ହାଇଦ୍ରାବାଦ: 1000 ଟଙ୍କାର ଚାଲାଣ ପାଇଁ ରୋଗୀ ନେଇ ହସ୍ପିଟାଲ ଯାଉଥିବା ଏକ ଗାଡିକୁ ରାସ୍ତାରେ ପ୍ରାୟ ଏକ ଘଣ୍ଟା ଅଟକାଇଲା ଟ୍ରାଫିକ ପୋଲିସ । ଚିକିତ୍ସା ବିଳମ୍ବ ହେବାରୁ ରାସ୍ତାରେ ଚାଲିଗଲା ତିନି ମାସର ଶିଶୁର ଜୀବନ । ଗତକାଲି (ମଙ୍ଗଳବାର) ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ ୟାଦ୍ରି ଭବନଗିରି ଜିଲ୍ଲାର ୟାଦାଗିରିଗୁଟ୍ଟା ମଣ୍ଡଳର ଭଙ୍ଗାପାଲ୍ଲୀ ଗାଁରେ ।
ସୂଚନା ଅନୁସାରେ, ନିଜ ତିନି ମାସର ଅସୁସ୍ଥ ଶିଶୁକୁ ଧରି ଜଣେ ମହିଳା ହାଇଦ୍ରାବାଦ ଯାଉଥିବା ବେଳେ କାରଟିକୁ ରାସ୍ତାରେ ଚାଲାଣ ପାଇଁ ଅଟକାଇଥିଲା ଟ୍ରାଫିକ ପୋଲିସ । ତେବେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜରୁରୀ ଚିକିତ୍ସା ପାଇଁ ଗାଡିକୁ ଛାଡି ଦେବା ପାଇଁ ଡ୍ରାଇଭର ଓ ଶିଶୁର ମା’ ପୋଲିସକୁ ନିବେଦନ ମଧ୍ୟ କରିଥିଲେ । ତେବେ କୌଣସି ଫଳ ମିଳି ନଥିଲା । ଚାଲାଣ ପ୍ରକ୍ରିୟା ବାବାଦକୁ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।
ତେବେ ବିଳମ୍ବରେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା, ବିଳମ୍ବ କାରଣରୁ ତାର ମୃତ୍ୟୁ ହୋଇ ସାରିଥିବା ଡାକ୍ତର ଘୋଷଣା କରିଥିଲେ । ତେବେ ଏପରି ହୃଦୟ ବିଦାରକ ଘଟଣା ଗଣମାଧ୍ୟମରେ ପ୍ରଘଟ ହେବା ପରେ ପୋଲିସର କାର୍ଯ୍ୟଶୈଳୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଟ୍ରାଫିକ ପୋଲିସ ଅଭିଯୋଗକୁ ଖଣ୍ଡନ କରିଛି । କୌଣସି ଜରୁରୀକାଳୀନ ପରସ୍ଥିତିରେ ପୋଲିସ ନିଜ ଆଡୁ ସହଯୋଗ କରେ ବୋଲି ମଧ୍ୟ ସ୍ଥାନୀୟ ପୋଲିସ ପ୍ରଶାସନ ସଫେଇ ଦେଇଛି ।