ଗୌହାଟୀ: ମାତ୍ର ଗୋଟିଏ ଦିନ ପରେ 77ତମ ସ୍ବାଧୀନତା ଦିବସ ପାଳନ କରିବ ଦେଶ । ଜାତୀୟ ରାଜଧାନୀ ଦିଲ୍ଲୀରୁ ଆରମ୍ଭ କରି ସମସ୍ତ ରାଜ୍ୟ ରାଜଧାନୀରେ ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହେଲେ ଉଗ୍ରବାଦପ୍ରବଣ ଉତ୍ତର-ପୂର୍ବ ଭାରତର ଏକାଧିକ ରାଜ୍ୟରେ ସ୍ବାଧୀନତା ଦିବସ ପାଳନ ବର୍ଜନ କରିବା ପାଇଁ ଡାକରା ଦେଇଛନ୍ତି ଏକାଧିକ ଉଗ୍ରବାଦୀ ଓ ବିଚ୍ଛିନ୍ନତାବାଦୀ ସଂଗଠନ । ଆସାମ, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ସ୍ବାଧୀନତା ଦିବସ ପାଳନକୁ ବର୍ଜନ କରିବାକୁ ULFA-I, NSCN ଓ GPRN ପରି ଉଗ୍ରବାଦୀ ସଂଗଠନ ଡାକରା ଦେଇଛନ୍ତି । ଏହି ଡାକରା ପରେ ଏହିସବୁ ରାଜ୍ୟଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଅତୀତରେ ଉଗ୍ରବାଦୀଙ୍କ ପ୍ରଭାବ ଥିବା ସମ୍ବେଦନଶୀଳ ସ୍ଥାନଗୁ଼ଡ଼ିକରେ ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ୟାପକ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।
ଉଗ୍ରବାଦୀ ସଂଗଠନଗୁଡ଼ିକ ସ୍ବାଧୀନତା ଦିବସ ପୂର୍ବଦିନ (14 ଅଗଷ୍ଟ) ଅପରାହ୍ନ ଗୋଟାଏରୁ 15 ଅଗଷ୍ଟ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇ ଦେଶର ଅଖଣ୍ଡତା ପ୍ରତି ନିଜର ବିରୋଧାଭାଷ ଦର୍ଶାଇଛନ୍ତି । ଉଗ୍ରବାଦୀ ସଂଗଠନ ULFA-Iର ନେତା ରୁମେଲ ଆସୋମର ହସ୍ତାକ୍ଷର ଥିବା ଏକ ନୋଟିସ ମଧ୍ୟ ସେମାନେ ଜାରି କରିଛନ୍ତି । 1947 ମସିହା ଅଗଷ୍ଟ 15 ତାରିଖରେ ବ୍ରିଟିଶ ଶାସନ ହଟିଥିଲେ ସୁଦ୍ଧା ସେମାନଙ୍କୁ ଏପର୍ଯ୍ୟନ୍ତ ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ ପ୍ରସଙ୍ଗରେ ଉଚିତ ଗୁରୁତ୍ବ ମିଳିନାହିଁ ବୋଲି ସେମାନେ ଜାରି ବିବୃତ୍ତିରେ ଦର୍ଶାଇଛନ୍ତି । ଏପରି ସ୍ଥଳେ ବିଭିନ୍ନ ସାମାଜିକ ସଂଗଠନ, କ୍ଷେତ୍ରୀୟ ରାଜନୈତିକ ଦଳ ଓ ଉତ୍ତର-ପୂର୍ବ ରାଜ୍ୟର ଅଧିବାସୀ ସ୍ବାଧୀନତା ଦିବସ ପାଳନକୁ ବର୍ଜନ କରନ୍ତୁ ବୋଲି ବିବୃତ୍ତିରେ ଡାକରା ଦିଆଯାଇଛି । ଏହାପରେ ପୋଲିସ ଓ ପାରା ମିଲିଟାରୀ ଫୋର୍ସ ମଧ୍ୟ ସମସ୍ତ ସର୍ବସାଧାରଣ ସ୍ଥାନ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ସ୍ବାଧୀନତା ଦିବସ ପାଳନକୁ ନିଶ୍ଚିତ କରିବାକୁ ପ୍ରୟାସ ଆରମ୍ଭ କରିଛି ।
ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବେ । ପରେ ସେ ଦେଶବାସୀଙ୍କୁ ଲାଲ୍କିଲ୍ଲାରୁ ସମ୍ବୋଧିତ ମଧ୍ୟ କରିବେ । ସେହିପରି ସମସ୍ତ ରାଜ୍ୟ ରାଜଧାନୀରେ ମଧ୍ୟ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେବ । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଜାତୀୟ ପତାକା ଉତ୍ତୋଳନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ପ୍ରାୟତଃ ଶେଷ ହୋଇଛି ।
ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ପରଠୁ ସମଗ୍ର ଦେଶରେ ‘ଆଜାଦି କା ଅମୃତ ମହତ୍ସୋବ’ ପାଳନ ଜାରି ରହିଛି । ପ୍ରଥମ ସ୍ବାଧୀନ ଶତାବ୍ଦୀର ଅନ୍ତିମ 25 ବର୍ଷକୁ ‘ଅମୃତକାଳ’ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସାମାଜିକ ଉତ୍ଥାନ ଓ ଦେଶର ବିକାଶ ପାଇଁ ଏକାଧିକ କାର୍ଯ୍ୟପନ୍ଥା ସହ ଲକ୍ଷ୍ୟ ମଧ୍ୟ ସ୍ଥିର କରାଯାଇଛି । ଦେଶର ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ସୃଷ୍ଟି କରିବା ପାଇଁ ‘ହର-ଘର ତ୍ରିରଙ୍ଗା’ ଅଭିଯାନରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ