଳରେ ଚାଷ କରାଯାଏ । ଏହାର ଫଳଗୁଡିକ ଛୋଟ ଓ ପତ୍ରଗୁଡିକ ଭଙ୍ଗୁର ଏବଂ ବଡ ।
ଅନ୍ତର୍ଜାତୀୟ କଫି ସଂସ୍ଥାନର ସମ୍ମତିକ୍ରମେ ପ୍ରଥମ ଥର ପାଇଁ ୨୦୧୫ ଅକ୍ଟୋବରରେ ଇଟାଲୀର ମିଲନଠାରେ ଅନ୍ତର୍ଜାତୀୟ କଫି ଦିବସ ପାଳିତ ହୋଇଥିଲା । ସେବେଠାରୁ ଏହା ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ରରେ ପାଳିତ ହୋଇଆସୁଛି । ବିଭିନ୍ନ ପାନୀୟ ମଧ୍ୟରୁ କଫିର ମଜା ନିଆରା । ତେଣୁ ଚାରିଆଡେ ଭର୍ତ୍ତି ହୋଇଛନ୍ତି କଫି ପ୍ରେମୀ । ଅନେକ ଲୋକ ଏପରି ଅଛନ୍ତି ଯାହାକ ଦିନ ଆରମ୍ଭ ହୁଏ କଫିର ଏକ ସିପରୁ ।
ମହକୁଛି କୋରାପୁଟ କଫି:
ବିଶେଷକରି ଓଡିଶା ରାଜ୍ୟର କୋରାପୁଟରେ ବହୁଳ କଫି ଚାଷ ହୋଇଥାଏ । ଯାହାର ମହକ ଦେଶବିଦେଶରେ ବେଶ୍ ଆଦୃତ ଲାଭ କରିଛି । ଦିନ ଥିଲା କୋରାପୁଟ ଜଙ୍ଗଲରେ କଫି ଚାଷ ହେଉଥିଲା । କାଳକ୍ରମେ ଏହାକୁ ଆଦରି ନେଇଥିଲେ ଚାଷୀ । ହେଲେ ସେ ସମୟରେ କଫିକୁ ଏତେଟା ପ୍ରାଧାନ୍ୟ ଦିଆଯାଉନଥିଲା । ସମାୟନୁକ୍ରମେ କଫିର ଚାହିଦା ବଢିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ ହେଲା । ଏହାପରେ କୋରାପୁଟ କଫି ଉନ୍ନୟନ ପରିଷଦ, କଫି ବୋର୍ଡ ଓ କଫି ଡେଭେଲପମେଣ୍ଟ ଟ୍ରଷ୍ଟର ମିଳିତ ପ୍ରୟାସରେ ଖୋଲାଗଲା କଫି ପ୍ରକ୍ରିୟାକରଣ ୟୁନିଟ । ତାପରେ କୋରାପୁଟ କଫି ବୋର୍ଡ ପାଇଲା ସ୍ବତନ୍ତ୍ର ପରିଚୟ । ଏବେ କୋରାପୁଟ ବ୍ରାଣ୍ଡରେ ବିକ୍ରି ହେଉଛି କଫି ।
କଫି ଉପାଦେୟତା:
କଫିର ଅନେକ ଔଷଧୀୟ ଉପାଦେୟତା ରହିଛି । କଫି ମସ୍ତିଷ୍କରେ ହରମୋନ ପରିମାଣ ବଢାଇଥାଏ । ଯାହା ବ୍ୟକ୍ତିର ମନୋବଳକୁ ଦୃଢ କରି ସକ୍ରିୟ କରିଥାଏ । କଫି ପିଇବା ଦ୍ବାରା ମସ୍ତିଷ୍କରେ ସେରୋଟୋନିନ ଏବଂ ଡୋପାମାଇନ ମୁକ୍ତ ହୋଇଥାଏ । ତେଣୁ ଅଧିକ କଫି ପିଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମାନସିକ ସମସ୍ୟା କମ୍ ମାତ୍ରାରେ ଦେଖାଯାଇଥାଏ ।
ଏକ ଅନୁଧ୍ୟାନରୁ ଜଣାଯାଇଛି କି ଯେଉଁମାନେ କଫି ସହ କମ୍ ପରିମାଣର ଚିନି ବ୍ୟବହାର କରନ୍ତି ସେମାନଙ୍କ ଠାରେ ମଧୁମେହ ସମସ୍ୟା ସହଜରେ ଦେଖାଯାଇନଥାଏ ।
ଏଥିସହ ଅଧିକ ମାତ୍ରାରେ କଫି ପିଉଥିବା ରୋଗୀଙ୍କ ଜୀବନକାଳ ଅଧିକ । କଫି ପିଉଥିବା ଲୋକଙ୍କ ଠାରେ ୧୨ ରୁ ୨୨ ପ୍ରତିଶତ କମ୍ ମୃତ୍ୟୁ ଆଶଙ୍କା ଦେଖାଯାଉଥିବା ପର୍ତ୍ତୁଗାଲରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ