ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱ ଅର୍ଥନୈତିକ ଫୋରମ (WEF) ଡାଭୋସ୍ ଏଜେଣ୍ଡାକୁ ସମ୍ବୋଧିତ କରିଛନ୍ତି । ନୂଆଦିଲ୍ଲୀରୁ ଭର୍ଚ୍ଚୁଆଲି ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଭାରତ ସମଗ୍ର ବିଶ୍ୱକୁ ଏକ ଭରସା ଦେଇଛି । ଗଣତନ୍ତ୍ର ପ୍ରତି ବିଶ୍ବାସ, ଏକବିଂଶ ଶତାବ୍ଦୀକୁ ସଶକ୍ତ କରିବା ପାଇଁ ଟେକ୍ନୋଲୋଜି, ଭାରତୀୟଙ୍କ ମଧ୍ୟରେ ପ୍ରତିଭା ଏବଂ ସ୍ୱଭାବ ରହିଛି ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧନରେ କହିଛନ୍ତି । ସେହପରି ବର୍ତ୍ତମାନ ବିଶ୍ବ କୋଭିଡ ମହାମାରୀର ପ୍ରଭାବ ମଧ୍ୟରୁ ବାହାରି ପାରିନଥିବା ବେଳେ ଭାରତ ତାର ଅଭିବୃଦ୍ଧିିକୁ ଦୃଷ୍ଟିରେ ରଖିବା ସହ କୋଭିଡ ମହାମାରୀ ବିରୋଧରେ ମଧ୍ୟ ଲଢେଇ ଜାରି ରଖିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ସ୍ୱିଜରଲ୍ୟାଣ୍ଡର ସ୍କି-ରିସର୍ଟ ଟାଉନ୍ ଡାଭୋସରେ ଅନୁଷ୍ଠିତ ହେଉଥିବା ବିଶ୍ବ ଅର୍ଥନୈତିକ ସମ୍ମିଳନୀ (WEF) ଆଜି ଠାରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଭର୍ଚ୍ଚୁଆଲି ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ଏହି ସମ୍ମିଳନୀ ୫୦ତମ ବର୍ଷରେ ପହଞ୍ଚିଛି । ଗତବର୍ଷ ଏହି ଶିଖର ସମ୍ମିଳନୀ କୋଭିଡ ସଂକ୍ରମଣ କାରଣରୁ ହୋଇ ପାରି ନଥିଲା ।
ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୁଖ୍ୟାସଂ:-
* କରୋନା କାଳରେ ସଂସ୍କାର ଉପରେ ଗୁରୁତ୍ବ ଦେଉଛି ଭାରତ ।
* ଭାରତ ତାର ଅର୍ଥନୀତିକୁ ଦୃଷ୍ଟି ଦେବା ସହ କୋଭିଡ ବିରୋଧୀ ଲଢେଇ ଜାରି ରଖିଛି ।
* ଭାରତର କୋଭିଡ ମୁକାବିଲା ପ୍ରତିବଦ୍ଧତା ବିଶ୍ବକୁ ଏକ ଭରସା ଓ ବିଶ୍ବାସ ଦେବାରେ ସଫଳ ହୋଇଛି ।
* କୋଭିଡ ସମୟରେ ଭାରତର ରଣନୀତି ନେଇ ବିଶ୍ବ ଅର୍ଥନୈତିକ ବିଶେଷଜ୍ଞ ମାନେ ଭାରତର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଏବଂ ଭାରତ ବିଶ୍ୱର ଆକାଂକ୍ଷା ପୂରଣ କରବା ଦିଗରେ ସଫଳ ହେବ ।
* ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଭାରତ ଟୀକାକରଣ ଡ୍ରାଇଭରେ ବିଶ୍ବବ୍ୟାପି ଏକ ମାଇଲ ଖୁଣ୍ଟ ଛିଡା କରିଛି । ମାତ୍ର ବର୍ଷେ ମଧ୍ୟରେ 160 କୋଟି କୋଭିଡ ଟିକା ଡୋଜ ପ୍ରଦାନ କରିବାରେ ସଫଳ ହୋଇଛି ।
* ଏକବିଂଶ ଶତାବ୍ଦୀକୁ ସଶକ୍ତ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟଙ୍କ ପ୍ରତିଭା ଏବଂ ସ୍ୱଭାବ
* ଅର୍ଥନୈତିକ ଅଭିବୃଦ୍ଧି ଦୃଷ୍ଟିରେ ରଖି ଭାରତ ସମ୍ପୂର୍ଣ୍ଣ ସତର୍କତା ସହିତ ଅନ୍ୟ ଏକ କୋଭିଡ ଲହର ସହ ଲଢେଇ ଜାରି ରଖିଛି ।
* କୋଭିଡ ସମୟରେ, ପୃଥିବୀ ସାରା ଭାରତର ଦୃଷ୍ଟିକୋଣକୁ ଦେଖିବାକୁ ସୁଯୋଗ ପାଇଲା । ବିଭିନ୍ନ ଦେଶକୁ ଔଷଧ ପଠାଇ ଲକ୍ଷଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବାରେ ଭାରତ ସାହାଯ୍ୟ ସାହାଯ୍ୟ କରିଥିଲା ।
*ଏହି ସଙ୍କଟ ସମୟରେ ଆଇଟି ସେକ୍ଟର ଦିନରାତି ପରିଶ୍ରମ କରିଛି । ଭାରତ ବର୍ତ୍ତମାନ ବିଶ୍ୱରେ ଏକ ରେକର୍ଡ ସଂଖ୍ୟକ ସଫ୍ଟୱେର୍ ପ୍ରଫେସନାଲ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୟୁନିକର୍ନ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ବର ତୃତୀୟ ସ୍ଥାନରେ ରହିଛି ।
* ଭାରତୀୟ ଯୁବପିଢି ମଧ୍ୟରେ ଉଦ୍ୟୋଗ ଆଜି ଏକ ନୂତନ ଉଚ୍ଚତାରେ ପହଞ୍ଚିଛି । 2014 ରେ ଭାରତରେ ମାତ୍ର କିଛି ଶହ ପଞ୍ଜୀକୃତ ଷ୍ଟାର୍ଟଅପ୍ ଥିଲାବେଳେ ବର୍ତ୍ତମାନ ଏହି ସଂଖ୍ୟା 60 ହଜାର ଅତିକ୍ରମ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ