ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି । ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କୋଭିଡ ଯୋଗୁଁ ଭୁଶୁଡି ପଡିଥିବା ଦେଶର ଅର୍ଥନୀତିରେ ସୁଧାର ଆସିବାରେ ଲାଗିଛି । ଏହାର ସଫଳତା ପଛରେ ସେ ଦେଶର ପ୍ରତିଟି ନାଗରିକଙ୍କୁ ଶ୍ରେୟ ଦେଇଛନ୍ତି । ଏହାସହ ବୈଷୟିକ ନିବେଶକ ପାଇଁ ଭାରତ ଏକ ଗନ୍ତବ୍ୟ ସ୍ଥଳ ପାଲଟିଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ।
ମହାମାରୀ ସମୟରେ ଗରିବଙ୍କ ଜୀବନ-ଜୀବିକାକୁ ସଂରକ୍ଷିତ ରଖିବାକୁ ସରକାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଏହି ଆର୍ଥିକ ପ୍ୟାକେଜରେ ଅର୍ଥନୀତି ପରିଚାଳନା ସହ ଦେଶର କୌଣସି ଗରିବ ଭୋକରେ ନ ରହେ ସେନେଇ ସରକାର ଗୁରୁତ୍ବ ଦେଇଥିଲେ । ମହାମାରୀ ସମୟରେ କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନାକୁ ପ୍ରଶଂସା କରିଥିଲେ ରାଷ୍ଟ୍ରପତି ।
ଏହି ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଦେଶର 8 କୋଟି ଲୋକଙ୍କୁ ମାସିକ ଭାବରେ ପାଞ୍ଚ କିଲୋ ଶସ୍ୟ ମାଗଣାରେ ଯୋଗାଇ ଦିଆଯାଇଛି । ଦୀର୍ଘ 8 ମାସ ପର୍ଯ୍ୟନ୍ତ ମାଗଣା ଶସ୍ୟ ଯୋଗାଇଛନ୍ତି ସରକାର । କେବଳ ସେତିକି ନୁହେଁ, ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କ ଜୀବିକା ବଞ୍ଚାଇବାକୁ ମଧ୍ୟ ସରକାର ଅନେକ ପଦକ୍ଷେପ ଆପଣାଇଛନ୍ତି ।
ପ୍ରାଥମିକ ରିପୋର୍ଟରେ ମୁତାବକ, କୋଭିଡ ପ୍ରଭାବରୁ ଗରିବ ଓ ଅସୁରକ୍ଷିତ ଲୋକଙ୍କୁ ସୁରକ୍ଷା ଦେବାକୁ ଯାଇ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ (ପିଏମଜିକେପି) ମାଧ୍ୟମରେ 42 କୋଟି ଲୋକଙ୍କୁ 68,820 କୋଟିର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ସଙ୍କଟ ସମୟରେ ସରକାର ମହିଳା, ଗରିବ ବରିଷ୍ଠ ନାଗରିକ ଓ କୃଷକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଏବଂ ନଗଦ ଦେୟ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ, ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ରାଷ୍ଟ୍ରପତି ଉଭୟ ଗୃହର 3 ତିନୋଟି ସ୍ଥାନରେ ଅଭିଭାଷଣ ଦେଇଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ 18ଟି ବିରୋଧୀ ଦଳ କରିଛନ୍ତି ବର୍ଜନ । ଏହାପରେ 2020-21ରେ ଆର୍ଥିକ ସର୍ଭେ ଆଗତ କରିବେ ନିର୍ମଳାସୀତାରମଣ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ