ନୂଆଦିଲ୍ଲୀ: ଭାରତୀୟ ନୈସେନାର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ବିମାନବାହକ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତରେ 1961ରେ ପ୍ରଥମ ବିକ୍ରାନ୍ତରେ ଲାଗିଥିବା ଘଣ୍ଟିକୁ ଇନଷ୍ଟଲ କରାଯାଇଛି । 36 ବର୍ଷ ପୂର୍ବେ ନୌସେନାର ପ୍ରଥମ ବିମାନବାହୀ ଯୁଦ୍ଧପୋତରେ ଲାଗିଥିବା ଏହି ଐତିହାସିକ ଘଣ୍ଟିକୁ ବର୍ତ୍ତମାନର ବିକ୍ରାନ୍ତରେ ସ୍ଥାପନ କରାଯାଇଛି ।
ଗତବର୍ଷ ଆଇଏନଏସ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୌସେନାକୁ ଉତ୍ସର୍ଗ କରିଥିଲେ । ଏହି ବିକ୍ରାନ୍ତ ହେଉଛି ଦ୍ବିତୀୟ ବିକ୍ରାନ୍ତ । ହେଲେ ପ୍ରଥମଟି ବ୍ରିଟିଶ ରୟାଲ ନ୍ୟାଭିରୁ କ୍ରୟ କରାଯାଇଥିବା ବେଳେ ଏହି ଦ୍ବିତୀୟ ଯୁଦ୍ଧପୋତକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଏହାକୁ ମିଶାଇ ଏବେ ନୌସେନା ନିକଟରେ ଦୁଇଟି ବିମାନବାହୀ ବିଶାଳ ଯୁଦ୍ଧପୋତ ରହିଛି ।
1961ର ପ୍ରଥମ ଆଇଏନଏସ ବିକ୍ରାନ୍ତ:- ପ୍ରଥମଟି ବ୍ରିଟିଶ ରୟାଲ ନ୍ୟାଭିରୁ କ୍ରୟ କରାଯାଇ ପରେ ଏହାର ଭାରତୀୟ ନାମକରଣ କରାଯାଇଥିଲା । ଏହାର ମୂଳନାମ ଥିଲା ଏଚଏମଏସ ହର୍କୁଲେସ (HMS Hercules) । ଏହା ତତ୍କାଳୀନ ସମୟରେ ବ୍ରିଟିଶ ରୟାଲ ନ୍ୟାଭିରେ ଏକ ଶକ୍ତିଶାଳୀ ବିମାନବାହୀ ଯୁଦ୍ଧପୋତ ଭାବେ ନିୟୋଜିତ ହୋଇଥିଲା । ଭାରତ ଏହାକୁ କ୍ରୟ କରିବା ପରେ ଏହାର ନାମ ପରିବର୍ତ୍ତନ କରି ନୂତନ ନାମ ‘ଆଇଏନଏସ ବିକ୍ରାନ୍ତ’ ରଖିଥିଲା । ତେବେ ଏହି ଯୁଦ୍ଧପୋତ ଭାରତୀୟ ନୌସେନାରେ ପ୍ରାୟ 3 ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରିୟତାର ସହ ନିୟୋଜିତ ହୋଇଥିଲା । ଉଭୟ ବଙ୍ଗୋପସାଗର ଓ ଆରବ ସାଗରରେ ଏକାଧିକ ମିଶନରେ ଏହାକୁ ପ୍ରଭାବୀ ଭାବେ ବ୍ୟବହାର କରିଥିଲା ନୌସେନା । ପରେ 1997ରେ ଏହାକୁ ସେବାନିବୃତ୍ତ କରାଯାଇଥିଲା ।
କ’ଣ ଏହି ଘଣ୍ଟି :- ଯୁଦ୍ଧପୋତରେ ଥିବା ଏହି ଘଣ୍ଟି ଏକାଧିକ ଭୂମିକାରେ ବ୍ୟବହାର ହେବା ସହ ଏହା ବେଶ ଗୁରୁତ୍ବପୂର୍ଣ୍ଣ ମଧ୍ୟ । ଏକାଧିକ ମିଶନରେ ଏହାକୁ ଭିନ୍ନ ଭିନ୍ନ ରଣକୌଶଳ ଭାବେ ବ୍ୟବହାର କରାଯିବା ସହ ଏହା ସାଧାରଣତଃ ସମୟ ସୂଚକାଙ୍କ ଭାବେ ମଧ୍ୟ ବ୍ୟବହାର ହୋଇଥାଏ । ଏହାକୁ ଜରୁରୀ ସ୍ଥିତିରେ ମଧ୍ୟ ବିଶେଷ ଭାବେ ବ୍ୟବହୃତ ହୋଇଥାଏ । ପ୍ରଥମ ବିକ୍ରାନ୍ତ ସେବାନିବୃତ୍ତ ହେବା ପରେ ଏଥିରେ ଲାଗିଥିବା ଘଣ୍ଟିକୁ କଢାଯାଇ ଦିଲ୍ଲୀର ମୋତିଲାଲ ନେହୁରୁ ମାର୍ଗରେ ଥିବା ନୌସେନା ଉପମୁଖ୍ୟଙ୍କ ବାସଭବନରେ ଏକ ସ୍ମାରକ ଭାବେ ସଂରକ୍ଷିତ ରଖାଯାଇଥିଲା ।
ବର୍ତ୍ତମାନର ଆଇଏନଏସ ବିକ୍ରାନ୍ତ:- ଆଇଏନଏସ ବିକ୍ରାନ୍ତ ଏକ ବିଶାଳ ଅତ୍ୟାଧୁନିକ ଯୁଦ୍ଧପୋତ । ଏହାର ଲମ୍ବ ଦୀର୍ଘ 262 ମିଟର ହୋଇଥିବା ବେଳେ ପ୍ରସ୍ଥ 62ମିଟର ଓ ଉଚ୍ଚତା 59 ମିଟର ରହିଛି । ଏଥିରେ 2,300 କମ୍ପାଟମେଣ୍ଟ ରହିଛି । ଯେଉଁଥିରେ ପ୍ରାୟ 1700 ନୌସେନା କର୍ମଚାରୀ ଯାତ୍ରା କରିପାରିବେ । ଏହା ଏକକାଳୀନ ଦୀର୍ଘ 7,500 ନଟିକାଲ ମାଇଲସ୍ ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହା ଗଭୀର ସମୁଦ୍ରରେ ଏକ ଅତ୍ୟାଧୁନିକ ସାମରିକ ଏୟାରବେସ ସଦୃଶ ଯେକୌଣସି ଆହ୍ବାନପୂର୍ଣ୍ଣ ମିଶନକୁ ସଫଳତାର ସହ ରୂପ ଦେଇପାରିବାର କ୍ଷମତା ରଖିଛି ।
ବିକ୍ରାନ୍ତ ଭାରତୀୟ ନୌସେନାର ସାମିଲ ହେବା ପରେ ଏବେ ନୌସେନାରେ ବିମାନବାହୀ ଯୁଦ୍ଧ ଜାହାଜ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ପ୍ରଥମଟି ଋଷ ଠାରୁ ଆମଦାନୀ ହୋଇଥିବା ଆଇଏନଏସ ବିକ୍ରମାଦିତ୍ୟ ହୋଇଥିବା ବେଳେ ଦ୍ବିତୀୟଟି ହେଉଛି ସ୍ବଦେଶୀ ନିର୍ମିତ ସଦ୍ୟତମ ଆଇଏନଏସ ବିକ୍ରାନ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ