ମୁମ୍ବାଇ: ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାର କେନ୍ଦ୍ରରେ ଥିବା ଶିବସେନା ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଓ୍ବତ ପୁଣି ଏପରି ଏକ ବୟାନ ଦେଇଛନ୍ତି । ରାଓ୍ବତ ଏହି ବୟାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ଦଳକୁ ଯଦି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ED) ନିୟନ୍ତ୍ରଣ ଦିଆଯାଏ ତେବେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଶିବସେନାକୁ ଭୋଟ୍ ଦେବେ ବୋଲି କହିଛନ୍ତି ରାଉତ ।
ଶିବସେନା ପ୍ରାର୍ଥୀ ସଞ୍ଜୟ ପାୱାର ଶୁକ୍ରବାର ମହାରାଷ୍ଟ୍ରରୁ ରାଜ୍ୟସଭା ନିର୍ବାଚନରେ ପରାଜିତ ହେବା ପରେ ବିରୋଧୀ ବିଜେପି ଓ ଶାସକ ଶିବସେନା ମଧ୍ୟ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ବିଜେପିର ଏହି ବିଜୟ ପାଇଁ ବିରୋଧୀ ଦଳର ନେତା ଫଡନାଭିସଙ୍କୁ ଶ୍ରେୟ ଦିଆଯାଉଛି । ବିଜେପି ପ୍ରାର୍ଥୀ ଧନଞ୍ଜୟ ମହାଦିକ ଶିବସେନାର ସଞ୍ଜୟ ପାୱାରଙ୍କୁ ପରାସ୍ତ କରି ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।
ନିର୍ବାଚନ ପୂର୍ବରୁ ସଞ୍ଜୟ ରାଉତ ଅଭିଯୋଗ କରିଥିଲେ ଯେ ବିଜେପି ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ସ୍ବାଧୀନ ତଥା ଛୋଟ ଦଳର ନେତାଙ୍କ ଉପରେ ଚାପ ପ୍ରୟୋଗ କରିବାକୁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ବ୍ୟବହାର କରୁଛି । ଅନ୍ୟପଟେ ନିଜେ ରାଓ୍ବତ ମଧ୍ୟ ଆର୍ଥିକ କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ପରିସରରେ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ