ହାଇଦ୍ରାବାଦ: ତେଲେଙ୍ଗାନାରେ ଡାକ୍ତରଙ୍କ ଫେବିକୁଇକ ଚିକିତ୍ସା । ଫଟା ମୁଣ୍ଡରେ ଷ୍ଟିଚ୍ ବଦଳରେ ଫେବିକୁଇକ ବା ଅଠା ଲଗାଇଲେ ଡାକ୍ତର । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ମାତ୍ର ତେଲେଙ୍ଗାନା ଜୋଗୁଲମ୍ବା ଗଡୱାଲ ଜିଲ୍ଲାର ଏକ ହସ୍ପିଟାଲରେ ବାସ୍ତବରେ ଏପରି ଘଟଣା ଘଟିଛି । ଖେଳୁଥିବା ସମୟରେ ଖସି ପଡି ଜଣେ ୭ ବର୍ଷୀୟ ନାବାଳକର ମୁଣ୍ଡ ଫାଟି ଯାଇଥିଲା । ବାପା ପିଲାଟିକୁ ନେଇ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ସେଠାରେ ଡାକ୍ତର ମୁଣ୍ଡର ଫଟା ଜଗାରେ ଷ୍ଟିଚ୍ ପକାଇବେ କ'ଣ ଫେବିକୁଇକ୍ ମାରିଦେଲେ । ଯେଉଁ ଘଟଣା ସମଗ୍ର ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ମୁତାବକ, କର୍ଣ୍ଣାଟକ ନିବାସୀ ବାମସିକ୍ରିଷ୍ଣା ଚୌଧୁରୀ ଓ ପତ୍ନୀ ସୁନୀତା ଜୋଗୁଲମ୍ବା ଗଡୱାଲ ଜିଲ୍ଲା ଅଇଜା ଅଞ୍ଚଳରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ । ଗତ ଗୁରୁବାର ରାତିରେ ବିବାହ ସମାରୋହ ଚାଲିଥିଲା । ଏତିକି ବେଳେ ସେଠାରେ ଖେଳୁଥିବା ବାମସିକ୍ରିଷ୍ଣାଙ୍କ ୭ ବର୍ଷୀୟ ପୁଅ ପ୍ରବୀଣ ହଠାତ୍ ଖସି ପଡିଥିଲା ଓ ତା' ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପିଲାଟିର ଡାହାଣ ଆଖି ଉପରକୁ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହୋଇଥିଲା ।
ଏହାପରେ ବାପା ପ୍ରବୀଣଙ୍କୁ ପାଖରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ । କ୍ଷତ ଗଭୀର ହୋଇଥିବାରୁ ଡାକ୍ତର ଏହାକୁ ଷ୍ଟିଚ୍ କରିବା ବଦଳରେ ଫେଭିକୁଇକ୍ ଲଗାଇ ଦେଇଥିଲେ । ଏ ସମ୍ପର୍କରେ ବାମସିକ୍ରିଷ୍ଣା ଅଭିଯୋଗ କରିବାରୁ ହସ୍ପିଟାଲର ଡାକ୍ତର ନାଗାର୍ଜୁନ କହିଛନ୍ତି ଯେ, ମେଡିକାଲ ଷ୍ଟାପ ଭୁଲବଶତଃ ଏପରି କରିଛନ୍ତି । ପିଲାଟିର ଯାହା ବି ଅସୁବିଧା ହେବ ସେଥିପାଇଁ ସେ ଉତ୍ତରଦାୟୀ ରହିବେ । ତେବେ ପିଲାଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ରହିଛି ।
ଏହାମଧ୍ୟ ପଢନ୍ତୁ: PM Modi France Visit: ଫ୍ରାନ୍ସ ଗସ୍ତରେ ଯିବେ ମୋଦି, ବାଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେବେ
ଘରୋଇ ହସ୍ପିଟାଲ ଡାକ୍ତରଙ୍କ ଏଭଳି ଚରମ ଅବହେଳା ସମ୍ପର୍କରେ ବ୍ୟକ୍ତି ଜଣକ ସ୍ଥାନୀୟ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିବା ଏସଆଇ ନରେଶ କୁମାର ସୂଚନା ଦେଇଛନ୍ତି । ତେବେ ଡାକ୍ତରଙ୍କ ଫେବିକୁଇକ ଚିକିତ୍ସାକୁ ନେଇ ବର୍ତ୍ତମାନ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ଏହାମଧ୍ୟ ପଢନ୍ତୁ: ମୃତ୍ୟୁଶଯ୍ୟାରେ ଜମାକାରୀ: ବ୍ୟାଙ୍କରୁ ଉଠୁନି ଟଙ୍କା, ବୁଢା ବାପା ସହ ଧାରଣା ଦେଲେ ପୁରା ପରିବାର
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ