ନୂଆଦଲ୍ଲୀ: 3 ଦିନିଆ ତୁର୍କମେନିସ୍ତାନ ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତୁର୍କମେନିସ୍ତାନ ରାଷ୍ଟ୍ରପତି ଗୁରୁବାଙ୍ଗୁଲି ବର୍ଦି ମୁହାମେଡୋଙ୍କ ସହ ଏକ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି । ଓଗୁଜାର ପ୍ୟାଲେସରେ ହୋଇଥିବା ଏହି ଆଲୋଚନାରେ ଉଭୟ ଦେଶର ପାରସ୍ପାରିକ ସମ୍ପର୍କକୁ ନେଇ ମତ ବିନିମୟ ହୋଇଥିଲା । ଦୁଇ ଦେଶ ମଧ୍ୟରେ ଦୀର୍ଘ ବର୍ଷ ଧରି ରହିଆସିଥିବା ବାଣିଜ୍ୟିକ, ଆଞ୍ଚଳିକ ଓ ସାସ୍କୃତିକ ସମ୍ପର୍କର ଏକାଧିକ ଦିଗକୁ ନେଇ ମତ ବିନିମୟ କରିଥିଲେ ଉଭୟ ପକ୍ଷ ।
ଉଚ୍ଚସ୍ତରୀୟ ଆଲୋଚନା ପରେ ଉଭୟ ରାଷ୍ଟ୍ରମୁଖ୍ୟ ଏକ ମିଳିତ ଗଣମାଧ୍ୟମ ବିବୃତ୍ତି ମଧ୍ୟ ରଖିଛନ୍ତି । ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ନେଇ ବିସ୍ତୃତ ଆଲୋଚନା ହେବା ସହ ବିଭିନ୍ନ ପ୍ରସଙ୍ଗରେ ମତ ବିମିମୟ ହୋଇଥିବା ମିଳିତ ବିବୃତ୍ତିରେ ପ୍ରକାଶ କରିଛନ୍ତିି ଦୁଇ ରାଷ୍ଚ୍ରପତି । ରାଷ୍ଟ୍ରପତି କୋବିନ୍ଦ ତୁର୍କମେନିସ୍ତାନରେ ପହଞ୍ଚିବା ପରେ ବିଶେଷ ସ୍ବାଗତ ପାଇଁ ସେ ତୁର୍କମେନିସ୍ତାନର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ସହ ଏହା ଦୁଇ ଦେଶର ବନ୍ଧୁତାର ଉଦାହରଣ ବୋଲି ଦର୍ଶାଇଛନ୍ତି । ଏହା କୋବିନ୍ଦଙ୍କର ପ୍ରଥମ ତୁର୍କମେନିସ୍ତାନ ଗସ୍ତ ।
ରାଷ୍ଟ୍ରପତି କୋବିନ୍ଦ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା 30 ବର୍ଷର କୂଟନୈତିକ ସମ୍ପର୍କର ଉଦାହରଣ ମଧ୍ୟ ଦେଇ କହିଛନ୍ତି, ଗତ 3ଦଶନ୍ଧି ଧରି ଉଭୟ ରାଷ୍ଟ୍ର ବନ୍ଧୁତ୍ବପୂର୍ଣ୍ଣ ସହଭାଗିତାର ବେଶ୍ ଭଲ ଅଗ୍ରଗତି କରିଛନ୍ତି । ଜାରି ରହିଥିବା ସୁମ୍ପର୍କର ଆହୁରି ସୁଦୃଢୀକରଣ ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି । ଆର୍ଥିକ ଇଣ୍ଟେଲିଜେନ୍ସ ୟୁନିଟ୍ ଅଫ୍ ଇଣ୍ଡିଆ ଏବଂ ତୁର୍କମେନସ୍ତାନର ଆର୍ଥିକ ମନିଟରିଂ ସର୍ଭିସ ମଧ୍ୟରେ ଆଜି ଏକ ଅର୍ଥନୈତିକ ରାଜିନାମା ମଧ୍ୟ ସ୍ବାକ୍ଷରିତ ହୋଇଛି । ଯାହା ଦୁଇ ଦେଶର ବାଣିଜ୍ୟିକ ଓ ଆର୍ଥିକ ସମ୍ପର୍କ ବୃଦ୍ଧି ପାଇବା ନେଇ ମଧ୍ୟ ଆଶାପ୍ରକଟ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ