ହାଇଦ୍ରାବାଦ: ଆଜି ପବିତ୍ର ରାମନବମୀ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ । ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ରାମନବମୀ ପାଳିତ ହୁଏ । ପ୍ରଭୁ ଶ୍ରୀରାମ ଧର୍ମର ପ୍ରତୀକ । ଯୁଗେ ଯୁଗେ ଯେବେ ଧର୍ମର ଅବକ୍ଷୟ ଘଟି ଅଧର୍ମର ପ୍ରାଦୁର୍ଭାବ ବଢିଛି ନର ରୂପ ଧାରଣ କରି ସ୍ବୟଂ ନାରାୟଣ ଧରାବତରଣ କରିଛନ୍ତି । ରାକ୍ଷସ ରାବଣ ନିଜ ବାହୁବଳରେ ସ୍ବର୍ଣ୍ଣର ଲଙ୍କା ପ୍ରତିଷ୍ଠା କରି ଧରାରେ ଲୋକଙ୍କ ଉପରେ ଅତ୍ୟାଚାର କରିଥିଲା । ସେବେ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କର ଆବର୍ଭାବ ହୋଇଥିଲା ।
ବିଶ୍ବରେ ଧର୍ମ ଓ ଏକତାର ସ୍ଥାପନା କରିଥିଲେ ପ୍ରଭୁ ଶ୍ରୀରାମ । ରାମନବମୀ ପୃଥିବୀରେ ପରମାତ୍ମାଙ୍କ ଶକ୍ତିର ପ୍ରତୀକ । କୌଶଲ୍ୟା ନନ୍ଦନ ଶ୍ରୀରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଦ୍ଧ ନିମନ୍ତେ ହୋଇଥିଲା । ହିନ୍ଦୁଙ୍କ ପାଇଁ ଏହି ପର୍ବର ମହତ୍ତ୍ବ ରହିଛି । ଏନେଇ ସାରା ଦେଶ ଉତ୍ସବ ମୁଖର । ଧୁମଧାମରେ ରାମ ନବମୀ ଉତ୍ସବ ପାଳନ ହେଉଛି । ସବୁଆଡେ ଆଧ୍ୟାତ୍ମିକ ମହୋଲ ସୃଷ୍ଟି ହୋଇଛି । ରାମନାମ ଧ୍ବନୀରେ କମ୍ପୁଛି ଚତୁର୍ଦିଗ ।
ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ତ୍ରେତୟା ଯୁଗରେ ଅଯୋଧ୍ୟା ରାଜା ଥିଲେ ଦଶରଥ । ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ରାଜାଙ୍କର କୌଣସି ସନ୍ତାନ ନଥିବା ତାଙ୍କର ବଡ ଦୁଃଖ ଥିଲା । ପୁତ୍ରେଷ୍ଠି ଯଜ୍ଞ କରିଥିଲେ । ଯଜ୍ଞେଶ୍ବର ଯଜ୍ଞକୁଣ୍ଡରୁ ଆର୍ବିଭାବ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନ ସେବନ ପାଇଁ ଦେଇଥିଲେ । ସେହି ଚରୁଅନ୍ନକୁ ତିନି ରାଣୀ ସେବନ କରିଥିଲେ । ଏହା ପରେ ଅଯୋଧ୍ୟା ନରେଶ ରାଜା ଦଶରଥ ଓ କୌଶଲ୍ୟାଙ୍କ ପୁତ୍ର ଭାବେ ଚୈତ୍ର ନବମୀରେ ଶ୍ରୀରାମଙ୍କ ଜନ୍ମ ହୋଇଥିଲା । କୈକେୟୀ ଭରତ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଇଥିଲେ ।
ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ଅଧର୍ମର ବିଲୋପ ଓ ରାବଣ ରାକ୍ଷସମାନଙ୍କୁ ସଂହାର କରିବାକୁ ଧରାପୃଷ୍ଠକୁ ଅବତରଣ କରିଥିଲେ । ମିଥିଳା ନରେଶ ରାଜା ଜନକଙ୍କ କନ୍ୟା ମାତା ସୀତାଙ୍କୁ ବିବାହ କରିଥିଲେ ପ୍ରଭୁ ରାମଚନ୍ଦ୍ର । ପିତୃସତ୍ୟ ପାଳନ କରି 14 ବର୍ଷ ବନବାସ ଯାଇଥିଲେ । ସାଥୀରେ ମାତା ସୀତା ଓ ଭାଇ ଲକ୍ଷ୍ମଣ ଯାଇଥିଲେ । ଏହି ସମରେ ସୀତାଙ୍କୁ ଅପହରଣ କରି ନେଇଥିଲା ରାବଣ । ଏହାପରେ ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣକୁ ବଧ କରି ସୀତାଙ୍କୁ ଉଦ୍ଧାର କରି ଆଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ପବିତ୍ର ରାମ ନବମୀ ଉପଲକ୍ଷେ ମନ୍ଦିରଗୁଡିକରେ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ ଆଦି ହୋଇଥାଏ । ବିଶେଷ କରି ରାମ ଚରିତ ମାନସ ପାଠ କରାଯାଏ । ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ସମେତ ସାରା ଦେଶରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ବ୍ରତଧାରୀ ଉପବାସ କରିଛନ୍ତି ।
ରାମନବମୀ ବ୍ରତର ମହତ୍ତ୍ବ: ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାରକୁ ଭଗବାନ ରାମଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଏ । ଏହି ପବିତ୍ର ମୂହୁର୍ତ୍ତକୁ ଭକ୍ତମାନେ ରାମନବମୀ ରୂପେ ପାଳନ କରନ୍ତି । ପ୍ରଭାତରୁ ସମସ୍ତ ପୀଠ ମନ୍ଦିରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି । ରାମ ଧ୍ବନିରେ ପ୍ରକମ୍ପିତ ହୋଇଛି ମନ୍ଦିର । ଏହି ପବିତ୍ର ପର୍ବକୁ ଭକ୍ତମାନେ ଉପବାସ ରହି ପାଳନ କରିଛନ୍ତି । ରାମନବମୀ ଦିନ ଭଗବାନ ରାମ ଓ ମା' ଭଗବତୀଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା କରିବା ଦ୍ବାରା ମନୋବଞ୍ଛା ପୂରଣ ହୁଏ ବୋଲି ବିଶ୍ବାସ ରହିଛି ।