ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଇଛି କୋରୋନା । କିଛି ଦିନ ହେଲା ୧୦ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ମୋଟ 12,899 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 12,899 fresh Covid Cases) । ଯାହାକି ଗତକାଲି(ଶନିବାର) ତୁଳନାରେ ସାମାନ୍ୟ କମ୍ । ଆଜି ସଂକ୍ରମଣ କମିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ହ୍ରାସ ପାଇଛି । ଦିନକରେ 15 ଜଣଙ୍କର ମୁଣ୍ତ ନେଇଛି ମହାମାରୀ ।
ଏହାସହ 8,518 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 70 ହଜାର ପାର୍ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 72,474କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭ ହାର 2.89% ରେ ପହଞ୍ଚିଛି ।
ଏଯାବତ୍ 4,26,99,363 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ 5,24,855 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 196 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 13,24,591ଜଣଙ୍କୁ ଟିକା ଦିଆଯାଇଛି ।