ବେଙ୍ଗାଲୁରୁ: ଆଜି ଏସିଆର ସବୁଠାରୁ ବଡ ଏରୋ ଇଣ୍ଡିଆ ଶୋ’ ର ଶୁଭାରମ୍ଭ ହୋଇଯାଇଛି । ଫେବୃୟାରୀ 5 ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ବିଶ୍ବ ଆଜି ଭାରତର ପରାକ୍ରମ ଦେଖିଛି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ତିନି ସେନା ପ୍ରମୁଖ ଓ ସିଡିଏସ ମୁଖ୍ୟ ସାମିଲ ହୋଇଥିଲେ । ଏହି ଅନ୍ତର୍ଜାତୀୟ ଇଭେଣ୍ଟରେ 14ଟି ଦେଶର 78 ଟି କମ୍ପାନୀ ଶକ୍ତି ପ୍ରଦର୍ଶନ କରିବେ ।
ଏଥିରେ ଭାଗ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ ‘ମେଡ ଇନ ଇଣ୍ଡିଆ’ ରୁ ‘ମେଡ ଫର ଦ ୱାଲ୍ଡ’ ଦିଗରେ ଅଗ୍ରସର ହେଉଥିବା କହିଛନ୍ତି । ବର୍ତ୍ତମାନ ଭାରତ ନିଜ ଦେଶରେ ଯୁଦ୍ଧବିମାନ ପ୍ରସ୍ତୁତ କରୁଥିବାବେଳେ ଏବେ ସମଗ୍ର ବିଶ୍ବ ପାଇଁ ନିର୍ମାଣ କରିବାକୁ ଯାଉଥିବା ରାଜନାଥ କହିଛନ୍ତି । ଜରୁରୀକାଳିନ ସମୟରେ ଭାରତ ସର୍ବଦା ଅନ୍ୟ ଦେଶ ପାଇଁ ଛିଡା ହୋଇଛି ଏବଂ ଆଗକୁ ରହିବ ବୋଲି ମଧ୍ୟ ସେ କହିଥିଲେ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏକ ଅନନ୍ୟ ସୁଯୋଗ ସୃଷ୍ଟି କରିଛି । 8 ବର୍ଷ ପାଇଁ 130 ବିଲିୟନ ଡଲାର ଆତ୍ମନିର୍ଭର ଭାରତ ପାଇଁ ଯୋଜନା କରାଯାଉଛି ।
ଏରୋ ଇଣ୍ଡିଆ ଶୋ’ର ପ୍ରଥମ ଦିନରେ ଆତ୍ମନିର୍ଭରଶୀଳ ଭାରତରେ ନିର୍ମିତ ବିମାନ କଳାକୌଶଳ ଦେଖାଇଥିଲା । ଏହା ବ୍ୟତୀତ ଏୟାର ବୋର୍ନ ଅର୍ଲି ୱାର୍ଣ୍ଣିଂ ଆଣ୍ଡ କଣ୍ଡ୍ରୋଲ ସିଷ୍ଟମ ଏୟାରକ୍ରାଫ୍ଟ ‘ନେତ୍ର’ ନିଜର ଯୁଦ୍ଧ କୌଶଳ ବିଶ୍ବ ଆଗରେ ପ୍ରଦର୍ଶନ କରିଥିଲା । କେବଳ ମହିଳାଙ୍କ ଉଦ୍ଦେଶ୍ୟରେ ସୁଉଚ୍ଚ ଆକାଶ ମାର୍ଗରେ ହାର୍ଟ ଆଙ୍କି ହୃଦୟ ଜିତିଥିଲା ‘ସୂର୍ଯ୍ୟକିରଣ’ ଓ ‘ସାରଙ୍ଗ’ ହେଲିକପ୍ଟର।
ଏହା ସହ ସୁଖୋଇ-30 MKI ଯୁଦ୍ଧ ବିମାନ ତ୍ରିଶୂଳ କରି ପରାକ୍ରମ ଦେଖାଇଛି । ଭାରତୀୟ ନୌସେନା ସୁ-30 ଯୁଦ୍ଧ ବିମାନ ଜଲୱା ଦେଖାଇଥିଲା । ଏରୋ ଇଣ୍ଡିଆ ଶୋ’ରେ ଡିଆରଡିଓ ଦ୍ବାରା ବିକଶିତ ଦେଶର 5ମ ଜେନେରେସନର ଫାଇଟର ଏୟାରକ୍ରାଫ୍ଟ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ‘ତେଜସ’ ତାର ଜଲୱା ଦେଖାଇଛି । ଡିଆରଡିଓ ଅନୁସାରେ, ମଲ୍ଟିରୋଲ ଯୁଦ୍ଧବିମାନର ସମସ୍ତ ସାମର୍ଥ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଭାରତୀୟ ନୌସେନା ଏହି କ୍ଷେପଣାସ୍ତ୍ରକୁ ଆଗାମୀ ପିଢି ପାଇଁ ସାମୁଦ୍ରିକ ତଟୀୟ ପ୍ରତିରକ୍ଷା ବ୍ୟାଟେରୀ ଭାବେ ବ୍ୟବହାର କରିବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ